ନୂଆଦିଲ୍ଲୀ: ଥରେ ଚିନ୍ତା କଲେ, ଯଦି ଆପଣଙ୍କ କାର ରାତିରେ ଏକ ରାଜପଥରେ ପଙ୍କଚର ହୋଇଯାଏ, ତେବେ କଣ କରିବେ ? କେହି ମେକାନିକ ମିଳିବା ଯାଏଁ ଅପେକ୍ଷା କରିବେ କିମ୍ବା କୌଣସି ଢ଼ାବା ପାଖରେ କାରକୁ ପାର୍କ କରି ଘରକୁ ଫେରିବେ । ମହାରାଷ୍ଟ୍ରର ଧୁଳଖେଡ୍ ନିକଟସ୍ଥ ଏକ ରାଜ୍ୟ ରାଜପଥରେ ଗାଡ଼ି ଚଲାଉଥିବା ରବିକାନ୍ତ ଏସ୍. ପାଟିଲ୍ ନାମକ ଜଣେ ବିଏମ୍‌ଡବ୍ଲ୍ୟୁ (BMW) କାର୍ ମାଲିକଙ୍କ ସହ ଠିକ୍ ଏହିପରି ଏକ ଘଟଣା ଘଟିଥିଲା। ଗାଡ଼ି ପଙ୍କଚର ହେବା ପରେ ପାଟିଲ୍ ତାଙ୍କ କାର୍‌କୁ ରାସ୍ତାକଡ଼ର ଏକ ଢାବା ପାଖରେ ପାର୍କିଂ କଲେ, ଭଲ ଭାବରେ କାରକୁ ଲକ୍ କଲେ ଏବଂ ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଘରକୁ ଫେରିଗଲେ।  କିନ୍ତୁ ପରଦିନ ସକାଳେ ଘଟଣାସ୍ଥଳରେ ପହଞ୍ଚି ସେ ଯାହା ଦେଖିଲେ, ବିଶ୍ବାସ କରିପାରିଲେ ନାହିଁ । 

ଜଳିଯାଇଥିଲା କାର୍‌

ଦାମୀ କାର୍‌ଟି ଜଳିପୋଡ଼ି କଙ୍କାଳରେ ପରିଣତ ହୋଇସାରିଥିଲା। ଏଭଳି ସ୍ଥିତିରେ ସେ ବୀମା କମ୍ପାନୀକୁ ଫୋନ୍‌ କଲେ, ସବୁ କଥା କହିଲେ । କିନ୍ତୁ କମ୍ପାନୀ ତାଙ୍କ କଥାକୁ ଶୁଣିଲାନି, ବୀମା ଦେବାକୁ ମନା କରିଦେଲା ।  କମ୍ପାନୀର ଯୁକ୍ତି ଥିଲା ଯେ, ଗାଡ଼ିକୁ ସୁରକ୍ଷା ନଦେଇ ଚାଲିଯିବା ଉଚିତ୍ ନଥିଲା। ଏହି ଘଟଣାଟି ୨୦୧୨ ମସିହା ମାର୍ଚ୍ଚ ୮ ତାରିଖରେ ଘଟିଥିଲା ।  ରବିକାନ୍ତ ପାଟିଲ୍ ପରଦିନ ସକାଳେ ନିଜ କାର୍‌କୁ ସମ୍ପୂର୍ଣ୍ଣ ଜଳିଯାଇଥିବାର ଦେଖିବାକୁ ପାଇଥିଲେ। ବୀମା କମ୍ପାନୀ ତାଙ୍କୁ କହିଥିଲା ଯେ, ରାତିସାରା ଗାଡ଼ିକୁ ଛାଡ଼ିବା ଦ୍ୱାରା ପଲିସି ସର୍ତ୍ତର ଉଲ୍ଲଂଘନ ହୋଇଛି । 

ଏହି କାରଣ ଦର୍ଶାଇ କମ୍ପାନୀ ବୀମା ଟଙ୍କା ଦେବାକୁ ମନା କରିଦେଇଥିଲା। ନିଜର ହକ୍ ପାଇଁ ପାଟିଲ୍ ଦୀର୍ଘ ୧୪ ବର୍ଷର ଆଇନଗତ ଲଢ଼େଇ ଲଢ଼ିଥିଲେ। ଶେଷରେ ଉପଭୋକ୍ତା ଆୟୋଗ ବୀମା କମ୍ପାନୀକୁ ୭୦ ଲକ୍ଷ ଟଙ୍କାରୁ ଅଧିକ ବୀମା ରାଶି ସହିତ ସୁଧ ଏବଂ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଜବାବ ପାଇଲା ବୀମା କମ୍ପାନୀ
ଉପଭୋକ୍ତା ଆୟୋଗ ବୀମା କମ୍ପାନୀର ଯୁକ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ବୀମା ପଲିସିରେ ଏପରି କୌଣସି କଠୋର ନିୟମ ନାହିଁ ଯେ, ଖରାପ ହୋଇଯାଇଥିବା ଗାଡ଼ିକୁ ଛାଡ଼ିହେବ ନାହିଁ। ପାଟିଲ୍ ଗାଡ଼ିଟିକୁ ରାସ୍ତାକଡ଼ରେ ସୁରକ୍ଷିତ ଭାବରେ ପାର୍କିଂ କରି, ଲକ୍ କରି ଯଥେଷ୍ଟ ସାବଧାନତା ଅବଲମ୍ବନ କରିଥିଲେ। ଏହା ସହିତ ଗାଡ଼ିକୁ ଛାଡ଼ିବା ଏବଂ ନିଆଁ ଲାଗିବା ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ। ଆୟୋଗ ଏହା ମଧ୍ୟ କହିଛନ୍ତି ଯେ , କେବଳ ଗାଡ଼ି ଜଗିବା ପାଇଁ ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ସୁରକ୍ଷା ସହ ବୁଝାମଣା କରିପାରିବ ନାହିଁ। 

ଅନ୍ୟପଟେ, ବୀମା କମ୍ପାନୀ ରବିକାନ୍ତ ପାଟିଲଙ୍କୁ ଯେଉଁ ମାନସିକ ଯନ୍ତ୍ରଣା ଦେଇଛି, ସେଥିପାଇଁ ଆୟୋଗ ଜରିମାନା ଲଗାଇଛନ୍ତି । ଏବେ କମ୍ପାନୀ ରବିକାନ୍ତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଏବଂ ଆଇନଗତ ଖର୍ଚ୍ଚ ବାବଦକୁ ଅତିରିକ୍ତ ୨୫୦୦୦ ଟଙ୍କା ଦେବ । ମୋଟ କ୍ଷତିପୂରଣ ରାଶି ୭୦.୭୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ବିଳମ୍ବ ହେଉ ପଛେ, ରବିକାନ୍ତ ପାଟିଲଙ୍କୁ ନ୍ୟାୟ ମିଳିଛି ।