ନୂଆଦିଲ୍ଲୀ ୦୮ ।୧୧: ରାମନଗରୀ ଅଯୋଧ୍ୟାରେ ଦୀପୋତ୍ସବକୁ ନେଇ ଦେଖିବାକୁ ମିଳିଛି ଅପୂର୍ବ ଉତ୍ସାହ। ଲକ୍ଷ ଲକ୍ଷ ଦୀପର ଆଲୋକରେ ଝଲସି ଉଠିଛି ପୂରା ରାମନଗରୀ। ଏଥର ସରଜୁ ନଦୀ କୂଳର ୫୬ଟି ଘାଟରେ ଜଳାଯାଇଛି ୩୦ ଲକ୍ଷରୁ ଅଧିକ ଦୀପ। ପାରମ୍ପରିକ ଦୀପ ସାଙ୍ଗକୁ ଆଧୁନିକ ଲେଜର ଶୋ ଓ ଡିଜିଟାଲ୍ ଆଲୋକସଜ୍ଜା ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇ ଦେଇଛି।

୩୦ ଲକ୍ଷରୁ ଅଧିକ ଦୀପର ଆଲୋକରେ ଝଲସିଲା ରାମନଗରୀ

ଦୀପୋତ୍ସବକୁ ଭବ୍ୟ କରିବା ପାଇଁ ସମଗ୍ର ଅଯୋଧ୍ୟାକୁ ପାରମ୍ପରିକ ଦୀପ ସହ ଆଧୁନିକ ଆଲୋକରେ ସଜାଯାଇଛି। ସରଯୂ ନଦୀ କୂଳର ରାମ କୀ ପୈଡ଼ିରେ ୩୦ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳିତ ହୋଇଛି। ଏହି ମନୋରମ ଦୃଶ୍ୟ ଦେଖିବାକୁ ଦେଶର ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଅଯୋଧ୍ୟାରେ ପହଞ୍ଚିଥିଲେ।

ଲେଜର ଶୋ ଦର୍ଶକଙ୍କ ମନ ମୋହିଲା

ଏଥର ଦୀପୋତ୍ସବରେ ପାରମ୍ପରିକତା ସହ ଆଧୁନିକ ଜ୍ଞାନକୌଶଳର ମିଶ୍ରଣ ଦେଖିବାକୁ ମିଳିଛି। ଧର୍ମପଥରେ ୫୦ଟି ଡିଜିଟାଲ୍ ସ୍ତମ୍ଭ ମାଧ୍ୟମରେ ରାମାୟଣର ବିଭିନ୍ନ ପ୍ରସଙ୍ଗ ପ୍ରଦର୍ଶିତ ହୋଇଛି। ଏହା ସହ ଜାତୀୟ ରାଜପଥରୁ ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ୧୨ ଫୁଟ ଉଚ୍ଚତାର ସ୍ତମ୍ଭରେ ଡିଜିଟାଲ୍ ଲାଇଟ୍ ଶୋ ଆୟୋଜନ କରାଯାଇଥିଲା। ରଙ୍ଗବେରଙ୍ଗ ଆଲୋକର ଏହି ଦୃଶ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦୀପୋତ୍ସବ ଅବସରରେ ଉତ୍ତରପ୍ରଦେଶ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ସାକେତ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ଏହି ଶୋଭାଯାତ୍ରା ରାମକଥା ପାର୍କରେ ଶେଷ ହୋଇଥିଲା। ଏଥିରେ ମୋଟ ୨୧ଟି ଆକର୍ଷଣୀୟ ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ରାମଚରିତମାନସର ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ ପ୍ରଭୁ ଶ୍ରୀରାମଙ୍କ ଜୀବନ ଓ ଆଦର୍ଶକୁ ପ୍ରଦର୍ଶିତ କରାଯାଇଥିଲା।