ନୂଆଦିଲ୍ଲୀ: ଇସ୍ରାଏଲର ସଂସଦୀୟ ନିର୍ବାଚନରେ ରେକର୍ଡ ମତଦାନ । ସକାଳ ପାଖରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୧.୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୧୯୭୩ ପରଠାରୁ ମଧ୍ୟାହ୍ନ ସୁଦ୍ଧା ଏହା ସବୁଠାରୁ ଅଧିକ ମତଦାନ। ୨୦୨୨ ନିର୍ବାଚନରେ ଏହି ସମୟରେ ୨୮.୪ ପ୍ରତିଶତ ମତଦାନ ହୋଇଥିଲା।

୭ ଅକ୍ଟୋବର ୨୦୨୩ରେ ହମାସର ଆକ୍ରମଣ ପରେ ଏହା ପ୍ରଥମ ନିର୍ବାଚନ । ଇସ୍ରାଏଲର ସବୁଠାରୁ ଦୀର୍ଘସମୟ ଧରି ପ୍ରଧାନମନ୍ତ୍ରୀ ଥିବା ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ଏହି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବାକୁ ସ୍ଥିର ହୋଇଛି। କେନ୍ଦ୍ରୀୟ ନିର୍ବାଚନ କମିଟିର କାର୍ଯ୍ୟକାରୀ ମହାନିର୍ଦ୍ଦେଶକ ଡିନ୍ ଲିଭନେ କହିଛନ୍ତି ଯେ, ସମସ୍ତ ମତଦାତା ଭୋଟ ନଦେବା ପର୍ଯ୍ୟନ୍ତ କେନ୍ଦ୍ରଗୁଡ଼ିକ ଖୋଲା ରହିବ।

ଲିକୁଡ୍ ପାର୍ଟିର ବଡ଼ ଅଭିଯୋଗ
ନେତାନ୍ୟାହୁଙ୍କ ଲିକୁଡ୍ ପାର୍ଟି ଆରବ ସମ୍ପ୍ରଦାୟ ବହୁଳ ଅଞ୍ଚଳଗୁଡ଼ିକର ମତଦାନ କେନ୍ଦ୍ରରେ ଅନିୟମିତତା ନେଇ ଅଭିଯୋଗ ଆଣିଛି। ନିଜର ଭୋଟ ଦେବା ପରେ ନେତାନ୍ୟାହୁ ଆରବ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି । 'ନିର୍ବାଚନ ଚୋରି'ର ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଦକ୍ଷିଣ ଇସ୍ରାଏଲରେ ଟଙ୍କା ଥିବା ଲଫାପା ସହ ଆରବ ପାର୍ଟି 'ରାମ୍' ର ତିନିଜଣ ବରିଷ୍ଠ ନେତାଙ୍କୁ ଅଟକ ରଖାଯାଇଛି। 

ଅନ୍ୟପଟେ ଲିକୁଡ୍ ପାର୍ଟିର ମିରି ରେଗେଭ୍ ମଧ୍ୟ ଅଭିଯୋଗ କରିଛନ୍ତି  । ସେ କହିଛନ୍ତି ଯେ, କିଛି ଅଜଣା ଗୋଷ୍ଠୀ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ କେନ୍ଦ୍ରୀୟ ନିର୍ବାଚନ କମିଟି ଏହିସବୁ ଅଭିଯୋଗକୁ ଖଣ୍ଡନ କରିଛି  । ବାଲାଟ ପେପରରେ କୌଣସି ଜାଲିଆତିର ପ୍ରମାଣ ମିଳିନାହିଁ ବୋଲି କହିଛି ନିର୍ବାଚନ କମିଟି ।