• ଆମେରିକା ସହ ସିଧା ଆଲୋଚନା ଚାହୁଁ ନଥିଲା ଇରାନ
  • ଆଲୋଚନା ଲାଗି ଭାନ୍ସ ଇସ୍ଲାମାବାଦ ଆସିବା ଯୋଗୁ ଇରାନ ନୀତି ପରିବର୍ତ୍ତନ କରିଛି
  • ହ୍ୱାଇଟହାଉସ୍ ରେ ଭାନ୍ସ ଏକମାତ୍ର ବ୍ୟକ୍ତି ଯିଏ ଇରାନ ସହ ଯୁଦ୍ଧ ଚାହାନ୍ତିନି  

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଶନିବାର ଇସ୍ଲାମାବାଦରେ ଅନୁଷ୍ଠିତ କଥାବାର୍ତ୍ତା ଜାରି ରହିଛି। ଇରାନ ଓ ଆମେରିକା ଡେଲିଗେସନ ପାଖାପାଖି ୨ ଘଣ୍ଟା କାଳ ମୁହାଁମୁହିଁ ବାର୍ତ୍ତା କରିଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଇରାନ ଏପର୍ଯ୍ୟନ୍ତ ୩ଟି ପ୍ରସଙ୍ଗରେ ବୁଝାମଣା କରିଛି। ଆଲୋଚନା ପୂର୍ବରୁ ଇରାନର ଦୁଇଟି ସର୍ତ୍ତ ଥିଲା। ତେବେ ଆମେରିକା ଇରାନର ଏହି ସର୍ତ୍ତଗୁଡିକୁ ପୂରଣ କରି ନାହିଁ। ଏହା ସତ୍ତ୍ୱେ ଆଲୋଚନା ଚାଲିଥିବା ବେଳେ ଇରାନ ତୃତୀୟ ପ୍ରସଙ୍ଗରେ ମଧ୍ୟ ବୁଝାମଣା କରିଛି।

ଆମେରିକା ସହିତ କେବେବି ସିଧା ଆଲୋଚନା ନ କରିବାକୁ ଇରାନ ନୀତି ନିର୍ଦ୍ଧାରଣ କରିଥିଲା। ତେବେ ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ଇସ୍ଲାମାବାଦ ପହଞ୍ଚିବା ଯୋଗୁ ତେହେରାନକୁ ଏହି ଜିଦରୁ ପଛକୁ ହଟିବାକୁ ପଡିଛି। ସୂତ୍ରଙ୍କ କହିବା କଥା ହେଉଛି ଇରାନ ଓ ଆମେରିକା ମଧ୍ୟରେ କିଛି ପ୍ରସଙ୍ଗରେ ସହମତି ହୋଇଯାଇପାରେ। କାରଣ ଇରାନ କେବେ ଚାହିଁବନି ଆମେରିକା ଉପରାଷ୍ଟ୍ରପତି ଖାଲି ହାତରେ ଫେରନ୍ତୁ। ସେହିପରି ଯୁଦ୍ଧ ଦ୍ୱିତୀୟବାର ଆରମ୍ଭ ନ ହେଉ ସେ ନେଇ ଇରାନୀ କୋହଳ ମନଭାବ ଆପଣେଇପାରେ।

ଇରାନକୁ ମିଳିପାରେ କିଛି ରିହାତି
ଇରାନ ଜାଣିଛି ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ ହ୍ୱାଇଟ୍ ହାଉସ୍ ରେ ଏକମାତ୍ର ବ୍ୟକ୍ତି ଯିଏ ଯୁଦ୍ଧ ଚାହାନ୍ତିନି। ବଦଳରେ ଇରାନକୁ କିଛି ରିହାତି ବି ମିଳିପାରେ। ଇରାନ ସରକାରୀ ସମ୍ବାଦ ସରବରାହ ସଂସ୍ଥା କହିଛି ଯେ ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ ହ୍ରାସ ଓ ଇରାନର ଅନ୍ୟ ସର୍ତ୍ତ ପୂରଣ କରିବା ପରେ ଆମେରିକା, ଇରାନ ଓ ପାକିସ୍ତାନ ମଧ୍ୟରେ ତ୍ରିପାକ୍ଷୀୟ କଥାବାର୍ତ୍ତା ଆରମ୍ଭ ହୋଇଛି। ଏହି ବୈଠକ ଆମେରିକା ଉପରାଷ୍ଟ୍ରପତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ ସାକ୍ଷାତ ଆଲୋଚନା ପରେ ଆରମ୍ଭ ହୋଇଛି। ସରିଫ ଇରାନ ଡେଲିଗେସନଙ୍କ ସହିତ ମଧ୍ୟ ବୈଠକ କରିଥିଲେ। ଇରାନ ସରକାରୀ ଟେଲିଭିଜନ କହିଛି ଯେ ଡେଲିଗେସନ ସରିଫଙ୍କୁ ନିଜର କେତେକ ପ୍ରସ୍ତାବ ଉପରେ ଦ୍ୱିତୀୟବାର ଗୁରୁତ୍ୱ ଦେଉଥିବା ଜଣାଇଥିଲେ।

ଭାନ୍ସଙ୍କ ଉପରେ ନିର୍ଭ କରୁଛି ସିଜଫାୟାରର ଭବିଷ୍ୟତ
ଏହି ଆଲୋଚନାର ଉଦ୍ଦେଶ୍ୟ ହେଉଛି ଏକ ସମ୍ବେଦନଶୀଳ ସିଜଫାୟାରକୁ ପକ୍କା କରିବା, ଯାହାଦ୍ୱାରା ଯୁଦ୍ଧକୁ ସବୁଦିନ ଲାଗି ସମାପ୍ତ କରିବାର ରାସ୍ତା ସଫା ହୋଇ ପାରିବ। ତେବେ ଆମେରିକା ଉପରାଷ୍ଟ୍ରପତି ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନେ ଯେପରି ଆମେରିକା ସହ ନ ଖେଳନ୍ତି। ଆଲୋଚନା ଆରମ୍ଭର କିଛି ଘଣ୍ଟା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାନ୍ସଙ୍କୁ ‘ଗୁଡଲକ୍’ କହିଥିଲେ। ତେବେ ଟ୍ରମ୍ପ ଏହା ପୂର୍ବରୁ ତାଙ୍କ ଟ୍ରୁଥ ସୋସାଲରେ ଉଲ୍ଲେଖ କରିଥିଲେ ଯେ ‘ଇରାନ ନିକଟରେ ଶାନ୍ତି କଥାବାର୍ତ୍ତା ପାଇଁ କୌଣସି ପ୍ରସଙ୍ଗ ନାହିଁ ଓ ସେମାନେ କେବଳ ଆଜିର କଥାବାର୍ତ୍ତା ପାଇଁ ଜୀବିତ ଅଛନ୍ତି’।