ନୂଆଦିଲ୍ଲୀ: କେରଳ କୋଚିରେ ଘଟିଥିବା ମିନିକୁପର କାର ଦୁର୍ଘଟଣା ମାମଲା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୦ କିଲୋମିଟର ବେଗର ଗାଡ଼ି ଚଳାଇ ୩ ଜଣଙ୍କୁ ମାରି ସାରିବା ପରେ କୋଟିପତି ଘର ପୁଅ କହୁଛି ‘ମୋ ବାବା ସବୁ ସମ୍ଭାଳି ନେବେ’। ପୁଲିସ ଏଫ୍ଆଇଆର୍ ରୁଜୁ ତ କରିଛି ହେଲେ ସେଥିରେ ଅଭିଯୁକ୍ତର ନାଁ ଓ ଠିକଣା ଅଜଣା ବ୍ୟକ୍ତି ଭାବରେ ଲେଖାଯାଇଛି।

ଏହି ମାମଲାରେ ପୁଲିସ ଭାରତୀୟ ନ୍ୟାୟ ସଂହିତା(BNS) ୨୦୨୩ର ଧାରା ୧୦୫ ଲଗାଇଛି। ଯାହା ହତ୍ୟା ନୁହେଁ ବରଂ ଅଜାଣତରେ ହୋଇଥିବା ମୃତ୍ୟୁକୁ ସୂଚିତ କରେ। ରୁଜୁ ହୋଇଥିବା ମାମଲା ଅନୁସାରେ, ଅକ୍ଟୋବର ୧୧ ତାରିଖ ରାତି ପ୍ରାୟ ୧.୩୦ରୁ ୨ ମଧ୍ୟରେ ଦୁର୍ଘଟଣା ଘଟିଥିଲା। KL 07 CR 1001 ନମ୍ବର ଥିବା ଏକ ମିନି କୁପର କାର୍ ମାନବ ଜୀବନକୁ ବିପଦରେ ପକାଇବା ପାଇଁ ବେପରୁଆ ଢଙ୍ଗରେ ଦ୍ରୁତ ଗତିରେ ଆସିଥିଲା ବୋଲି ଲେଖାଯାଇଛି।

କାର୍ ଧକ୍କା ଯୋଗୁ ଟୁହ୍ୱିଲରରେ ଯାତ୍ରା କରୁଥିବା ୩ ଜଣ ବ୍ୟକ୍ତି ରାସ୍ତାର ଉପରେ ଛିଟିକି ପଡ଼ିଥିଲେ। ଫଳରେ ସେମାନଙ୍କର ମୁଣ୍ଡ ଓ ଶରୀର ଅନ୍ୟ ସ୍ଥାନଗୁଡ଼ିକରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଦେବିକା, ଗୋପିକା ଏବଂ ଆୟସଙ୍କର ମୃତ୍ୟୁ ହୋଇଛି। ଏମାନଙ୍କର ବୟସ ପାଖାପାଖି ୨୧ ଭିତରେ ହେବ ବୋଲି ପୁଲିସ ଏଫ୍ଆଇଆର୍ରେ ଲେଖିଛି। ଏହି ଘଟଣା ବର୍ତ୍ତମାନ କେରଳ ସାରା ଚର୍ଚ୍ଚାର ବିଷୟ ପାଲିଟିଥିବା ବେଳେ ପୀଡ଼ିତ ପରିବାର ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Also Read- ଟାୟାର ପଙ୍କଚରରୁ ଗାଡ଼ି ପୋଡ଼ି, ୧୪ ବର୍ଷର ନ୍ୟାୟିକ ଲଢ଼େଇ ପରେ ସଫଳତା; ୭୦ ଲକ୍ଷ ଟଙ୍କା ପାଇଲେ କାର୍ ମାଲିକ

କେମିତି ଘଟିଥିଲା ଘଟଣା ?

ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ସୁହେଲ। ସୋମବାର ସୁହେଲ ଦୁର୍ଘଟଣା ଘଟାଇବା ପୂର୍ବରୁ ତା’ବନ୍ଧୁ ନିନାଭ ସହିତ କୋଚି ଓ ନେନ୍ଦୁମ୍ବାସେରୀ ବାରରେ ପ୍ରବଳ ମଦ ପିଇଥିଲା। ସେହିପରି ବନ୍ଧୁଙ୍କୁ ଏୟାରପୋର୍ଟ ଆଣିବାକୁ ଯାଇଥିବା ଅମୀର ଏବଂ ଜୋଏଲ ମଧ୍ୟ ବିମାନ ବିଳମ୍ବ ଥିବାରୁ ସେମାନଙ୍କ ସହ ମିଶି ମଦ୍ୟପାନ କରିଥିଲେ। ଏହାପରେ ନିଶା ଶକ୍ତ ଅବସ୍ଥାରେ ସୁହେଲ ସାଙ୍ଗମାନଙ୍କୁ ନେଇ ଦ୍ରୁତ ଗତିରେ କରା ଚଳାଇ ବାଇକ୍ରେ ଯାଉଥିବା ୩ ଜଣଙ୍କୁ ଧକ୍କା ଦେଇଥିଲେ।

