ନୂଆଦିଲ୍ଲୀ: ଏଆଇ କ୍ଷେତ୍ରରେ ଭାରତ ପଛରେ ପଡ଼ିଯାଉଛି, ଅନ୍ୟ ଦେଶମାନେ ଆଗେଇ ଯାଉଛନ୍ତି, ଏହି ଚର୍ଚ୍ଚା ସବୁବେଳେ ହେଉଥିଲା। ହେଲେ ଏବେ ଦୃଶ୍ୟ ବଦଳିଛି। କୃତ୍ରିମ ବୁଦ୍ଧିମତ୍ତା ବା AI କ୍ଷେତ୍ରରେ ଭାରତ ବଡ଼ ସଫଳତା ହାସଲ କରିଛି। ବିଶ୍ୱ ସ୍ତରୀୟ ଏଆଇ ଦୌଡ଼ରେ ଭାରତ ଶୀର୍ଷ-୧୦ ଦେଶ ମଧ୍ୟରେ ସ୍ଥାନ ପାଇଛି। ନିକଟରେ ବିଶ୍ୱ ବ୍ୟାଙ୍କ ଜାରି କରିଥିବା ‘ଇଣ୍ଡିଆ ଆଣ୍ଡ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ: ସିଜିଂ ଦ ଡେଭେଲପମେଣ୍ଟ ଅପର୍ଚୁନିଟି’ ରିପୋର୍ଟ ଅନୁସାରେ, ଭାରତ ଗୋଟିଏ ବର୍ଷରେ AI କ୍ଷେତ୍ରରେ ତିନି ଗୁଣରୁ ଅଧିକ ନିବେଶ ବଢ଼ାଇଛି।

ରିପୋର୍ଟ ଅନୁସାରେ ୨୦୨୪ରେ ଏଆଇରେ ଭାରତର ନିବେଶ ପ୍ରାୟ ୧.୨ ବିଲିୟନ୍ ଡଲାର ଥିବାବେଳେ, ୨୦୨୫ରେ ଏହା ବଢ଼ି ୪.୧ ବିଲିୟନ୍ ଡଲାରରେ ପହଞ୍ଚିଛି। କେବଳ ନିବେଶ ନୁହେଁ, ଭାରତର ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର୍ ବା GCCରେ କାମ କରୁଥିବା ପ୍ରଫେସନାଲ୍ଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଏହି ସଂଖ୍ୟା ୧୯ ଲକ୍ଷରୁ ବଢ଼ି ୨୩.୬ ଲକ୍ଷ ହୋଇଛି।

ଏଆଇରେ ନିବେଶ ବଢ଼ିଛି ହେଲେ ବ୍ୟବହାର କମ ହେଉଛି

AI ପ୍ରସ୍ତୁତିରେ ଯଦିଓ ଭାରତ ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ସ୍ଥାନ ପାଇଛି, ତଥାପି ଦେଶରେ ଏଆଇର ବ୍ୟବହାର ସେମିତି ଆଖି ଦୃଶିଆ ଭାବେ ବଢ଼ିପାରି ନାହିଁ। ଇଣ୍ଟରନେଟ୍ ୟୁଜରଙ୍କ ମଧ୍ୟରେ ଏଆଇର ବ୍ୟବହାର ସୀମିତ ରହିଛି। ୨୦୨୫ ଏପ୍ରିଲ ତଥ୍ୟ ଅନୁସାରେ କେବଳ ୪ ପ୍ରତିଶତ ଭାରତୀୟ ଇଣ୍ଟରନେଟ୍ ୟୁଜର ଚାଟ ଜିପିଟି ବ୍ୟବହାର କରୁଛନ୍ତି। ତେବେ ଏହା ୨୦୨୫ ଏପ୍ରିଲର ତଥ୍ୟ। ହେଲେ ୨୦୨୬ର ଭାରତରେ ଏଆଇର ବ୍ୟବହାର ବଢ଼ୁଥିବାର ଦେଖାଯାଉଛି। ତେଣୁ ପରବର୍ତ୍ତି ଡାଟା ଆସିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

Also Read- ହସ୍ପିଟାଲ୍ କାମ ଏବେ ଫୋନରେ ହେଉଛି, ୫ ଲକ୍ଷ କୋଟି ଟଙ୍କା ଭୁଲ୍ ହାତରେ ପଡ଼ିବାରୁ ବଞ୍ଚିଛି: ମୋବାଇଲ୍ କଂଗ୍ରେସରେ କହିଲେ ମୋଦୀ

