ନୂଆଦିଲ୍ଲୀ: ଭୋପାଳର ତ୍ୱିଶା ଶର୍ମା ଏବଂ ନୋଏଡାର ଦୀପିକା ନାଗରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଦୁଇ ଯୁବତୀଙ୍କ ମୃତ୍ୟୁ ପରେ ଯୌତୁକ ନିର୍ଯାତନା ଏବଂ ବିବାହିତ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଏକ ବଡ଼ ପୋଷ୍ଟ ଶେୟାର କରି ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ଯୁବତୀମାନଙ୍କୁ କ୍ୟାରିୟର ଏବଂ ଆତ୍ମନିର୍ଭରଶୀଳତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏବଂ ଭାରତୀୟ ସମାଜକୁ ସେ ତୀବ୍ର ନିନ୍ଦା କରିଛନ୍ତି।

ଭାରତୀୟ ସମାଜ ଉପରେ ବର୍ଷିଲେ କଙ୍ଗନା

କଙ୍ଗନା ରାଣାୱତ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, "ପ୍ରତିଦିନ ବିବାହିତ ଯୁବତୀମାନଙ୍କୁ ନେଇ ଅନେକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହି ଶିକ୍ଷିତ ଯୁବତୀମାନଙ୍କ ମଧ୍ୟରୁ ଅନେକ କୌଣସି ଅଘଟଣ ଘଟିବା ପୂର୍ବରୁ ନିଜ ପରିବାର ଓ ବାପାମାଆଙ୍କୁ ସେହି ଅଣନିଶ୍ୱାସୀ ପରିସ୍ଥିତିରୁ ବାହାର କରିବା ପାଇଁ ଗୁହାରି କରିଥାନ୍ତି। କିନ୍ତୁ ଭାରତୀୟ ସମାଜ ଏଥିପାଇଁ ବଦନାମ ଯେ, ଝିଅମାନଙ୍କ ବିବାହ ହୋଇଯିବା ପରେ ସେମାନଙ୍କୁ ଏକା ବା ଅସହାୟ ଛାଡ଼ି ଦିଆଯାଏ।"

ଯୁବତୀମାନଙ୍କୁ କଙ୍ଗନାଙ୍କ ପରାମର୍ଶ:

କଙ୍ଗନା ଯୁବତୀମାନଙ୍କୁ ସଚେତନ କରି ଲେଖିଛନ୍ତି, "ମୁଁ ଆଜିର ଯୁବତୀମାନଙ୍କୁ ଏଭଳି ଏକ ପରାମର୍ଶ ଦେଉଛି, ଯାହା ସୋସିଆଲ ମିଡିଆ, ଫ୍ୟାଶନ, ଡେଟିଂ, ୱେଡିଂ କିମ୍ବା ମେକଅପ୍ ଇଣ୍ଡଷ୍ଟ୍ରି ଆପଣଙ୍କୁ କେବେ କହିବେ ନାହିଁ। ଆପଣଙ୍କ ଜୀବନରେ ଅନ୍ୟ କାହା ଅପେକ୍ଷା ଆପଣଙ୍କ କ୍ୟାରିୟର ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆତ୍ମନିର୍ଭରଶୀଳ ହେବା ପରେ ହିଁ ବିବାହ ବିଷୟରେ ଚିନ୍ତା କରନ୍ତୁ। ଦୟାକରି ଆପଣଙ୍କୁ ନିଜର ହିରୋ ନିଜେ ହେବାକୁ ପଡ଼ିବ, ଆପଣଙ୍କୁ ବଞ୍ଚାଇବା ପାଇଁ କେହି ଆସିବେ ନାହିଁ। ଆପଣ ଜୀବନରେ କଣ କରୁଛନ୍ତି ଏବଂ ଆପଣଙ୍କ ପରିଚୟ କଣ, ତାହା ଆପଣ କାହାକୁ ବିବାହ କରୁଛନ୍ତି ସେଥିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ନିଜ ଇଚ୍ଛା ମୁତାବକ ଜୀବନ ଗଢ଼ନ୍ତୁ ଏବଂ କାହା କଥା ଶୁଣନ୍ତୁ ନାହିଁ।"

