ଭୁବନେଶ୍ବର : ଆମେ ପ୍ରତିଦିନ କୌଣସି ନା କୌଣସି କାମ ପାଇଁ ପେନ୍ ବ୍ୟବହାର କରିଥାଉ । ମୁଖ୍ୟତଃ ଛାତ୍ରଛାତ୍ରୀମାନଙ୍କ ଜୀବନରେ ଏହା ଅତ୍ୟନ୍ତ ଜରୁରୀ ସାମଗ୍ରୀ । ତେବେ ପେନ୍ର କ୍ୟାପ୍କୁ ଅନେକ ଥର ଆମେ ସମସ୍ତେ କାମ ଥିଲେ ଖୋଲୁ ଓ ପରେ ବନ୍ଦ କରୁ। କିନ୍ତୁ କେବେ ଧ୍ୟାନ ଦେଇଛନ୍ତି କି, ପେନ୍ର କ୍ୟାପ୍ର ଉପରେ ଏକ ଛୋଟ ଛିଦ୍ର କାହିଁକି ଥାଏ ? ଏହି ଛିଦ୍ର କେବଳ ଡିଜାଇନ୍ ପାଇଁ ନୁହେଁ, ବରଂ ଏହା ପଛରେ ରହିଛି ଏକ ଜୀବନ ରକ୍ଷାକାରୀ ବ୍ୟବସ୍ଥା । 

ପ୍ରଥମ କଥା ହେଲା, ଏହା ଶ୍ବାସରୁଦ୍ଧ ହେବାରୁ ରକ୍ଷା କରିଥାଏ । ବିଶେଷ କରି ଛୋଟ ପିଲାମାନେ, ଅନେକ ସମୟରେ ବଡ଼ମାନେ ମଧ୍ୟ ପଢ଼ିବା ଅଥବା ଲେଖିବା ସମୟରେ ପେନ୍ର କ୍ୟାପ୍କୁ ପାଟିରେ ପୂରାଇଥାନ୍ତି । ଯଦି ଭୁଲ୍ବଶତଃ କେହି ପେନ୍ର କ୍ୟାପ୍କୁ ଗିଳିଦିଅନ୍ତି କିମ୍ବା କ୍ୟାପ୍ଟି ଶ୍ୱାସନଳୀରେ ଅଟକିଯାଏ, ତେବେ ଶ୍ୱାସ ନେବା କଷ୍ଟକର ହୋଇପାରେ। ଆଉ ସେବେ କ୍ୟାପ୍ରେ ଥିବା ଏହି ଛୋଟ ଛିଦ୍ର ଏପରି ପରିସ୍ଥିତିରେ କିଛି ପରିମାଣରେ ବାୟୁ ଯାତାୟାତର ସୁଯୋଗ ଦେଇପାରେ। ଅର୍ଥାତ୍, ଛିଦ୍ରଟି ଜୀବନରକ୍ଷାକାରୀ ଡିଜାଇନ୍ର ଏକ ଅଂଶ ହୋଇପାରେ।

ବିଶେଷକରି ଛୋଟ ପିଲାମାନେ ପେନ୍ର କ୍ୟାପ୍କୁ ମୁହଁରେ ନେବାର ସମ୍ଭାବନା ଥିବାରୁ ଏହି ଡିଜାଇନ୍କୁ ଅଧିକ ଗୁରୁତ୍ୱ ଦିଆଯାଏ। ତେବେ ଏହାର ଆଉ ଏକ କାରଣ ମଧ୍ୟ ରହିଛି। କ୍ୟାପ୍ରେ ଛୋଟ ଛିଦ୍ର ନଥିଲେ ବାୟୁ ଚଳାଚଳ ସମ୍ପୂର୍ଣ ବନ୍ଦ ହୋଇ ସମ୍ପୃକ୍ତ ବ୍ୟକ୍ତିଜଣକ ଶ୍ଵାସରୁଦ୍ଧ ହେବାର ଆଶଙ୍କା ରହିଛି। ତେବେ ଏହି ଛିଦ୍ର ଯୋଗୁଁ ଗଳାରେ ଫସିବା ପରେ ମଧ୍ୟ ଅଳ୍ପ ପରିମାଣରେ ଅମ୍ଳଜାନ ଶରୀର ଭିତରକୁ ଯାଇପାରେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇପାରେ । ଏହି ବିପଦକୁ ଦୃଷ୍ଟିରେ ରଖି ବିଶ୍ବ ସ୍ତରରେ ଅର୍ଗାନାଇଜେସନ୍ ଫର୍ ଷ୍ଟାଣ୍ଡାର୍ଡାଇଜେସନ୍ ବା ଆଇଏସଓ ୧୧୫୪୦:୨୦୨୧ ସୁରକ୍ଷା ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ, ୧୪ ବର୍ଷରୁ କମ୍ ବୟସର ପିଲାମାନେ ବ୍ୟବହାର କରୁଥିବା ପେନ୍ର କ୍ୟାପ୍ରେ ଏହି ଛିଦ୍ର ରହିବା ବାଧ୍ୟତାମୂଳକ | ଯଦି ଏହି ଛିଦ୍ର ନଥାନ୍ତା, ତେବେ କ୍ୟାପ୍ ବନ୍ଦ କରିବା ସମୟରେ ସୃଷ୍ଟି ହେଉଥିବା ଚାପ ଯୋଗୁଁ ପେନ୍ରୁ କାଳି ବାହାରିଯିବାର ଆଶଙ୍କା ବି ରହିଛି। ତେଣୁ, ଏକ ସାଧାରଣ ଦେଖାଯାଉଥିବା ପେନ୍ କ୍ୟାପ୍ର ଛୋଟିଆ ଛିଦ୍ର ପ୍ରକୃତରେ ସୁରକ୍ଷା ଓ ବିଜ୍ଞାନର ଏକ ଅଦ୍ଭୁତ ନିଦର୍ଶନ। କ୍ୟାପ୍ରେ ଛିଦ୍ର ରହିଲେ ଭିତରେ ଜମିଥିବା ବାୟୁର ଚାପ ସନ୍ତୁଳିତ ରହିପାରେ ଏବଂ କ୍ୟାପ୍କୁ ପେନ୍ରେ ଲଗାଇବା କିମ୍ବା ବାହାର କରିବା ସହଜ ହୁଏ।