ନୂଆଦିଲ୍ଲୀ: ପଞ୍ଜାବର ଯୁବ ପିଢିଙ୍କୁ ନିଶା ଗ୍ରାସିବାରେ ଲାଗିଛି । ରାଜ୍ୟରେ ବର୍ଦ୍ଧିତ ଡ୍ରଗ୍ସ କାରବାର ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି । ଡ୍ରଗ୍ସ ଯୋଗୁ ବଢ଼ିଥିବା ସଂଗଠିତ ଅପରାଧ ମଧ୍ୟ ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ମୁଣ୍ଡବିନ୍ଧା କାରଣ ହୋଇଛି । ଏହାରି ଭିତରେ ମଙ୍ଗଳବାର କ୍ୟାମେରାରେ ଛାତି ଥରାଇ ଦେବା ଭଳି ଦୃଶ୍ୟ କଏଦ ହୋଇଛି । ପଞ୍ଜାବରେ ଡ୍ରଗ୍ସ ବିରୁଦ୍ଧରେ ଲଢେଇ କରୁଥିବା ସାମାଜିକ କର୍ମୀ ପରବିନ୍ଦର ସିଂହ ଝୋଟାଙ୍କୁ ମନସାରେ ଗୁଳି କରି ହତ୍ୟା କରାଯାଇଛି । ନିଶାଦ୍ରବ୍ୟର ଅବୈଧ ବିକ୍ରି ଅଭିଯୋଗ ନେଇ ମେଡିକାଲ୍ ଷ୍ଟୋର ଯାଇଥିବା ବେଳେ ଦୋକାନ ମାଲିକ ଗୁଳି କରି ଜୀବନ ନେଇଛନ୍ତି । ଅତି ନିକଟରୁ ପରବିନ୍ଦରଙ୍କ ଉପରେ ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି ।

ସମାଜିକ କର୍ମୀ ଝୋଟା ପଞ୍ଜାବରେ ନିଜର ଆଣ୍ଟି ଡ୍ରଗ୍ସ କାର୍ଯ୍ୟକଳାପ ପାଇଁ ଜଣାଶୁଣା । ନିଶାଦ୍ରବ୍ୟର ବିକ୍ରି ଏବଂ ଏହି କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଲଢ଼େଇ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିଲେ । ତାଙ୍କର ଏହି କାମ ପାଇଁ ଅନେକ ସମୟରେ ଡ୍ରଗ୍ସ ମାଫିଆଙ୍କ ସହ ମୁହାଁମୁହିଁ ହେଉଥିଲେ । ଝୋଟାଙ୍କ କ୍ୟାମ୍ପେନିଂର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା । ଅନେକ ପଞ୍ଚାୟତ ନିଶାଦ୍ରବ୍ୟ ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତାବ ମଧ୍ୟ ପାରିତ କରିଥିଲେ ।

ଝୋଟାଙ୍କୁ ଗୁଳି କରାଯିବା ସମୟରେ ସେ କ୍ୟାମେରା ସାମନାରେ ଔଷଧର ବେଆଇନ ନିଶାଦ୍ରବ୍ୟ ବିକ୍ରି ନେଇ ଦୋକାନ ମାଲିକଙ୍କ ସହ ପାଟିତୁଣ୍ଡ କରୁଥିଲେ । ଘଟଣା ସମୟର ପୂରା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଝୋଟାଙ୍କୁ ଦୋକାନ ମାଲିକଙ୍କୁ କହୁଛନ୍ତି, "ମାର ମୁଝେ, ମାର ମୁଝେ । ତୁମେ ପିସ୍ତଲ କାହିଁକି ରଖୁଛ ?" ମାନସାରେ ଝୋଟାଙ୍କ ମୃତ୍ୟୁ ପରେ, ସ୍ଥାନୀୟ ପ୍ରଶାସନ ବିରୋଧରେ ପ୍ରତିବାଦ ମଧ୍ୟରେ ଅଞ୍ଚଳର ସମସ୍ତ ସ୍କୁଲ ବନ୍ଦ କରିଦିଆଯାଇଛି ।

ଅକାଳି ଦଳ ନେତା ଦଲଜିତ୍ ସିଂହ ଚିମା କହିଛନ୍ତି, "ପଞ୍ଜାବର ମାନସାରେ ପରବିନ୍ଦର ଝୋଟାଙ୍କ ହତ୍ୟା ଆଜି ସମସ୍ତଙ୍କ ମନକୁ ଦୋହଲାଇ ଦେଇଛି । ସେ ଜଣେ ସାମାଜିକ କର୍ମୀ ଥିଲେ, ଯିଏ ନିଶାଦ୍ରବ୍ୟ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଉଥିଲେ ଏବଂ ଡ୍ରଗ୍ସ ବ୍ୟବସାୟରେ ଜଡିତ ଲୋକଙ୍କୁ ପର୍ଦ୍ଦାଫାସ କରୁଥିଲେ । ପୋଲିସ ତାଙ୍କୁ ଅନେକ ଥର ଜେଲ ମଧ୍ୟ ପଠାଇଥିଲା... ଆଜି, ଡ୍ରଗ୍ସ ଚାଲାଣରେ ଜଡିତ ଜଣେ କେମିଷ୍ଟ କ୍ୟାମେରା ସାମନାରେ ପିସ୍ତଲ ବାହାର କରି ଗୁଳି ଚଳାଇଥିଲା । ଏହା ପଞ୍ଜାବର ଆଇନ ଶୃଙ୍ଖଳାର ଏକ ଜୀବନ୍ତ ଉଦାହରଣ । ପୋଲିସ ନିଜେ ସୁରକ୍ଷିତ ନୁହେଁ ଏବଂ ଡ୍ରଗ୍ସ ବିରୋଧୀ କର୍ମୀମାନେ ସୁରକ୍ଷିତ ନୁହନ୍ତି । ଭଗବନ୍ତ ମାନଙ୍କ ସରକାର ଡ୍ରଗ୍ସ ବିରୋଧରେ କିପରି ଲଢ଼ୁଛନ୍ତି ? ସରକାର ଏହାର ଦାୟିତ୍ୱ ନେବା ଉଚିତ..."

ବିଜେପି ନେତା ଆରପି ସିଂହ କହିଛନ୍ତି, "ଏଠାରେ ଆଇନ ଶୃଙ୍ଖଳାର ଅବସ୍ଥା ଦେଖନ୍ତୁ । ରାଜ୍ୟ ସରକାର ଦାବି କରୁଛନ୍ତି ଯେ ସେମାନେ ପଞ୍ଜାବକୁ ନିଶାମୁକ୍ତ କରୁଛନ୍ତି, କିନ୍ତୁ ଯେଉଁମାନେ ନିଶା ବିରୋଧୀ ଅଭିଯାନର ନେତୃତ୍ୱ ନେଉଛନ୍ତି ସେମାନଙ୍କୁ ହତ୍ୟା କରାଯାଉଛି । ହତ୍ୟାକାରୀମାନେ ସେହି ଲୋକ ଯେଉଁମାନେ ନିଶା କାରବାର କରନ୍ତି । ଆଜି ପଞ୍ଜାବରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଛି । ଡ୍ରଗ୍ସ ମାଫିଆମାନେ ଏଠାରେ କାର୍ଯ୍ୟ କରୁଛନ୍ତି, ଏବଂ ସେମାନେ ପୋଲିସ ଏବଂ ଆଇନ ଶୃଙ୍ଖଳା ଉପରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି ।