ଭୁବନେଶ୍ଵର: କଲେଜରେ ନିର୍ବାଚନୀ ମାହୋଲ ଆଜି ଶୀର୍ଷରେ ପହଞ୍ଚିଛି। କାରଣ ଆଜି ଥିଲା ହ୍ବାଏ ଆଇ ଷ୍ଟାଣ୍ଡ ଫର ମିଟିଂ ଏବଂ ଆସନ୍ତାକାଲି ଭୋଟିଂ ତଥା ଫଳ ଘୋଷଣା। ତେଣୁ ଆଜି ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଆସିବା ସହିତ ସେମାନେ କାହିଁକି ପ୍ରାର୍ଥୀ ହୋଇଛନ୍ତି ବଖାଣିଥିଲେ। ତେବେ ଦେଖିବାର ଥିଲା ପ୍ରାର୍ଥୀମାନେ ଯେଉଁ ଶୋଭାଯାତ୍ରାରେ ଆସିଥିଲେ ତାହା କୌଣସି ସାଧାଣର ନିର୍ବାଚନର ରାଲିଠାର କମ ନଥିଲା। ଆଉ ଆସନ୍ତାକାଲି ପଡ଼ିବ ଭୋଟ୍।

ମାହୋଲ ଯେମିତି ସାଧାରଣ ନିର୍ବାଚନର। ଦେଖିଲେ ଲାଗୁଛି ଏହା କ୍ୟାମ୍ପସରେ ସୀମିତ ନାହିଁ। ତାଠାରୁ ଆହୁରି ଉର୍ଦ୍ଧ୍ବରେ। ଏମିତି ମାହୋଲ କେବେ ବି ଦେଖାଯାଇନଥିଲା। କଲେଜ ଆଗରେ ବିରାଟ ହୋର୍ଡି କିମ୍ବା କଟଆଉଟ ଆଉ କଲେଜ ଭିତରେ ଦମଦାର ଶୋଭାଯାତ୍ରା। ରମାଦେବୀର ବିରାଟ ଗେଣ୍ଡୁ ହାର। ପୁରୀରେ ବାଜା ବାଇଦର ଆସର। ରାଉରକେଲାରେ ଉଡୁଥିଲା ବ୍ୟାନର। ଜଟଣୀରେ ଜମିଥିଲା ଶୋଭାଯାତ୍ରାର ମାହୋଲ। କୌଣସି ଗୋଟିଏ ଦୁଇଟି କଲେଜ କିମ୍ବା ବିଶ୍ବ ବିଦ୍ୟାଳୟର କଥା ନୁହେଁ ଆଜି ରାଜ୍ୟର ସେ ସବୁ କଲେଜରେ ଦେଖାଦେଇଥିଲା ଏଭଳି କିଛି ଆସର ଯେଉଁଠାରେ ହେଉଥିଲା ନିର୍ବାଚନ। ମୋଟା ମୋଟି କହିଲେ ଆଜି କଲେଜ ନିର୍ବାଚନର ଆସର ଶୀର୍ଷ ଛୁଇଁଛି। କାରଣ ଆଜି ଥିଲା ହ୍ବାଟ ଆଇ ଷ୍ଟାଣ୍ଡଫର ମିଟିଂ।

କଲେଜ ବାହାରେ ଲାଗିଛି ବିରାଟ ବିରାଟ କଟଆଉଟ। ଏବଂ ଶୋଭାଯାତ୍ରାରେ ଯେତେବେଳେ ଆସୁଛନ୍ତି ଛାତ୍ରଛାତ୍ରୀ ଦଳୀୟ ବିଭାଗୀକରଣରେ ଆସିଥିବା ଦେଖାଯାଇଥିଲା। କିଏ ବିଜେପି ସମର୍ଥିତ ଏବିଭିପିରର ପ୍ରାର୍ଥୀ ଥିଲା ଆଉ ସେଥିପାଇଁ ନାରଙ୍ଗୀ ବ୍ୟାନର ନାରଙ୍ଗୀ ବେଲୁନ ବ୍ୟବହାର କରିଥିଲା ଆଉ କିଏ ବିଜୁ ଛାତ୍ରଜନତା ଦଳର ପ୍ରାର୍ଥୀ ହୋଇଥିବାରୁ ଗ୍ରୀନ ଓ ହ୍ବାଇଟ ବ୍ୟାନର ବେଲୁନ ବ୍ୟବହାର କରିଥିଲା। ସେହିପରି କଂଗ୍ରେସ ସମର୍ଥିତ ଏନଏସୟୁଆଇ ପ୍ରାର୍ଥୀମାନେ ମଧ୍ୟ ନିଜ ନିଜ ରଙ୍ଗର ବ୍ୟାନର ଧରି ସମର୍ଥକଙ୍କ ସହିତ ବୈଠକ ସ୍ଥଳକୁ ଆସିଥିଲେ। ଏଥିସହିତ ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।

ଆଜିର ଶୋଭାଯାତ୍ରା ଓ ମିଟିଂରେ କଥା ଶେଷ ହୋଇନଥିଲା। ଏହାପରେ ବିରିୟାନି ଭୋଜିଟିଏ ମଧ୍ୟ ହୋଇଥିଲା। ଯେଉଁମାନେ ଯାହା ସହିତ ଶୋଭାଯାତ୍ରାରେ ଯାଇଥିଲେ ସେମାନଙ୍କ ପାଇଁ ପ୍ରାର୍ଥୀମାନେ ବିରିୟାନୀ ଭୋଜି କରିଥିବା ଦେଖାଯାଇଥିଲା। ହ୍ବାଟ ଆଇ ଷ୍ଟାଣ୍ଡ ଫର ମିଟିଂ ପରେ ଆପାତତଃ କ୍ୟାମ୍ପସରେ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ଭୋଟ ହେବ। ଛାତ୍ରଛାତ୍ରୀ ବ୍ୟାଲଟରେ ନିଜ ପସନ୍ଦର ପ୍ରାର୍ଥୀ ବାଛିବେ। କାଲି ହି ଭୋଟ ଗଣତି ସହିତ ଫଳାଫଳ ଘୋଷଣା କରାଯିବ। ଏଥିସହିତ କଲେଜରେ ୭ ଦିନ ଧରି ଚାଲିଥିବା କୋଳାହଳର ଅନ୍ତ ଘଟିବ।