ନୂଆଦିଲ୍ଲୀ: ସାଉଦୀ ଆରବ ରାଜଧାନୀ ରିୟାଦରେ ପରିବର୍ତ୍ତିତ ସୁରକ୍ଷା ସ୍ଥିତି ମଧ୍ୟରେ ଭାରତରୁ ଯାତାୟାତ କରୁଥିବା ଉଡାଣ ପ୍ରଭାବିତ ହୋଇଛି। ଦିଲ୍ଲୀରୁ ରିୟାଦ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଗୁରୁବାର ଅଧବାଟରୁ ଦିଲ୍ଲୀ ଫେରି ଆସିଛି। ସେହିପରି ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଅକାସା ଏୟାର ରିୟାଦ ସମ୍ପର୍କିତ କିଛି ଉଡାଣ ନିଲମ୍ବିତ ଅଥବା ବାତିଲ କରିଦେଇଛନ୍ତି। ଫ୍ଲାଇଟ ଟ୍ରାକିଂ ଡାଟା ଅନୁସାରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ୨୨୪୩ ଗୁରୁବାର ମଧ୍ୟାହ୍ନରେ ଦିଲ୍ଲୀରୁ ରିୟାଦ ଅଭିମୁଖେ ଉଡାଣ କରିଥିଲା। ପାଖାପାଖି ୨ ଘଣ୍ଟା ଯାତ୍ରା କରିବା ପରେ ପୁଣି ଦିଲ୍ଲୀ ଫେରି ଆସିଛି। ବିମାନଟି ସନ୍ଧ୍ୟା ପାଖାପାଖି ୬ଟା ୪୫ ମିନିଟ୍ ରେ ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରିଛି।

ଏହି ଘଟଣା ଏପରି ସମୟରେ ହୋଇଛି ଯେତେବେଳେ ରିୟାଦ ଏୟାରପୋର୍ଟ ଉପରେ ହୁତୀ ଆକ୍ରମଣର ଖବର ଆସିଲା। ତେବେ ଏହି କଥିତ ଆକ୍ରମଣ ନେଇ ସ୍ୱତନ୍ତ୍ର ରୂପେ ପୁଷ୍ଟି କରାଯାଇ ନାହିଁ। ରିୟାଦସ୍ଥିତ କିଙ୍ଗ ଖାଲିଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଯାତ୍ରୀଙ୍କୁ କ୍ଷେତ୍ରିୟ ଘଟଣାକ୍ରମ ଓ ଏୟାରସ୍ପେସ୍ ସମ୍ପର୍କିତ କଟକଣା ନେଇ ଉଡାଣ ପରିବର୍ତ୍ତନ ନିମନ୍ତେ ଚେତାବନୀ ଦେଇଛି। ଏୟାରପୋର୍ଟ କହିଛି ଯେ କିଛି ଉଡାଣ ବିଳମ୍ବ ହୋଇପାରେ ଅଥବା ସମୟ ବଦଳା ଯାଇପାରେ। ଆବଶ୍ୟକତା ପଡିଲେ ଉଡାଣ ରଦ୍ଦ ମଧ୍ୟ ହେବ। ଏଣୁ ଯାତ୍ରୀଙ୍କୁ ଏୟାରପୋର୍ଟ ବାହାରିବା ପୂର୍ବରୁ ନିଜ ଫ୍ଲାଇଟ୍ ଷ୍ଟାଟସ୍ ଚେକ୍ କରି ବାହାରିବାକୁ କୁହାଯାଇଛି।

ସୂତ୍ର ଅନୁସାରେ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବେ ରିୟାଦକୁ ଯାତାୟାତ କରୁଥିବା ନିଜ ଉଡାଣ ନିଲମ୍ବିତ କରିଛନ୍ତି। ତେବେ ଏୟାର ଇଣ୍ଡିଆ ପକ୍ଷରୁ ଏ ପର୍ଯ୍ୟନ୍ତ ନିଲମ୍ବନକୁ ନେଇ କୌଣସି ଅଧିକାରୀକ ବୟାନ ଜାରି କରି ନାହିଁ। ଏଥି ମଧ୍ୟରେ ଅକାସା ଏୟାର ଗୁରୁବାର କୋଚ୍ଚି-ରିୟାଦ ଓ ରିୟାଦ କୋଚ୍ଚି ଉଡାଣ ବାତିଲ କରିଦେଇଛି। ଅକାସା ଏୟାର ଗୁରୁବାର ସନ୍ଧ୍ୟା ପାଖାପାଖି ୬ଟା ବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚିତ କରିଛି ଯେ ରିୟାଦର ପରିବର୍ତ୍ତିତ ସୁରକ୍ଷା ପରିସ୍ଥିତିକୁ ନେଇ କୋଚ୍ଚିରୁ ରିୟାଦ ଯାଉଥିବା କ୍ୟୁପି ୫୨୩ ଓ ରିୟାଦରୁ କୋଚ୍ଚି ଆସୁଥିବା କ୍ୟୁପି ୫୨୪ର ଉଡାଣ ବାତିଲ ହୋଇଛି। ଏୟାର ଲାଇନ୍ସ ଯାତ୍ରୀଙ୍କୁ ଟିକେଟ୍ ପଇସା ଫେରସ୍ତ ନେବାକୁ ଅଥବା ବିନା ଅତିରିକ୍ତ ଶୁଳ୍କରେ ଯାତ୍ରା ପୁନନିର୍ଦ୍ଧାରିତ କରିବାକୁ ବିକଳ୍ପ ଦେଇଛି।