ନୂଆଦିଲ୍ଲୀ ୧୨।୦୪ : ପିସ୍ ଟକ୍ ଫେଲ୍ । ବିଶ୍ୱ ଶାନ୍ତି ଏବଂ ମଧ୍ୟପ୍ରାଚ୍ୟର ସ୍ଥିରତା ପାଇଁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଚାଲିଥିବା ଇରାନ-ଆମେରିକା ଉଚ୍ଚସ୍ତରୀୟ ବୈଠକ ବିଫଳ ହୋଇଛି। ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ୨୧ ଘଣ୍ଟାର ମାରାଥନ ଆଲୋଚନା ପରେ ମଧ୍ୟ କୌଣସି ସହମତି ପ୍ରକାଶ ପାଇପାରି ନାହିଁ। ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ ଏହି ଆଲୋଚନାକୁ ନିଷ୍ଫଳ ବୋଲି ଘୋଷଣା କରିବା ସହ ବିନା କୌଣସି ଚୁକ୍ତିରେ ଆମେରିକା ପ୍ରତିନିଧି ମଣ୍ଡଳୀ ଫେରିଯାଉଥିବା ସୂଚନା ଦେଇଛନ୍ତି।

Also Read:-Islamabad Talks ୩ଟି ପ୍ରସଙ୍ଗରେ ଇରାନ ରାଜି, ଏହି ଜିଦ୍ ମଧ୍ୟ ଛାଡିଲା

ଜେଡି ଭାନ୍ସ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନ ସହ ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ତାଙ୍କ ଟିମ୍ କ୍ରମାଗତ ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମ୍ପର୍କରେ ଥିଲା। ଗତ ୨୧ ଘଣ୍ଟା ମଧ୍ୟରେ ବୋଧହୁଏ ୧୦ରୁ ଅଧିକ ଥର ତାଙ୍କ ସହ କଥାବାର୍ତ୍ତା ହୋଇଛି। ଭାନ୍ସଙ୍କ ଅନୁଯାୟୀ, ଆମେରିକା ପକ୍ଷରୁ ଏକ ସ୍ପଷ୍ଟ ଏବଂ ସିଧାସଳଖ ପ୍ରସ୍ତାବ ଇରାନ ଆଗରେ ରଖାଯାଇଛି। ସେ ଏହାକୁ ଆମେରିକାର 'ଶେଷ ଏବଂ ସର୍ବୋତ୍ତମ ଅଫର୍' ବୋଲି କରିଛନ୍ତି। ଭାନ୍ସ କହିଛନ୍ତି, ଆମେ ଏକ ସ୍ପଷ୍ଟ ପ୍ରସ୍ତାବ ଦେଇଛୁ। ବର୍ତ୍ତମାନ ଏହା ଇରାନ ଉପରେ ନିର୍ଭର କରେ ଯେ ସେ ଏହାକୁ ଗ୍ରହଣ କରୁଛି କି ନାହିଁ। ତେବେ ଏହି ପ୍ରସ୍ତାବରେ ପ୍ରକୃତରେ କେଉଁ ସର୍ତ୍ତ ରହିଛି, ସେ ସମ୍ପର୍କରେ ଉପରାଷ୍ଟ୍ରପତି କୌଣସି ବିସ୍ତୃତ ସୂଚନା ଦେଇ ନାହାନ୍ତି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବା। ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଯଦି ଇରାନ ପରମାଣୁ ଅସ୍ତ୍ର ନିର୍ମାଣ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ନଦିଏ, ତେବେ କୌଣସି ଚୁକ୍ତି ସମ୍ଭବ ନୁହେଁ। କିନ୍ତୁ ଇରାନ ଏହି କଠୋର ସର୍ତ୍ତକୁ ଗ୍ରହଣ କରିବାକୁ ମନା କରିଦେଇଛି।

Also Read:-ହର୍ମୁଜରେ ଫସିଥିଲେ ଓଡ଼ିଆ ଯୁବକ, ୪୦ ଦିନ ପରେ ଫେରିଲେ ଓଡ଼ିଶା

ଅନ୍ୟପଟେ, ବାଣିଜ୍ୟିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ 'ହର୍ମୁଜ ପ୍ରଣାଳୀ' କୁ ନେଇ ଉଭୟ ଦେଶ ମଧ୍ୟରେ ତୀବ୍ର ମତଭେଦ ସୃଷ୍ଟି ହୋଇଛି। ସମୁଦ୍ର ମଧ୍ୟରେ ଖଞ୍ଜା ଯାଇଥିବା ମାଇନ୍ସ ହଟାଇବା ଏବଂ ଜଳପଥର ସୁରକ୍ଷାକୁ ନେଇ ଦୁଇ ଦେଶ ନିଜ ନିଜ ଜିଦ୍ ରେ ଅଟଳ ରହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିଫଳତା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଇରାନକୁ ସାମରିକ ସ୍ତରରେ ଦୁର୍ବଳ କରିସାରିଛି ଏବଂ ଚୁକ୍ତି ନହେବା ଦ୍ୱାରା ଆମେରିକାର କିଛି କ୍ଷତି ହେବ ନାହିଁ। ଏଥିସହିତ ସେ ଚୀନକୁ ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯଦି ଚୀନ୍ ଏହି ସମୟରେ ଇରାନକୁ କୌଣସି ପ୍ରକାର ସାମରିକ ସହାୟତା ପ୍ରଦାନ କରେ, ତେବେ ତାହା ଗ୍ରହଣୀୟ ହେବନାହିଁ। ଏହି ଆଲୋଚନା ବିଫଳ ହେବା ପରେ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ଦେଖାଦେଇଛି। ଲେବାନନରେ ଇସ୍ରାଏଲର କ୍ରମାଗତ ଆକ୍ରମଣ ଯୋଗୁଁ ସେଠାକାର ପ୍ରଧାନମନ୍ତ୍ରୀ ନୱାଫ ସଲାମ ନିଜର ଆମେରିକା ଗସ୍ତକୁ ମଧ୍ୟ ବାତିଲ କରିଦେଇଛନ୍ତି। ଇସଲାମାବାଦରେ ହୋଇଥିବା ଏହି ବୈଠକରୁ ବିଶ୍ୱ ସମୁଦାୟ ଯେଉଁ ଶାନ୍ତିର ଆଶା ରଖିଥିଲା, ତାହା ବର୍ତ୍ତମାନ ପାଇଁ ଧୂଳିସାତ୍ ହୋଇଯାଇଛି। ଆଗାମୀ ଦିନରେ ହର୍ମୁଜ ପ୍ରଣାଳୀରେ ଆମେରିକାର ପଦକ୍ଷେପ ଏବଂ ଇରାନର ପ୍ରତିକ୍ରିୟା ଉପରେ ସମଗ୍ର ବିଶ୍ୱର ନଜର ରହିବ।