ନୂଆଦିଲ୍ଲୀ, ୨୮।୧୦: ଗାଡ଼ିର ନମ୍ବର ପ୍ଲେଟ୍ ପାଇଁ କିଛି ଲୋକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଦିଅନ୍ତି । ଦୁବାଇରେ ଜଣେ ବ୍ୟକ୍ତି ମନପସନ୍ଦର ନମ୍ବର ପ୍ଲେଟ୍ ପାଇଁ ଲକ୍ଷେ-ଦୁଇ ଲକ୍ଷ ନୁହେଁ, ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଖଲିଜ ଟାଇମ୍ସର ରିପୋର୍ଟ ଅନୁସାରେ, କାର୍ ପାଇଁ ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ ହାସଲ ଲାଗି ନିକଟରେ ଦୁବାଇର ହିଲଟନ୍ ଦୁବାଇ ଅଲ୍ ହବତୁର ସିଟିରେ ସଡ଼କ ଓ ପରିବହନ ପ୍ରାଧିକରଣ ତରଫରୁ ନିଲାମ ଆୟୋଜିତ ହୋଇଥିଲା ।

ଏଥିରେ ୬୦ଟି ସ୍ୱତନ୍ତ୍ର ନମ୍ବର ପ୍ଲେଟର ନିଲାମ ହୋଇଥିଲା । ସବୁଠୁ ଖାସ୍ ଓ ବିଳାସପୂର୍ଣ୍ଣ ନମ୍ବର ପ୍ଲେଟ୍ ଲାଗି ମୋଟ୍ ୬୫.୭୨୧ ମିଲିଅନ ଧିରାମ ବୋଲି ଲାଗିଥିଲା । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୭୦ କୋଟିରୁ ଅଧିକ । ‘ସିସି୪୪’ ନମ୍ବର ପ୍ଲେଟ୍ ସବୁଠୁ ମହଙ୍ଗା ୧୭ କୋଟି ଟଙ୍କାରେ ନିଲାମ ହେଲା । ଦୁଇ ଅଙ୍କବିଶିଷ୍ଟ ନମ୍ବର ପ୍ଲେଟ୍ର ଖାସ୍ ଚାହିଦା ଦେଖିବାକୁ ମିଳିଲା । ‘ବିବି୧୮’ ନମ୍ବର ପ୍ଲେଟ୍ ୬.୬୨ ମିଲିଅନ ଧିରାମ, ‘ବିବି୮୦’ ୫.୯ ମିଲିଅନ ଧିରାମରେ ବିକ୍ରି ହେଲା ।

‘ବିବି୧୧୭’ ୧.୦୧୬ ମିଲିଅନ ଧିରାମରେ ବିକ୍ରି ହେଲା । ଅର୍ଥାତ୍ ଏକାଧିକ ନମ୍ବର ପ୍ଲେଟ୍ ୧୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା । ନିଲାମରେ ଭାଗ ନେଇଥିବା ଲୋକଙ୍କୁ ୨୫ ହଜାର ଧିରାମ ସିକ୍ୟୁରିଟି ଜମା କରିବା ସହିତ କିଛି ଶୁଳ୍କ ଦେବାକୁ ପଡ଼ିଥିଲା । ପ୍ରତି ବର୍ଷ ଦୁବାଇରେ ଏହି ନିଲାମ ଆୟୋଜିତ ହୁଏ । ଏଥିରେ ଲୋକେ ନିଜ କାର୍ ନମ୍ବର ପ୍ଲେଟ୍ ବିକ୍ରି କରନ୍ତି ଏବଂ ଅନେକ ଲୋକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଳାସପୂର୍ଣ୍ଣ ନମ୍ବର କିଣନ୍ତି । ଏହା ଥିଲା ଦୁବାଇର ୧୨୧ତମ ନମ୍ବର ପ୍ଲେଟ୍ ନିଲାମ ।