ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ SIR ପ୍ରକ୍ରିୟାକୁ ନେଇ ଆରପାର ମୋଡ଼ରେ ବିରୋଧୀ। ଅକ୍ଟୋବର ୧୦ରେ କକରୋଚ୍ ଜନତା ପାର୍ଟି(CJP) ଦ୍ଵାରା ରାଜଧାନୀରେ ଆନ୍ଦୋଳନ ହୋଇ ସାରିଛି। ତେବେ ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଯେଉଁସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଅନେକ ଯାଚିକା ଦାଖଲ ହୋଇଛି। ହେଲେ ମେଟ୍ରୋ ଓ ରେଳ ସେବା ବନ୍ଦ ରଖାଯିବା, ଓକିଲ ଏବଂ ପ୍ରଦର୍ଶନକାରୀଙ୍କୁ ଅଟକ ରଖିବା ଏବଂ ଜନ୍ତର ମନ୍ତରରେ କଟକଣା ସଂପର୍କିତ ଯାଚିକା ଉପରେ ଅକ୍ଟୋବର ୧୫ରେ ଏକ ସଙ୍ଗେ ଶୁଣାଣି କରିବେ ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲା ବାଗଚୀ ଏବଂ ବିଚାରପତି ଭି ମୋହନାଙ୍କ ପୀଠ କେଉଁ କେଉଁ ମାମଲାର ଶୁଣାଣି କରାଯିବ ତାହା ନିର୍ଦ୍ଧାରିତ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ଅନୁରୋଧ ସ୍ଵୀକାର କରିବା ସହ ଉପରୋକ୍ତ ମାମଲା ଉପରେ  ଜବାବ ଦାଖଲ ପାଇଁ ଗୁରୁବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

Also Read: CJI ବୟାନ ବିବାଦ ମଧ୍ୟରେ ରାହୁଲଙ୍କୁ SCରୁ ମିଳିଲା ବଡ଼ ଆଶ୍ଵସ୍ତି, ଟ୍ରାଏଲ ଉପରେ ଲାଗିଲା ରୋକ୍

କେଉଁ ପ୍ରସଙ୍ଗରେ ହେବ ଶୁଣାଣି ?

ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀର ସାଂପ୍ରତିକ ସ୍ଥିତି ଏବଂ ନାଗରିକ ଅଧିକାର ସହ ଜଡ଼ିତ ଅଲଗା ଅଲଗା ଯାଚିକାକୁ ଏକ ସଙ୍ଗେ ଯୋଡ଼ି ଶୁଣାଣି କରାଯିବ। ଏଥିରେ ସୁପ୍ରିମକୋର୍ଟଙ୍କ ଅବମାନନା ମାମଲା ମଧ୍ୟ ସାମିଲ୍। କାରଣ ଅକ୍ଟୋବର ୮ରେ ସୁପ୍ରିମକୋର୍ଟ ସ୍ପଷ୍ଟ ଆଦେଶ ଦେଇଥିଲେ ଯେ, ଅକ୍ଟୋବର ୧୦ ବିରୋଧ ପ୍ରଦର୍ଶନ ଦିନ ମେଟ୍ରୋ, ରେଳ ସେବା ଉପରେ ରୋକ୍ ଲଗା ଯାଇ ପାରିବ ନାହିଁ। ସାର୍ବଜନୀନ ଗତିବିଧି ଉପରେ ସଂପୂର୍ଣ୍ଣ କଟକଣା ନ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦିଲ୍ଲୀ ପ୍ରଶାସନ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅଣଦେଖା କରି ୫୭ ମେଟ୍ରୋ ଷ୍ଟେସନ ବନ୍ଦ କରିବା ସହ ରେଳ ସେବା ଉପରେ ରୋକ୍ ଲଗାଇଥିଲା। ଏପରିକି ଇଣ୍ଟରନେଟ୍ ସେବା ଉପରେ  କଟକଣା ଲଗାଇଥିଲା।

