ଭୁବନେଶ୍ବର: ଦୁଇ ମାସ ତଳେ ଦୁର୍ଘଟଣା ଘଟାଇବା ମାମଲାରେ ଜେଲ୍ ଯାଇଥି​‌ଲା । ହେଲେ ଜାମିନ୍‌ରେ ବାହାରି ପୁଣି ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ ରଚିଲା ଅଭିଯୁକ୍ତ । ରାଜଧାନୀର ଚର୍ଚ୍ଚିତ ଶାସ୍ତ୍ରୀନଗର ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ସୌମ୍ୟ ରଥ ପୁଣି ଏକ ବଡ଼ଧରଣର ଦୁର୍ଘଟଣା ଘଟାଇଛି। କେଶୁରା ଅଞ୍ଚଳରେ ଦ୍ରୁତଗତିରେ ଆସି ଏକାଥରକେ ୭ରୁ ୮ଟି ଗାଡ଼ିକୁ ପିଟିବା ସହ ହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଘଟଣାରେ ବଡ଼ଗଡ଼ ଥାନା ପୋଲିସ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ସୌମ୍ୟ ରଥ କେଶୁରାରେ ପୁଣି ଏକ ଦୁର୍ଘଟଣା ଘଟାଇଛି । ଦୁର୍ଘଟଣା ତ’ ନୁହେଁ ଏହା ଥିଲା ହତ୍ୟା ଉଦ୍ୟମ । ଏଥିରେ ୩ରୁ ୪ ଜଣ ଆହତ ହୋଇଥିବା ବେଳେ, ୭ରୁ ୮ ଗାଡ଼ି ନଷ୍ଟ ହୋଇଛି । ଦୁର୍ଘଟଣା ସେ ଜାଣି ଶୁଣି କରିଥିବା ପୋଲିସ ସୂଚନା ଦେଇଛି । କାରଣ ସିସିଟିଭି ଫୁଟେଜରେ ସୌମ୍ୟ ଚଳାଉଥିବା କାରଟି ଆଗକୁ ଯାଇ ପୁଣି ଫେରି ଆସି ବାଇକ ସ୍କୁଟିକୁ ଧକ୍କା ଦେଉଥିବାରୁ ଦେଖାଯାଉଛି ଏବଂ ଲୋକଙ୍କ ଉପରକୁ ମଧ୍ୟ ମାଡ଼ିଯାଉଛି । ତେବେ ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଧରି ନିର୍ଧୁମ ଛେଚିଛନ୍ତି । ଅବଶ୍ୟ ପୋଲିସ ଅଭିଯୁକ୍ତକୁ ଲୋକଙ୍କ ହାବୁଡ଼ରେ ରକ୍ଷା କରିବାରେ ସଫଳ ହୋଇଥିଲା । ନହେଲେ ହୁଏ ପୁଣି ବାଲିଅନ୍ତା ଭିଡ଼ ହିଂସା ଭଳି ସ୍ଥିତି ଉପୁଜିବାର ଆଶଙ୍କା ମଧ୍ୟ ଦେଖାଦେଇଥିଲା ।

ସୂଚନାଥାଉକି, ଏହା ପୂର୍ବରୁ ଗତ ଜୁଲାଇ ମାସ ୧୩ ତାରିଖ ବିଳମ୍ବିତ ରାତିରେ ଶାସ୍ତ୍ରୀନଗର ଛକରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ଜଣକର ଜୀବନ ଯାଇଥିଲା । ଅଭିଯୁକ୍ତ ସୌମ୍ୟ ରଥର ଗାଡ଼ି ଧକ୍କାରେ ଜଣକର ଜୀବନ ଯାଇଥିଲା । ତେବେ ଘଟଣାରେ ସେତେବେଳେ ଖାରବେଳ ନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚାଳକ ସୌମ୍ୟ ରଥକୁ ଗିରଫ କରି ୧୪ ତାରିଖରେ ଜେଲ ହାଜତକୁ ପଠାଇଥିଲା । ହେଲେ ଜେଲରେ ମାସେ ନରହୁଣୁ ଅଗଷ୍ଟ ୪ରେ ଅଭିଯୁକ୍ତ ବାହାରିଥିଲା ବେଲ୍‌ରେ । ଆଉ ଏବେ ଅକ୍ଟୋବର ୧୨ରେ ପୁଣି ଏକ ହତ୍ୟା ଉଦ୍ୟମ କରିଛି ଅଭିଯୁକ୍ତ ।

Also Read: ଭସାଣୀରେ ବାଜୁଥିଲା DJ, ସାଉଣ୍ଡକୁ ନେଇ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଜୁଲାଇ ୧୩ ପୂର୍ବରୁ ମଧ୍ୟ ସେ ଆଉ ଏକ ଦୁର୍ଘଟଣା ଘଟାଇଥିଲା । ଯେଉଁଥିରେ ଜଣଙ୍କ ଜୀବନ ଯାଇଥିଲା । ତେଣୁ ତାଙ୍କୁ ଅଭ୍ୟାସଗତ ଅପରାଧୀ ବୋଲି କୁହାଯିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି ।  ଦୁର୍ଘଟଣା ଘଟାଇଥିବା ଗାଡ଼ି ମଧ୍ୟ ବାରମ୍ବାର ଟ୍ରାଫିକ ନିୟମ ଅବମାନନା କରିଥିବା ଦେଖିବାକୁ ମିଳିଛି । ଉକ୍ତ ଗାଡ଼ିର ନମ୍ବରରେ ରାଜ୍ୟର ବିଭିନ୍ନ ଆରଟିଓରୁ ଚାଲାଣ କଟାଯାଇଛି । ତେବେ ଏସବୁ ଭିତରେ କିନ୍ତୁ ପ୍ରଶ୍ନ ଉଠିଛି ଯେ, ବାରମ୍ବାର ଏଭଳି କାଣ୍ଡ ଘଟାଉଥିବା ଜଣେ ଅପରାଧୀକୁ ବେଲ୍ କେମିତି ମିଳିଯାଉଛି ? ପୋଲିସ୍ ଓ RTO କରୁଛନ୍ତି କ’ଣ ?