ଦୁର୍ଘଟଣା ପରେ ଅମୀର ଓ ଜୋଏଲ ଅନ୍ୟ ଏକ ଗାଡ଼ିରେ ଫେରାର ହୋଇଯାଇଥିବା ବେଳେ ସୋହେଲ ଓ ନିଭାକୁ ଗିରଫ କରିଥିଲା ପୁଲିସ। ପରେ ଅମୀର ଜୋଏଲକୁ ମଧ୍ୟ ଗିରଫ କରାଯାଇଛି।

ପଚରାଉଚରା ପରେ ଅମୀର କହିଛି ଯେ କାର୍ ୧୫୦ କିମି ବେଗରେ ଯାଉଥିଲା। ହେଲେ ପୁଲିସ ଯାଞ୍ଚରେ କାର୍ କେବେ କେବେ ୨୦୦ କିମି ବେଗରେ ବି ଯାଇଥିବା ଜଣାପଡ଼ିଛି। ମାମଲାରେ ପୁଲିସ ସୁହେଲକୁ ପ୍ରଥମ ଅଭିଯୁକ୍ତ ବୋଲି ଦର୍ଶାଇଥିବା ବେଳେ ନିନାଭ, ଅମୀର ଓ ଜୋଏଲକୁ ଅପରାଧ ଘଟାଇବାରେ ସହଯୋଗ କରିବା ଅଭିଯୋଗରେ ଅଭିଯୁକ୍ତ କରାଯାଇଛି। ତଦନ୍ତରେ ଏହା ଜଣାପଡ଼ିଛି ଯେ ସୁହେଲ ଧନୀ ଘରର ପିଲା। ତା’ର ୧୯ ତମ ଜନ୍ମଦିନରେ ତାଙ୍କ ମାଆ ତାକୁ ଏହି ମିନି କୁପର କାର୍ ଉପହାର ସ୍ୱରୂପ ଦେଇଥିଲେ। ଆଉ ସେହି କାର୍କୁ ଚଳାଇ ସେ ୩ଟି ନିରୀହ ଜୀବନ ନେଇଯାଇଛି।

ଗିରଫ ପରେ କଣ କହିଲା ପୁଲିସ ?

ଗିରଫ ଅଭିଯୁକ୍ତମାନଙ୍କୁ ପ୍ରଥମେ କୋର୍ଟରେ ହଜାର କରାଯାଇଥିଲା। ଏହାପରେ ସେମାନଙ୍କୁ ଥ୍ରିକ୍କାକାରା ସ୍ଥିତି ବୋରସ୍ତାଲ ସ୍କୁଲ୍କୁ (ଜେଲ୍) ପଠାଇ ଦିଆଯାଇଛି। ଅଭିଯୁକ୍ତିମାନଙ୍କ ବୟସ ୧୮ରୁ ୨୧ ବର୍ଷ ବୟସ ମଧ୍ୟରେ ହେବ ବୋଲି ପୁଲିସ ମାମଲାରେ ଉଲ୍ଲେଖ କରିଛି। ଅଧିକ ପଚରାଉଚରା ପାଇଁ ପୁଲିସ ସୁହେଲକୁ କଷ୍ଟୁଡିକୁ ନେବା ପାଇଁ ଆବେଦନ କରିପାରେ ବୋଲି ସୂଚନା ମିଳିଛି। ସେପଟେ ଅଭିଯୁକ୍ତମାନେ ଯେଉଁ ବାର୍ରେ ବସି ମଦ୍ୟପାନ କରିଥିଲେ ଅବକାରୀ ବିଭାଗ ସେଗୁଡ଼ିକ ବିରୁଦ୍ଧରେ ମାମଲା ରୁଜୁ କରିଛି। ୨୩ ବର୍ଷରୁ କମ ବୟସର ପିଲାଙ୍କୁ ମଦ ଦେଇଥିବାରୁ ସେମାନଙ୍କ ବିରୁଦ୍ଧରେ ପରିବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ସେପଟେ ପରିବାର ଲୋକେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନଙ୍କକ ବିରୁଦ୍ଧରେ ହତ୍ୟା ଅଭିଯୋଗ ଲଗାଯାଉ ବୋଲି ମୃତ ଦେବିକାଙ୍କ ପରିବାର ଦାବି କରିଛି। ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ ଧନୀ ଘର ପୁଅ ସୁହେଲ କହିଛି ଏସବୁ ତାଙ୍କ ବାପା ବୁଝିନେବେ।

ଭାରତରେ ଗରିବ ଲୋକର ଜୀବନ ଯେମିତି ଏକ ପୋକମାଛି ପରି ହୋଇଯାଇଛି। ସୁହେଲଙ୍କ ଭଳି ଏକାଧିକ ଧନୀ ଘରର ପିଲା ଦୁର୍ଘଟଣା ଘଟାଇ ଜୀବନ ନେବା ପରେ ବେଲ ପାଇ ଫେରିଛନ୍ତି। କାହାକୁ କୋର୍ଟ ଦରଖାସ୍ତ ଲେଖାଇ ଛାଡ଼ି ଦେଇଛନ୍ତି। ତେଣୁ ଏଭଳି ପରିସ୍ଥିରେ ଅଭିଯୁକ୍ତ ସୁହେଲର ଏହି ଦମ୍ଭୋକ୍ତି ସ୍ୱାଭାବିକ।