ସୁପ୍ରିମକୋର୍ଟ ଜନ୍ତର ମନ୍ତରରେ ଆଉ ବିକ୍ଷୋଭ ପ୍ରଦର୍ଶନ କରି ହେବ ନାହିଁ ଦିଲ୍ଲୀ ପୋଲିସର ଏହି ଆଦେଶ ଉପରେ ଦାଖଲ ଯାଚିକା ଉପରେ  ମଧ୍ୟ ଶୁଣାଣି କରିବେ। ଦିଲ୍ଲୀ ପୋଲିସର ଆଦେଶ ଅନୁଯାୟୀ, ଆନୁଷ୍ଠାନିକ ପ୍ରଦର୍ଶନ ସ୍ଥଳ ଭାବେ ଜନ୍ତର ମନ୍ତରକୁ ତାଲିକାରୁ ହଟାଇ ଦିଆଯାଇଛି। ରାମଲୀଲା ମଇଦାନ ସମେତ ତିନୋଟି ସ୍ଥାନକୁ ଏହା ନେଇ ଚିହ୍ନଟ କରାଯାଇଛି। ଏହା ସହିତ ରାହୁଲ ଗାନ୍ଧୀ ଏବଂ  ୧୦ ଅନ୍ୟ ବିରୋଧୀ ନେତାଙ୍କ ପକ୍ଷରୁ SIR ପ୍ରକ୍ରିୟା ରୋକିବା ଏବଂ ନିର୍ବାଚନ ଆୟୋଗଙ୍କ ଏକତରଫା ନିଷ୍ପତ୍ତି ବିରୋଧରେ ଦାୟର ଯାଚିକା ଉପରେ ମଧ୍ୟ ଶୁଣାଣି କରିବେ। ହେଲେ କଂଗ୍ରେସ ପକ୍ଷରୁ ଦାଖଲ ଯାଚିକାରେ ଚିହ୍ନଟ ୧୪  ତ୍ରୁଟିକୁ ବର୍ତ୍ତମାନ ସୁଧାର କରାଯାଉଛି। କେଉଁ ପରିସ୍ଥିତିରେ ଏବଂ କିଭଳି ଭାବେ ଆଇନଜୀବୀମାନଙ୍କୁ ଅଟକ ରଖାଗଲା ସେ ଉପରେ ମଧ୍ୟ ଉଚ୍ଚତମ ନ୍ୟାୟାଳୟରେ ଅକ୍ଟୋବର ୧୫ରେ ଶୁଣାଣି ହେବ।

Also Read: ନାଁରେ ଭୁଲ, ଜମା ହୋଇନି କୋର୍ଟ ଫି ! ରାହୁଲ ଗାନ୍ଧୀଙ୍କ ପିଟିସନରେ ସାମ୍ନାକୁ ଆସିଲା ୧୪ ତ୍ରୁଟି

କେନ୍ଦ୍ରକୁ ଦିଆଗଲା ଅତିରିକ୍ତ ସମୟ

ସଲିସିଟର ଜେନେରାଲ ତଥା କେନ୍ଦ୍ର ସରକାରଙ୍କ ଓକିଲ କୋର୍ଟରେ ଅନୁରୋଧ କରିଛନ୍ତି ଯେ, ଯାଚିକାରେ ବ୍ୟାପକ ପ୍ରଭାବ ଏବଂ ସତ୍ୟପାଠ ପ୍ରସ୍ତୁତ ପାଇଁ  ଅତିରିକ୍ତ ସମୟ ଦିଆଯାଉ। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ଅନୁରୋଧ ସ୍ଵୀକାର କରିବା ସହ ଜବାବ ଦେବା ପାଇଁ ସମୟ ଦେଇଛନ୍ତି। ତେବେ ରବିବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ  କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। କୋର୍ଟ ପ୍ରଶାସନକୁ ଦିଲ୍ଲୀରୁ  ବ୍ୟାରିକେଡ୍ ହଟାଇବା ସହ  ଇଣ୍ଟରନେଟ୍ ସେବା ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସେମିତି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜିଲେ ବ୍ୟାରିକେଡିଂ ନ କରିବାକୁ ଦିଲ୍ଲୀ ପୋଲିସକୁ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।