ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ବନ୍ଧୁଙ୍କ ଜନ୍ମଦିନ ପାଇଁ ଏକ ଅଡି କାର ଭଡ଼ାରେ ନେଇଥିଲା ୧୭ ବର୍ଷୀୟ ନାବାଳକ । ରାତିକ ପାଇଁ କାର ଭଡ଼ା ବାବଦକୁ ଦେଇଥିଲା ୧୬ ହଜାର ଟଙ୍କା । ଆଉ ଏହି ଖୁସି ବେଶି ସମୟ ପାଇଁ ରହିନଥିଲା । ବେପରୁଆ ଗାଡ଼ି ଚଳାଇବାରୁ ଜଣେ ନିରୀହ ଲୋକର ଜୀବନ ଚାଲିଯାଇଛି । ନାବଳକଜଣକ ୩ଟି କାରକୁ ଧକ୍କା ଦେବା ପରେ ୪୫ ବର୍ଷୀୟ ଜଣେ ପଥଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା । ନାବାଳକଙ୍କୁ ପୁଲିସ ଅଟକ ରଖିଥିବା ବେଳେ କାର୍‌ଟିକୁ ଜବତ କରିଛି ।

ଅକ୍ଟୋବର ୪ ରାତି ପ୍ରାୟ ୨.୩୦ରେ ଏହି ଦୁର୍ଘଟଣା ଘଟିଥିଲା । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କିଶନଗଡ଼ରେ ଥିବା ଏକ ସିଏନଜି ଷ୍ଟେସନ୍‌ ନିକଟରେ ଅଡି କାରଟି ନିୟନ୍ତ୍ରଣ ହରାଇ ରାସ୍ତାରେ ଅନ୍ୟ ୩ଟି କାରକୁ ଧକ୍କା ଦେଇଥିଲା । ଏହି ସମୟରେ ରାସ୍ତାରେ ଚାଲି ଚାଲି ଯାଉଥିବା ଉମାଶଙ୍କର ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଗାଡ଼ି ଚାପାରେ ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକଙ୍କୁ ଅଟକ ରଖିବା ସହ ଗାଡ଼ି ଜବତ କରିଛି । ତାଙ୍କ ବିରୋଧରେ ବିଏନଏସ୍‌ର ଧାରା ୨୮୧ (ବେପରୁଆ ଗାଡ଼ିଚାଳନା) ଏବଂ ୧୦୬ (୧) ସହ ମୋଟର ଯାନ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି ପୁଲିସ । ତାଙ୍କୁ ଜୁଭେନାଇଲରେ କୋର୍ଟରେ ହାଜର କରାଯାଇଛି ।

ଅନ୍ୟପକ୍ଷରେ, ଭଡ଼ାରେ ଗାଡ଼ି ଦେଇଥିବା ସଂସ୍ଥା ମଧ୍ୟ ପୁଲିସର ତଦନ୍ତ ପରିସରକୁ ଆସିଛି । ଜଣେ ନାବାଳକଙ୍କୁ କିପରି ଗାଡ଼ି ଭଡ଼ାରେ ଦିଆଗଲା ସେନେଇ ଛାନଭିନ କରୁଛି ପୁଲିସ । ଯଦି ଅବହେଳା ସଂପର୍କରେ ଜଣାପଡ଼େ, ତେବେ ପୁଲିସ ଉକ୍ତ ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।