ନୂଆଦିଲ୍ଲୀ, ୮/୧୧ : ଦୀପାବଳି ପୂର୍ବରୁ ହରିୟାଣାର ଫରିଦାବାଦରେ ଘଟିଛି ହୃଦୟବିଦାରକ ଘଟଣା। ଦୁଇଦିନ ତଳେ ସିଙ୍ଗାପୁରରୁ ଫେରିଥିବା ଜଣେ ବ୍ୟକ୍ତିଙ୍କୁ ପଡ଼ୋଶୀ ଗୁଳି କରି ହତ୍ୟା କରିଛନ୍ତି । ପୁତୁରାଙ୍କ ବିବାହରେ ଯୋଗଦେବା ଲାଗି ସେ ସପରିବାର ଆସିଥିଲେ। କିନ୍ତୁ ପଡ଼ୋଶୀଙ୍କ ସହ ଝଗଡ଼ା ଯୋଗୁ ତାଙ୍କ ସଂସାର ଉଜୁଡ଼ି ଯାଇଛି। ତେବେ ଗୁଳି କରିଥିବା ଅଭିଯୁକ୍ତ ମୋନୁ ଶର୍ମାକୁ ପୋଲିସ ଗିରଫ କରିଛି ।

ରିପୋର୍ଟ ଅନୁସାରେ, ଧନତେରସ ରାତିରେ ଫରିଦାବାଦର ସେକ୍ଟର-୨୧ସିରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ମୃତକ ହେଉଛନ୍ତି ପରମଜିତ ଧନଖଡ଼ (୪୨)। ସେ ହିସାରର ମୂଳ ବାସିନ୍ଦା । ସେ ଏକ ବଡ଼ ବହୁଦେଶୀୟ କମ୍ପାନିରେ କାର୍ଯ୍ୟରତ ଥିଲେ। ଏମିତି କି ସେ ଟେକ୍ ମହିନ୍ଦ୍ରାର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ଏସିଆ-ପାସିଫିକ) ବି ରହିଥିଲେ। ଚଳିତମାସ ୨୪ ତାରିଖରେ ହେବାକୁ ଥିବା ପୁତୁରାଙ୍କ ବିବାହରେ ସେ ସାମିଲ ହୋଇଥାନ୍ତେ।

Also Read :- ସୁନ୍ଦରୀଙ୍କ ଦେଶ ତାଲିକାରେ ଋଷ ନମ୍ବର-୧, ଏହା ପଛକୁ କେଉଁ ଦେଶ ରହିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପୁଲିସ ସୂଚନା ମୁତାବକ, ଘଟଣା ଦିନ ମୃତକ ପରମଜିତ ଧନଖଡ଼ ଜିମରୁ ରାତି ପ୍ରାୟ ୮ଟାରୁ ଫେରିଥିଲେ। ସେକ୍ଟର-୨୧ସି ସ୍ଥିତ କୋଠାର ପ୍ରଥମ ମହଲାରେ ସେ ପତ୍ନୀ, ପୁଅ ଏବଂ ଝିଅ ସହ ରହୁଥିଲେ। ସେହି କୋଠାର ତୃତୀୟ ମହଲାରେ ରହୁଥିବା ପଡ଼ୋଶୀ ମୋହନ ଓରଫ ମୋନୁ ଶର୍ମାଙ୍କ ସହ ଗାଡ଼ି ପାର୍କିଂ ନେଇ ତାଙ୍କର ଝଗଡ଼ା ହୋଇଥିଲା । ଏହାପରେ ମୋନୁ ଭୀଷଣ ରାଗିଯାଇ ନିଜ ଲାଇସେନ୍ସ ବନ୍ଧୁକ କାଢ଼ି ୧୫ରୁ ୧୬ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଏଥିରୁ ୮-୯ଟି ଗୁଳି ପରମଜିତଙ୍କ ଦେହରେ ବାଜିଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ବିବାହକୁ ନେଇ ପରିବାରରେ ରହିଥିବା ଉତ୍ସାହ ନିମିଷକେ ମଧ୍ୟରେ ଶୋକରେ ପରିଣତ ହୋଇଥିଲା। 

ଘଟଣା ପରେ ଅଭିଯୁକ୍ତ ମୋନୁ ଶର୍ମା ପରିବାର ସହ ଫେରାର ହୋଇଯାଇଥିଲେ । ତାଙ୍କୁ ଧରିବା ପାଇଁ କ୍ରାଇମ ବ୍ରାଞ୍ଚ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ ତାଙ୍କୁ ଗିରଫ କରାଯାଇଛି। ପରିବାର ଲୋକଙ୍କ ଅନୁସାରେ, ମୋନୁ ଓ ପରମଜିତଙ୍କ ମଧ୍ୟରେ ପୂର୍ବରୁ କୁକୁରକୁ ନେଇ ବିବାଦ ଉପୁଜିଥିଲା । ୫ ଦିନ ତଳେ ଅଭିଯୁକ୍ତ ପରମଜିତଙ୍କ ପୁଅ ସୂର୍ଯ୍ୟଙ୍କୁ ଗାଳିଗୁଲଜ କରିଥିଲେ। ଏହି ସମୟରେ ଅଭିଯୁକ୍ତ ଗେଟ୍ ଭାଙ୍ଗିଥିବା ନେଇ ବି ଅଭିଯୋଗ ସାମ୍ନାକୁ ଆସିଥିଲା। ଘଟଣା ଦିନ ସକାଳେ ବି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରାତିରେ ଗାଡ଼ି ପାର୍କିକୁ ନେଇ ପୁଣି ବିବାଦ ହେବା ପରେ ଅଭିଯୁକ୍ତ ମୋନୁ କ୍ରୋଧ ସମ୍ଭାଳି ନ ପାରି ଗୁଳି ମାଡ଼ କରିଥିଲେ। ପରମଜିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ଇଏସଆଇସି ହସ୍ପିଟାଲ ପଠାଯାଇଛି ।