କଟକ: କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସୁରାକ । ମୃତ ମହିଳାଙ୍କ ହାତରେ ରହିଛି ଏକ ଟାଟୁ । ଯେଉଁଥିରେ ଲେଖାଅଛି ଅଭିନାଶ/ ଗୌରୀ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରି । ଏମିତିରେ ମହିଳା ଜଣକ ବିବାହିତ ଏବଂ କୌଣସି ଚିକିତ୍ସା ପାଇଁ କଟକ ଆସିଥିବା ସନ୍ଦେହ କରୁଛି ପୋଲିସ ।

ଆହୁରି ମଧ୍ୟ ପ୍ରାଥମିକ ତଦନ୍ତରୁ ଦୁଷ୍କର୍ମ ହୋଇଥିବା ନେଇ ପ୍ରମାଣ ମିଳିନଥିବା କହିଛନ୍ତି ଡିସିପି । ତେବେ ଏହି ନାଁ ତଥା ମୃତ ମହିଳାଙ୍କ ବିଷୟରେ ଜାଣିଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଥାନାରେ ସୂଚନା ଦେବାକୁ ଅପିଲ ଡିସିପି କହିଛନ୍ତି । ତେବେ ସୂଚନା ଦାତା ଚାହିଁଲେ ଡିସିପିଙ୍କ ମୋବାଇଲ ନମ୍ବରରେ ୮୨୮୦୩୩୮୩୦୩ ନମ୍ବରରେ ଯୋଗାଯୋଗ କରିବାକୁ ଅପିଲ କରିଛନ୍ତି।

Also Read: କାଠଯୋଡ଼ି ନଦୀ କୂଳରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ବଢ଼ିଲା ହତ୍ୟା ସନ୍ଦେହ

ସୂଚନାଥାଉକି, ବୁଧବାର କଟକ ବାଦାମବାଡ଼ି ଥାନା ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀ କୂଳରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି। କାରଣ ମୃତ ଦେହ ପଡ଼ିଥିବା ସ୍ଥାନର ଉପରକୁ ପ୍ରାୟ ୫୦ ମିଟର ଦୂରରେ ଏକ ମସିଣା ପଡ଼ିଛି। ମସିଣା ଉପରେ ଥାଳି ଓ କଡ଼େଇ ପଡିଛି। ପାଖରେ କିଛି ଚୁଟି ପଡ଼ିଛି। ମସିଣାରେ କିଛି ରକ୍ତ ଭିଜା ବ୍ୟାଣ୍ଡେଜ ପଡ଼ିଛି। ସେହିଭଳି ମହିଳାଙ୍କ ମୁହଁକୁ ଧାରୁଆ ଅସ୍ତ୍ରରେ କଟାଯାଇଥିବା ମଧ୍ୟ ଅନୁମାନ କରାଯାଉଛି।