କେନ୍ଦୁଝର ୨୧।୫ : କେନ୍ଦୁଝର ଟାଉନ୍ ଥାନା ନରଣପୁରରେ ତାଣ୍ଡବ ରଚିଲା କାଳବୈଶାଖୀ । ପ୍ରବଳ ବର୍ଷା ଓ ପବନରେ ଭାଙ୍ଗିଲା ଟେଣ୍ଟ । ଟେଣ୍ଟ ତଳେ ଚାପି ହୋଇ ଚାଲିଗଲା ୩ ଜଣଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ହରିଡାଗୋଠ ଠାରେ ଘର ଭାଙ୍ଗି ଜଣେ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଏହା ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ନରଣପୁର ଠାରେ ଥିବା ଏକ ଟେଣ୍ଟ ହାଉସର ଲୁହା ସାମଗ୍ରୀ ଆଦି ଜିନିଷପତ୍ର ଘରର ଭାଡାରେ ଥୁଆ ହୋଇଥିଲା । ତା ତଳେ ୪ ଜଣ ଯୁବକ ଶୋଇଥିଲେ । ଏହି ସମୟରେ କାଳବୈଶାଖୀରେ ଭାଡାଟି ଭାଙ୍ଗି ଯାଇଥିଲା । ଫଳରେ ତଳେ ଶୋଇଥିବା ୪ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

Also Read:- କୁକୁର ଛେଳିକୁ ଆକ୍ରମଣ କରିବାରୁ ମହିଳାଙ୍କୁ ଦଣ୍ଡ, ପଥର ମାଡ଼ରେ ଫାଟିଲା ଦିବ୍ୟାଙ୍ଗ ଝିଅର ମୁଣ୍ଡ

ଖୋଦ୍ ତହସିଲଦାର ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛନ୍ତି ।

ସେପଟେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।