ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଆପ) ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇ ନିଜେ ନିଜର ତର୍କ ରଖିବେ। ନିକଟରେ ଦିଲ୍ଲୀର ଏକ କୋର୍ଟ କଥିତ ମଦ ଦୁର୍ନୀତି ସମ୍ପର୍କିତ ଏହି ମାମଲାରେ କେଜରିୱାଲଙ୍କ ସମେତ ସବୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଥିଲେ। ଏହା ପରେ ତଦନ୍ତକାରୀ ସଂସ୍ଥା ଏହି ଆଦେଶକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛି। ଏହିକ୍ରମରେ କେଜରିୱାଲ ଓ ମାମଲାର ପୂର୍ବତନ ଅଭିଯୁକ୍ତମାନେ ଦିଲ୍ଲୀ ହାଇକୋର୍ଟଙ୍କ ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ଇଜଲାସରେ ଏକ ରିକ୍ୟୁଜାଲ ଆବେଦନ ଦାୟର କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି କାଳରେ ନିଜେ କେଜରିୱାଲ କୋର୍ଟରେ ହାଜର ହୋଇ ନିଜର ବକ୍ତବ୍ୟ ରଖିବେ।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ହାଇକୋର୍ଟ ବୁଧବାର ଆପ ଜାତୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ୍ ଜାରି କରିଥିଲେ। ଏହି ନୋଟିସ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ସେହି ଆବେଦନ ଆଧାରରେ ଜାରି ହୋଇଛି ଯେଉଁଥିରେ ଟ୍ରାୟଲ କୋର୍ଟ ଦ୍ୱାରା କେଜରିୱାଲଙ୍କୁ ଖଲାସ କରିବା ଲାଗି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ଏହି ମାମଲା ଇଡି ଦ୍ୱାରା ଜାରି ସମନକୁ ଅଣଦେଖା କରିବା ସମ୍ପର୍କିତ। ଏହାକୁ ପିଏମଏଲଏ ଅନୁସାରେ ପଠାଯାଇଛି। ଏକକ ପୀଠ ଜଜ୍ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଇଡିଙ୍କ ତର୍କ ଉପରେ ବିଚାର କରିବା ପରେ କହିଛନ୍ତି ଯେ କେଜରିୱାଲଙ୍କୁ ପୂର୍ବରୁ ମଧ୍ୟ ନୋଟିସ୍ ଦିଆଯାଇଥିଲା। ହେଲେ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନଥିଲା। ଏହି ଦୃଷ୍ଟିରୁ କୋର୍ଟ ତାଙ୍କୁ ନୂଆ ନୋଟିସ୍ ଜାରି କରିଥିବା ବେଳେ ଟ୍ରାୟଲ କୋର୍ଟଙ୍କ ପୁରା ରେକର୍ଡ ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୨୯ ତାରିଖରେ ହେବ।

ହାଇକୋର୍ଟରେ ଇଡିଙ୍କ ପକ୍ଷରୁ ହାଜର ଓକିଲ ଜୋହେବ ହୁସେନ କୋର୍ଟରେ ତର୍କ ଦେଇଛନ୍ତି ଯେ ଟ୍ରାୟଲ କୋର୍ଟ ଅରବିନ୍ଦ କେଜରିୱାଲଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିବା ଏକ ଗୁରୁତର ତ୍ରୁଟି। ସେ କହିଛନ୍ତି ଯେ ମାମଲା ସମ୍ପର୍କିତ ରେକର୍ଡରେ ଉପଲବ୍ଧ କାଗଜପତ୍ର ସ୍ପଷ୍ଟ ରୂପେ ଦର୍ଶାଉଛି ଯେ ପିଏମଏଲଏ ରେ ଜାରି ସମନ ଆଇନ ଅନୁସାରେ ପଠାଯାଇଥିଲା ଓ ତାକୁ କେଜରିୱାଲ ସ୍ୱୀକାର ମଧ୍ୟ କରିଥିଲେ। ଏହା ଛଡା ସେ ଏହା ବି କହିଛନ୍ତି ଯେ ଯେଉଁ କାଗଜପତ୍ରରେ କୌଣସି ପ୍ରକାରର ବିବାଦ ନାହିଁ ସେସବୁକୁ ଅଲଗା ପ୍ରମାଣିତ କରିବାର ଆବଶ୍ୟକତା ନାହିଁ।