ତେବେ ଭାରତ ତୁଳନାରେ ଆମେରିକା ଏବଂ ଦକ୍ଷିଣ କୋରିଆ ଭଳି ଦେଶରେ ଏଆଇର ବହୁଳ ବ୍ୟବହାର ହେଉଛି। ଏଠାରେ ୨୯ % ଇଣ୍ଟରନେଟ୍ ବ୍ୟବହାରକାରୀ ଚାଟଜିପିଟି ବ୍ୟବହାର କରୁଥିବା କହିଛନ୍ତି। ସେହିପରି ବ୍ରାଜିଲ (୧୫ ପ୍ରତିଶତ), ଭିଏତନାମ (୧୪ ପ୍ରତିଶତ) ଏବଂ ମେକ୍ସିକୋ (୧୦ ପ୍ରତିଶତ)ରେ ମଧ୍ୟ ଚାଟଜିପିଟି ବ୍ୟବହାର କରିଥିବା ଜଣାପଡ଼ିଛି।

ଏଆଇର ଚାହିଦା ବଢ଼ୁଛି

ବର୍ତ୍ତମାନ ଭାରତୀୟ ଚାକିରି ବଜାରରେ ଏଆଇର ଚାହିଦା ବଢୁଛି। ନଭେମ୍ବର ୨୦୨୨ରେ ଏଆଇ ସମ୍ପର୍କିତ ମୋଟ ଚାକିରିର ଖାଲି ପଦବୀ ସଂଖ୍ୟା ଥିଲା ୨.୨ ପ୍ରତିଶତ। ଏପ୍ରିଲ ୨୦୨୫ ବେଳକୁ ଏହା ୬ ପ୍ରତିଶତକୁ ବୃଦ୍ଧି ପାଇଛି। ଯଦିଓ ୨୦୨୦-୨୨ ବେଳକୁ ଚାହିଦା କିଛି ମାତ୍ରାରେ ସ୍ଥିର ରହିଥିଲା। ହେଲେ ୨୦୨୩ ପରଠାରୁ ଏଆଇ ସମ୍ପର୍କିତ ଚାକିରିର ଚାହିଦା ହୁ ହୁ ହୋଇ ବଢ଼ିଛି। ତେଣୁ ଏଥିରେ ଭାରତୀୟ କମ୍ପାନୀ ଓ ସଂସ୍ଥାଗୁଡ଼ିକରେ ଏଆଇର ବ୍ୟବହାର ବୃଦ୍ଧିକୁ ସୂଚିତ କରୁଛି। ବର୍ତ୍ତମାନ କମ୍ପାନୀଗୁଡ଼ିକ ଏଆଇ ପ୍ରଫେସନାଲଙ୍କୁ ଖୋଜୁଛନ୍ତି।

ଏଆଇ ଲକ୍ଷ ପୂରଣ ଦିଗରେ ସହଯୋଗ କରୁଛି ନିବେଶ

ସରକାର ତ ଯାହା ନିବେଶ କରୁଛନ୍ତି ତାହା ସତ ହେଲେ ଏଆଇ କ୍ଷେତ୍ରରେ ଭାରତରେ ଘରୋଇ ନିବେଶ ବି ବଢ଼ି ଚାଲିଛି। ୨୦୨୫ରେ ଏଆଇ କ୍ଷେତ୍ରରେ ଭାରତ ୪.୧ ବିଲିୟନ ଆମେରିକୀୟ ଡଲାରର ଘରୋଇ ନିବେଶ ପାଇଥିଲା। ଯାହା ଏଆଇରେ ନିବେଶ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଥିଲା।

ଆମେରିକା, ଚୀନ୍, ୟୁକେ, ଫ୍ରାନ୍ସ ଏବଂ କାନାଡ଼ା ତୁଳନାରେ ଭାରତ ପଛରେ ଷଷ୍ଠ ସ୍ଥାନରେ ରହିଥିଲା। ହେଲେ ଜର୍ମାନୀ, ଇସ୍ରାଏଲ୍ ଏବଂ ଅଷ୍ଟ୍ରେଲିଆ ତୁଳନାରେ ଭାରତ ଆଗରେ ରହିଥିଲା। ୨୫୮.୯ ବିଲିଅନ ଡଲାର ଘରୋଇ ନିବେଶ ସହ ଆମେରିକା ଏ କ୍ଷେତ୍ରର ଶୀର୍ଷରେ ରହିଥିବା ବେଳେ ୧୨.୪ ବିଲିଅନ ଡଲାର ସହ ଚୀନ ଦ୍ୱିତୀୟ ରେହିଥିଲା। ଯଦିଓ ଭାରତ ଏଆଇ ନିବେଶ ତୁଳନାରେ ବିଶ୍ୱର ଅନ୍ୟ ଆଗଧାଡ଼ିର ଦେଶଗୁଡିକ ତୁଳନାରେ ପଛରେ ରହିଥିଲା, ତେବେ ଶ୍ରେଷ୍ଠ ନିବେଶ ସ୍ଥଳ ଭାବେ ଭାରତ ପ୍ରତି ବଢ଼ୁଥିବା ବିଶ୍ୱାସ ନୂଆଦିଲ୍ଲୀକୁ ରେସ୍ରେ କାଏମ ରଖିଛି।