ନୂଆଦିଲ୍ଲୀ: ସରକାର ସବୁ ଅଣ ଅନୁସୂଚିତ କ୍ୟାନସର ଔଷଧର ଟ୍ରେଡ ମାର୍ଜିନକୁ ଅଧିକତମ ଖୁଚୁରା ମୂଲ୍ୟ (ଏମଆରପି)ର ୩୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ମହଙ୍ଗା କ୍ୟାନସର ଔଷଧ କିଣୁଥିବା ରୋଗୀଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ୧୧୦ ପ୍ରକାର କ୍ୟାନସର ରୋଧୀ ଔଷଧ ଦର ହ୍ରାସ ହେବାର ସମ୍ଭାବନା ରହିଛି। ଏଥିରେ ୩୫ଟି ପେଟେଣ୍ଟ ଔଷଧ ମଧ୍ୟ ରହିଛି। ଗଣମାଧ୍ୟମ ସୂତ୍ର ଅନୁସାରେ ଏହି ନିଷ୍ପତ୍ତି ଦ୍ୱାରା ଔଷଧ ମୂଲ୍ୟରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ।

ସରକାରୀ ସୂତ୍ର ଅନୁସାରେ ଏହି ସୀମା ବ୍ରାଣ୍ଡେଡ ଓ ଜେନେରିକ, ଦେଶୀୟ ତଥା ବିଦେଶରୁ ଆମଦାନୀ ହେଉଥିବା, ପେଟେଣ୍ଟ ଓ ବିନା ପେଟେଣ୍ଟ ଔଷଧ ଉପରେ ଲାଗୁ ହେବ। ସରକାରଙ୍କ ଉଦ୍ଦେଶ୍ୟ ହେଉଛି କ୍ୟାନସରର ଜୀବନ ରକ୍ଷକ ଔଷଧ ମୂଲ୍ୟରେ ବେପାର ସ୍ତରରେ ହେଉଥିବା ଅତ୍ୟଧିକ ବୃଦ୍ଧି ରୋକ ଲଗାଇବା ଓ ତାକୁ ରୋଗୀଙ୍କ ଲାଗି ଆଧିକ ଶସ୍ତା କରିବା। ସେହିପରି ବଜାରରେ ଔଷଧର ଉପଲବ୍ଧତା ଉପରେ ମଧ୍ୟ ଜୋର ଦିଆଯିବ। ସରକାର ଏହି ନିଷ୍ପତ୍ତିକୁ ଚଳିତମାସ ଶେଷ ସୁଦ୍ଧା ଦେଶରେ ଲାଗୁ କରିପାରନ୍ତି।

ସୂତ୍ର ଅନୁସାରେ ଟ୍ରେଡ ମାର୍ଜିନ ରେସନାଲାଇଜେସନ (ଟିଏମଆର)ର ମୁଖ୍ୟ ଉଦ୍ଦେଶ୍ୟ ଭୁଲ ଉପାୟରେ ଔଷଧ ବିକ୍ରି ପ୍ରଥାକୁ ରୋକିବା। ପ୍ରାୟ ଦେଖା ଯାଏ ବ୍ୟବସାୟୀ ସେହି ଔଷଧ ବିକ୍ରିକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ଯେଉଁଥିରେ ଅଧିକ ମାର୍ଜିନ ମିଳେ। ଏଥିରେ କ୍ୟାନସର ଔଷଧ ମହଙ୍ଗା ହୋଇଥିବାରୁ ତାହା ଉପରେ ଟ୍ରେଡ ମାର୍ଜିନ ସୀମା ନିର୍ଦ୍ଧାରଣ କରିବା ଜରୁରି ଥିଲା। ଏହି ପଦକ୍ଷେପ ଯୋଗୁ କ୍ୟାନସର ରୋଗୀଙ୍କ ବାର୍ଷିକ ୨୫୦ କୋଟି ଟଙ୍କା ସଞ୍ଚୟ ହେବ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଗତମାସରେ କ୍ୟାନସର ଔଷଧର ଅତ୍ୟଧିକ ମୂଲ୍ୟ ଯୋଗୁ ଉଦବେଗ ପ୍ରକାଶ କରିଥିଲେ। ସବୁ ଔଷଧ ଉପରେ ଏକ ପ୍ରକାରର ୧୬ ପ୍ରତିଶତ ମାର୍ଜିନ ଲାଗି ଓକିଲାତି କରି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ବେଞ୍ଚ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏହା ଖୋଲା ଲୁଟ ବୋଲି କହିଥିଲେ। ସେ କହିଥିଲେ ଯେ କ୍ୟାନସର ଔଷଧ ରାସ୍ତାକଡ ଔଷଧ ବିକ୍ରେତାଙ୍କୁ ୨,୭୦୦ ଟଙ୍କାରେ ସପ୍ଲାଇ କରାଯାଉଛି, ତଥାପି ଏହାର ଏମଆରପି ୨୭,୦୦୦ ଟଙ୍କା!