ନୂଆଦିଲ୍ଲୀ, ୮/୧୧ : ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସୁପର କପ୍ ହୋଇପାରିବ ନାହିଁ । ଏହାର ନଜରକୁ ଆସୁଥିବା ଯେକୌଣସି ମାମଲାର ତଦନ୍ତ ନିଜ ଇଚ୍ଛା ଅନୁସାରେ କରିବାର ଅଧିକାର ଇଡିର ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି। ଏଥିସହ କଂଗ୍ରେସ ବିଧାୟକ କେୱାଇ ନାଞ୍ଜେଗୌଡା ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ଇସିଆଇଆର (ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ) ଏବଂ ଏଥିସହ ଜଡିତ ମାମଲାକୁ ହାଇକୋର୍ଟର ବିଚାରପତି ଏମଆଇ ଅରୁଣଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।

କୋଲର-ଚିକବାଲପୁର ମିଲ୍କ ୟୁନିଅନ (କୋମୁଲ)ରେ କରାଯାଇଥିବା ନିଯୁକ୍ତିରେ ଅନିୟମିତତାକୁ ନେଇ ଇଡି ପକ୍ଷରୁ ରୁଜୁ ମାମଲାକୁ ବିରୋଧ କରି ଆଗତ ୫ଟି ରିଟ୍ ପିଟିସନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ଏଥିସହ ହାଇକୋର୍ଟ ପିଏଏଲଏ ଆଇନ ଅନୁସାରେ ଇଡିର କ୍ଷମତା କେଉଁଠୁ ଆରମ୍ଭ ଓ କେଉଁଠାରେ ଶେଷ ତାହା ଉପରେ ସ୍ପଷ୍ଟ କରିଦେଇଛନ୍ତି । ୨୦୨୩ରେ ନାଞ୍ଜେ ଗୌଡା ମାଲୁର ଲ୍ୟାଣ୍ଡ ଗ୍ରାଣ୍ଟ କମିଟିର ଅଧ୍ଯକ୍ଷ ରହିଥିବା ବେଳେ ୮୦ ଏକର ଜମିକୁ ୩୮ ଜଣଙ୍କୁ ଆବଣ୍ଟନ କରିବାକୁ ସୁପାରିସ କରିଥିବାର ଅଭିଯୋଗ ହୋଇଥିଲା। ୨୦୨୩ ନଭେମ୍ବର ୩୦ରେ ତାଙ୍କ ନାମରେ ଏକ ବ୍ୟକ୍ତିଗତ ଅଭିଯୋଗ ଦାୟର ହୋଇଥିଲା। ଏହି ଅଭିଯୋଗର କୌଣସି ଯାଞ୍ଚ କରାଯାଇ ନଥିଲା।

ପୁଲିସ ମାମଲାକୁ ବନ୍ଦ କରି ଦେଇଥିଲା ବେଳେ ତଳକୋର୍ଟ ମଧ୍ୟ ସରକାରଙ୍କ ଅନୁମୋଦନ ନଥିବା କହି ଖାରଜ କରିଦେଇଥିଲେ। କିନ୍ତୁ ୨୦୨୩ ନଭେମ୍ବର ୩୦ରେ ହୋଇଥିବା ଅଭିଯୋଗକୁ ଆଧାର କରି ଇଡି ଚଢ଼ଉ କରିଥିଲା । ଚଢ଼ଉ ବେଳେ କିଛି ଆପରିଜନକ ଦସ୍ତାବିଜ ମିଳିବା ପରେ ଇଡି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇଡିର ଏଭଳି ପଦକ୍ଷେପକୁ ବିଧାୟକ ଓ ଅନ୍ୟମାନେ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।

Also Read :- ଆଇଜନକୋଟ୍ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ! ସନ୍ଧ୍ୟାରେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବେ ରାଷ୍ଟ୍ରପତି

ବିଚାରପତି ଜଷ୍ଟିସ ଅରୁଣ କହିଛନ୍ତି ପିଏମ୍ ଏଲଏ ଆଇନ ଅନୁସାରେ ଇଡିର ଶକ୍ତି ମୌଳିକ (ଅରିଜିନାଲ) ନୁହେଁ, ବରଂ ବ୍ୟୁତ୍ପନ୍ନ (ଡେରିଭେଟିଲ) । ଏହାର ଅର୍ଥ ଇଡି ସେତେବେଳେ ଯାଞ୍ଚ କରିପାରିବ ଯେତେବେଳେ କୌଣସି ମୂଳ ଅପରାଧ ରହିଥିବ। ଯଦି ଇଡି ନଜରକୁ କୌଣସି ଅପରାଧ ମାମଲା ଆସେ ତେବେ ଇଡି ଅନ୍ୟ ଯାଞ୍ଚ ଏଜେନ୍ସିକୁ ଏହା ଜଣାଇ ତାର ତଦନ୍ତ କରାଇପାରିବ। କିନ୍ତୁ ଯଦି ସମ୍ପୃକ୍ତ ଯାଞ୍ଚ ଏଜେନ୍ସି ତଦନ୍ତ କରିବାକୁ ମନାକରେ ତେବେ ଇଡି ନିଜେ ମାମଲା ରୁଜୁକରି ଏହାର ତଦନ୍ତ କରିପାରିବ ।