Also Read- କେନାଲରୁ ପଞ୍ଜାବୀ ଗାୟିକାଙ୍କ ମୃତଦେହ ଉଦ୍ଧାର, ୬ ଦିନ ତଳେ ହୋଇଥିଲେ ଅପହରଣ

ତ୍ୱିଶା ଶର୍ମା ମୃତ୍ୟୁ ଘଟଣା

ପୋଲିସ ସୂଚନା ଅନୁଯାୟୀ, ମୃତ୍ୟୁ ବେଳକୁ ୩୩ ବର୍ଷୀୟା ତ୍ୱିଶା ପ୍ରାୟ ଦୁଇ ମାସର ଗର୍ଭବତୀ ଥିଲେ। ପ୍ରାୟ ଏକ ବର୍ଷ ପୂର୍ବେ ଭୋପାଳର ଓକିଲ ସମର୍ଥ ଶର୍ମାଙ୍କ ସହ ତାଙ୍କର ବିବାହ ହୋଇଥିଲା। ତ୍ୱିଶାଙ୍କ ଶ୍ୱଶୁର ଜଣେ ଅବସରପ୍ରାପ୍ତ ବିଚାରପତି ଏବଂ ଶାଶୂ ମଧ୍ୟ ପୂର୍ବତନ ନ୍ୟାୟିକ ଅଧିକାରୀ।

ଘଟଣା ପରେ ନୋଏଡାରୁ ଭୋପାଳରେ ପହଞ୍ଚିଥିବା ତ୍ୱିଶାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ବିବାହ ପରଠାରୁ ହିଁ ସେ ଶାରିରୀକ ଓ ମାନସିକ ନିର୍ଯାତନାର ସମ୍ମୁଖୀନ ହେଉଥିଲେ। ଭାରତୀୟ ସେନାରେ ମେଜର ଥିବା ତାଙ୍କ ଭାଇ ହର୍ଷିତ ଶର୍ମା ଦାବି କରିଛନ୍ତି ଯେ, ମୃତ୍ୟୁର କିଛି ସମୟ ପୂର୍ବରୁ ତ୍ୱିଶା ତାଙ୍କୁ ଫୋନ୍ କରି ନିଜ ଉପରେ ଥିବା ମାନସିକ ଚାପ ବିଷୟରେ କହିଥିଲେ।

ପରିବାର ଲୋକଙ୍କ କହିବା ଅନୁସାରେ, ସ୍ୱାମୀଙ୍କ ସହ ଭୋପାଳରେ ରହିବା ପାଇଁ ତ୍ୱିଶା ବିବାହ ପରେ ଚାକିରି ଛାଡ଼ି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ତାଙ୍କୁ ପୁଣି ଚାକିରି କରିବା ପାଇଁ ଚାପ ପକାଇଥିଲେ, ଯାହାକୁ ନେଇ ସେମାନଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା ଏବଂ ସେ ଗଭୀର ମାନସିକ ଚାପରେ ଥିଲେ। ପୋଲିସ ଏହି ମାମଲାରେ ୬ ଜଣିଆ ଏସଆଇଟି (SIT) ଗଠନ କରି ତଦନ୍ତ ଚଳାଇଛି।

ଦୀପିକା ନାଗର ମୃତ୍ୟୁ ମାମଲା

ଅନ୍ୟ ଏକ ଘଟଣାରେ, ଗ୍ରେଟର ନୋଏଡାରେ ୨୪ ବର୍ଷୀୟା ବିବାହିତ ମହିଳା ଦୀପିକା ନାଗର ନିଜ ଘର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମାତ୍ର ଦେଢ଼ ମାସ ପୂର୍ବରୁ ଜଲପୁରା ନିବାସୀ ହ୍ରିତିକଙ୍କ ସହ ତାଙ୍କର ବିବାହ ହୋଇଥିଲା। ଦୀପିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ବିବାହରେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଯୌତୁକ ପାଇଁ ତାଙ୍କୁ କ୍ରମାଗତ ଭାବେ ନିର୍ଯାତନା ଦିଆଯାଉଥିଲା ଏବଂ ମାରପିଟ୍ କରାଯାଉଥିଲା।