ନୂଆଦିଲ୍ଲୀ: ୨୦୨୬ ମସିହା ଆରମ୍ଭରୁ ଦୁନିଆ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିସାରିଛି । ବର୍ଷ ସରିବାକୁ ଆହୁରି ତିନିମାସ ବାକି ଅଛି । କିନ୍ତୁ ଏହି ତିନିମାସ ଆହୁରି ଘାତକ ସାବସ୍ତ୍ୟ ହୋଇପାରେ । ୨୦୨୬ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗରରେ ତିନୋଟି ଟ୍ରପିକାଲ ସାଇକ୍ଲୋନ୍ ସୃଷ୍ଟି ହୋଇପାରେ । ଇସ୍ରୋ ଅନୁଯାୟୀ, ଏହି ବାତ୍ୟାଗୁଡ଼ିକର ମୋଟ ଶକ୍ତି ଅର୍ଥାତ ପାୱାର ଡିସିପେସନ୍ ଇଣ୍ଡେକ୍ସ (PDI) ପ୍ରାୟ ୧.୩୦ କୋଟି ରହିବା ନେଇ ଆକଳନ କରାଯାଇଛି । ଏହା ଗତ ୪୪ ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଗୁଡ଼ିକର ଶକ୍ତି ତୁଳନାରେ ପ୍ରାୟ ୮୩ ପ୍ରତିଶତ ଅଧିକ । ୧୯୮୨-୨୦୨୫ ମଧ୍ୟରେ ହାରାହାରି ପିଡିଆଇ ୭୧ ଲକ୍ଷ ହୋଇଛି । ଅର୍ଥାତ୍ ଏଥର ମୌସୁମୀ-ପରବର୍ତ୍ତୀ ଋତୁରେ ବାତ୍ୟା ସକ୍ରିୟତା ଅଧିକ ରହିପାରେ ।

ଏହି ଆକଳନ ସମୁଦ୍ର ଏବଂ ବାୟୁମଣ୍ଡଳ ସହ ଜଡ଼ିତ ବହୁ ବର୍ଷର ତଥ୍ୟକୁ ଅନୁଧ୍ୟାନ କରି କରାଯାଇଛି । ଏହାଦ୍ୱାରା ଆଗାମୀ ମାସଗୁଡ଼ିକରେ ବାତ୍ୟା ସକ୍ରିୟତା କିପରି ରହିବ, ତାହାର ପୂର୍ବାନୁମାନ କରାଯାଇପାରିବ । ଏହି ଅଧ୍ୟୟନ ବଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକ, ସରକାର ଏବଂ ଉଦ୍ଧାର କାର୍ଯ୍ୟକାରୀ ଟିମ୍‌ଗୁଡ଼ିକୁ ପ୍ରସ୍ତୁତି କରିବାରେ ସମୟ ମିଳିପାରିବ । ତେବେ ଏହାଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ବାତ୍ୟାର ତାରିଖ କିମ୍ବା ସ୍ଥାନ ବିଷୟରେ ସୂଚନା ମିଳିନଥାଏ ।

ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ଟି ସାଇକ୍ଲୋନ୍‌ର ଆକଳନ

ଇସ୍ରୋର ପୂର୍ବାନୁମାନ ଅନୁଯାୟୀ, ୨୦୨୬ର ମୌସୁମୀ ପରବର୍ତ୍ତୀ ଋତୁରେ ଉତ୍ତର ଭାରତୀୟ ମହାସାଗରରେ ତିନୋଟି ବାତ୍ୟା ସୃଷ୍ଟି ହୋଇପାରେ । ପିଡିଆଇ ଦ୍ୱାରା କୌଣସି ସାଇକ୍ଲୋନର ଶକ୍ତି ଆକଳନ କରାଯାଏ । ଏଥିରେ ବାତ୍ୟାର ପବନ କେତେ ବେଗରେ ବହୁଛି ଏବଂ ତାହା କେତେ ସମୟ ପର୍ଯ୍ୟନ୍ତ ଶକ୍ତିଶାଳୀ ହୋଇ ରହୁଛି, ସେସବୁ ଦେଖାଯାଏ । ସରଳ ଭାଷାରେ କହିଲେ, ପିଡିଆଇ ଯେତେ ଅଧିକ ହେବ, ବାତ୍ୟାର ସକ୍ରିୟତା ସେତେ ଅଧିକ ହୋଇପାରେ ।

୪୦ ବର୍ଷର ତଥ୍ୟରୁ କରାଯାଇଛି ଆକଳନ

ଏହି ଆକଳନ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୪୦ ବର୍ଷର ପାଣିପାଗ ଏବଂ ସମୁଦ୍ର ସମ୍ବନ୍ଧୀୟ ତଥ୍ୟକୁ ଯାଞ୍ଚ କରାଯାଇଥିଲା । ଏଥିରେ ବାୟୁମଣ୍ଡଳ ଏବଂ ସମୁଦ୍ରର ବିଭିନ୍ନ ପରିସ୍ଥିତିର ସୂଚନା ସାମିଲ ଥିଲା । ଏହି ତଥ୍ୟରୁ କେଉଁ ପରିସ୍ଥିତିରେ ଅଧିକ ବାତ୍ୟା ସୃଷ୍ଟି ହୋଇପାରେ ଏବଂ ସେଗୁଡ଼ିକର ଶକ୍ତି କିପରି ରହିବ, ତାହା ବୁଝିବାକୁ ଚେଷ୍ଟା କରାଯାଇଥିଲା । ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଆଧାରରେ ଅକ୍ଟୋବରରୁ ଡିସେମ୍ବରର ମୌସୁମୀ-ପରବର୍ତ୍ତୀ ଋତୁରେ ବାତ୍ୟା ସକ୍ରିୟତାର ଆକଳନ କରାଯାଇଛି । ତେବେ ଏହି ଆକଳନ କୌଣସି ଗୋଟିଏ ସାଇକ୍ଲୋନ୍‌ର ସଠିକ୍ ତାରିଖ, ଗତିପଥ କିମ୍ବା ସ୍ଥଳଭାଗ ଛୁଇଁବାର ସ୍ଥାନ ଦର୍ଶାଏ ନାହିଁ । ଏହା କେବଳ ସମ୍ପୂର୍ଣ୍ଣ ଋତୁରେ ବାତ୍ୟା ସକ୍ରିୟତା ବିଷୟରେ ଗୋଟିଏ ଆନୁମାନିକ ଚିତ୍ର ଦେଇଥାଏ ।