ପାଟନା: ଦଳ ବିରୋଧୀ କାର୍ଯ୍ୟ ପାଇଁ ଜେଡିୟୁରୁ ବହିଷ୍କାର ହୋଇଥିବା ବିଧାୟକ ଅନନ୍ତ ସିଂହ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ଜେଡିୟୁର ଭବିଷ୍ୟତ ନାହିଁ । ଏହି ଦଳର କୌଣସି ଅସ୍ତିତ୍ବ ନାହିଁ । ଏହା ସହ ସେ, ନୂଆ ଦଳ ଗଠନ କରିବେ ବୋଲି କହିଛନ୍ତି। ଅନନ୍ତ ସିଂହ କହିଛନ୍ତି ଯେ, ‘ମୋର କୌଣସି ପଶ୍ଚାତାପ ନାହିଁ। ଜନସାଧାରଣ ହିଁ ଭଗବାନ ଏବଂ ସେମାନେ ଯାହା ନିଷ୍ପତ୍ତି ନେବେ ତାହା ହିଁ ଶ୍ରେଷ୍ଠ।’

ସେ କହିଛନ୍ତି, ଏହି ଦଳ ସମ୍ପୂର୍ଣ୍ଣ ଭାବରେ ନୀତୀଶ କୁମାରଙ୍କର ଥିଲା ।  ସେ ନିଜେ ସବୁ ନିଷ୍ପତ୍ତି ନେଉଥିଲେ। କିନ୍ତୁ ଏବେ ଦଳରେ ଆଉ ଅଛି କ'ଣ ? ଯେଉଁମାନେ ଆଜି ଦଳ ଚଲାଉଛନ୍ତି, ସେମାନଙ୍କର ଅବଦାନ କ'ଣ ? ଦଳରୁ ମୋତେ ବାହାର କରିଦିଆଯାଇଛି ସତ, କିନ୍ତୁ ଆଗାମୀ ନିର୍ବାଚନରେ ଜେଡିୟୁ ପ୍ରାୟ ୧୦ଟି ଆସନରେ ସମସ୍ୟାର ସାମ୍ନା କରିବ।

ସେ କହିଛନ୍ତି ଯେ, ‘ନୀତୀଶ ଜୀଙ୍କ ସହ ମୋର କୌଣସି ବ୍ୟକ୍ତିଗତ ମତଭେଦ କିମ୍ବା ଶତ୍ରୁତା ନାହିଁ। ଆଗକୁ ମଧ୍ୟ ନୀତୀଶ କୁମାରଙ୍କୁ ସାକ୍ଷାତ କରିବି। ଯେଉଁ ଦଳକୁ ଗଲେ ବି କେବେ ହେଲେ ନୀତୀଶ କୁମାରଙ୍କ ସମାଲୋଚନା କରିବି ନାହିଁ । ’ ଦଳର କିଛି ପ୍ରଭାବଶାଳୀ ଗୋଷ୍ଠୀ ସଂଗଠନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ।ସେହିମାନେ ହିଁ ମୋ ବହିଷ୍କାର ପାଇଁ ଦାୟୀ ବୋଲି ଦାବି କରିଛନ୍ତି  ବାହୁବଳୀ ବିଧାୟକ ଅନନ୍ତ ସିଂହ ।

ମୋକାମାର ବିଧାୟକ ଅନନ୍ତ ସିଂହ ଏବଂ ତାଙ୍କ ପତ୍ନୀ ନୀଲମ ଦେବୀଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଜେଡିୟୁରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଜେଡିୟୁ ରାଜ୍ୟ ସଭାପତି ଉମେଶ କୁଶୱାହା ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେ କହିଥିଲେ ଯେ, ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରିବା, ଶୀର୍ଷ ନେତୃତ୍ୱ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଏବଂ 'ଜନ ସୁରାଜ' ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।

ଜେଡିୟୁ ପକ୍ଷରୁ ଅନନ୍ତ ସିଂହଙ୍କ ପ୍ରାଥମିକ ସଦସ୍ୟତା ରଦ୍ଦ କରାଯାଇଛି । ସମ୍ବିଧାନର ଦଶମ ଅନୁସୂଚୀ ଅଧୀନରେ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପାଇଁ ବିହାର ବିଧାନସଭା ବାଚସ୍ପତିଙ୍କୁ ପତ୍ର ଲେଖାଯାଇଛି। ଅନନ୍ତ ସିଂହଙ୍କୁ ଜେଡିୟୁରୁ ବହିଷ୍କାର କରାଯାଇଥିଲେ ବି, ସେ ଏଥିରେ ଆଦୌ ବିଚଳିତ ନଥିବା ଜଣାପଡ଼ିଛି । ଏପରିକି ସେ ନୂଆ ଦଳ ଗଠନ କରିବା ସହ, ଜେଡିୟୁ ଚ୍ୟାଲେଞ୍ଜ କରିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ।