ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) ଙ୍କ ସହ ଘଟିଥିବା ଏକ ଅଭାବନୀୟ ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି। ଜ୍ୟାକଲିନଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ଜଣେ ବଡିଗାର୍ଡଙ୍କ ବ୍ୟବହାରକୁ ନେଇ ପ୍ରଶଂସକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି।

ମୁମ୍ବାଇରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜ୍ୟାକଲିନ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ତାଙ୍କର ପ୍ରଶଂସକମାନେ ଅଭିନେତ୍ରୀଙ୍କ ସହ କଥାବାର୍ତ୍ତା କରିବା ଏବଂ ସେଲଫି ଉଠାଇବା ପାଇଁ ଅପେକ୍ଷା କରି ରହିଥିଲେ। ଜ୍ୟାକଲିନ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ ନକରି ସେମାନଙ୍କ ସହ ଫଟୋ ଉଠାଇବା ପାଇଁ ସେଠାରେ ଅଟକି ଯାଇଥିଲେ।

ସେହି ସମୟରେ ତାଙ୍କ ବଡିଗାର୍ଡ ହଠାତ ଜ୍ୟାକଲିନଙ୍କ ହାତ ଧରି ତାଙ୍କୁ ଫଟୋ ଉଠାଇବାରୁ ରୋକିବା ସହ ଷ୍ଟେଜ୍ ଆଡ଼କୁ ଟାଣି ନେବାକୁ ଚେଷ୍ଟା କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ କ୍ଲିପ୍ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।ଭିଡିଓଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ବଡିଗାର୍ଡଙ୍କ ଉପରେ ବହୁତ ବିରକ୍ତ ହୋଇଛନ୍ତି।ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ,ସୁରକ୍ଷା ଦେବା ନାଁରେ ଜଣେ ମହିଳା ଅଭିନେତ୍ରୀଙ୍କ ହାତ ଏଭଳି ଭାବେ ଜୋର ଜବରଦସ୍ତ ଧରିବା ଆଦୌ ଠିକ୍ ନୁହେଁ ।

ସେପଟେ ଜ୍ୟାକଲିନ ଯେଉଁଭଳି ଭାବରେସ୍ଥିତିକୁ ସମ୍ଭାଳିଲେ,ତାହା ସମସ୍ତଙ୍କ ମନ ଜିଣିନେଇଛି। ବଡିଗାର୍ଡ ହାତ ଧରି ଟାଣିବା ସତ୍ତ୍ଵେ ଜ୍ୟାକଲିନ ରାଗିନଥିଲେ,ବରଂ ସେ ବଡିଗାର୍ଡଙ୍କୁ ଅଟକିବା ପାଇଁ ହାତରେ ଇସାରା କରିଥିଲେ। ସେ ସେଠାରେ ରହି ନିଜ ପ୍ରଶଂସକମାନଙ୍କ ସହ ହସିହସି କଥା ହୋଇଥିଲେ ଏବଂ ସେମାନଙ୍କ ସହ ସେଲଫି ପାଇଁ ପୋଜ୍ ଦେଇଥିଲେ। ଜ୍ୟାକଲିନଙ୍କ ଏହି ସ୍ଵଭାବକୁ ସୋସିଆଲ ମିଡିଆରେ ସମସ୍ତେ ପ୍ରଶଂସା କରୁଛନ୍ତି।