ତେହେରାନ : ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଇରାନ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଖାରଜ କରିଦେଇଛି ଓ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ତେହେରାନ ସ୍ପଷ୍ଟ ରୂପେ କହିଛି ଯେ ଏହି ଯୁଦ୍ଧ ସେ ପର୍ଯ୍ୟନ୍ତ ସମାପ୍ତ ହେବନି ଯେଉଁ ପର୍ଯ୍ୟନ୍ତ ଯୁକ୍ତ ରାଷ୍ଟ୍ର ଆମେରିକାକୁ ‘ସ୍ଥାୟି ଅପମାନ’ର ସମ୍ମୁଖୀନ ହେବାକୁ ନପଡିଛି। ଇରାନୀ ସୈନ୍ୟ ଅଧିକାରୀମାନେ ଟ୍ରମ୍ପଙ୍କ ସେହି ସବୁ ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଯେଉଁଥିରେ ଟ୍ରମ୍ପ ଇରାନର ସୈନ୍ୟ ତାକତକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିଥିବାର ଦାବି କରିଥିଲେ।

ଇରାନର ବାସ୍ତବିକ ସୈନ୍ୟ କ୍ଷମତା ଆକଳନ କରିଛି ଯୁକ୍ତରାଷ୍ଟ୍ର
ଉଲ୍ଲେଖଯୋଗ୍ୟ ଯେ ଡୋନାଲ୍ଡ ଟ୍ରମ୍ପ ଦେଶ ଉଦ୍ଦେଶ୍ୟରେ ସମ୍ବୋଧନରେ କହିଥିଲେ ଯେ ଇରାନର ନୌସେନା ଓ ବାୟୁସେନାର ବ୍ୟାପକ କ୍ଷତି ହୋଇଛି ଓ ନେତୃତ୍ୱ ଢାଞ୍ଚା ମଧ୍ୟ ଧରାସାୟୀ ହୋଇଛି। ସେ ଏହା ବି କହିଥିଲେ ଯେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ଇରାନର ସାମରିକ କ୍ଷମତା ପାଖାପାଖି ଧ୍ୱସ୍ତ ହୋଇଛି। ତେବେ ଇରାନ ଟ୍ରମ୍ପଙ୍କ ଏପରି ଦାବିକୁ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଓ ନିରାଧାର ବୋଲି କହିଛି। ଇରାନ ସରକାରୀ ଗଣମାଧ୍ୟମ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଇରାନର ବାସ୍ତବିକ ସାମରିକ କ୍ଷମତାର ହିସାବ ଜଣା ନାହିଁ। ଏ ବାବଦେ ଆମେରିକାର ଗୁଇନ୍ଦା ସୂଚନା ଅଧାଅଧୁରା ଓ ଇରାନର ରଣନୈତିକ କ୍ଷମତାକୁ ୱାସିଂଟନ ଲଗାତାର କମ ଆକଳନ କରିଚାଲିଛି। ମିଜାଇଲ, ଡ୍ରୋନ ଓ ଆଧୁନିକ ଏୟାରଡିଫେନ୍ସ ସିଷ୍ଟମରେ ଇରାନ ସମ୍ପୂର୍ଣ୍ଣ ସକ୍ଷମ ଓ ଏହି ସଂସାଧନରେ ଏପର୍ଯ୍ୟନ୍ତ ଯୁଦ୍ଧରେ ସେପରି ହ୍ରାସ ହୋଇ ନାହିଁ।

Also Read..ହରମୁଜ ଜଳପଥ ଖୋଲିବାକୁ ୩୫ ଦେଶର ବୈଠକ ଡକାଇଲା ୟୁକେ; ଭାରତ ସାମିଲ୍, ଆମେରିକାକୁ ନାଁ !

ଜାରି ରହିବ ଜବାବୀ କାର୍ଯ୍ୟାନୁଷ୍ଠାନ
ସେହିପରି ଇରାନର ଯେଉଁ ସବୁ ସ୍ଥାନରେ ଆମେରିକା ଆକ୍ରମଣ କରିଥିବାର ଦାବି କରୁଛି ସେ ସବୁ ସ୍ଥାନ ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଇରାନର ଅସଲ ସୈନ୍ୟ ଉତ୍ପାଦନ ଓ ସଞ୍ଚାଳନ ଏପରି ସ୍ଥାନରୁ ହେଉଛି, ଯାହା ଆମେରିକା ଓ ଇସ୍ରାଏଲର ପହଞ୍ଚର ବାହାରେ। ଏଣୁ ଇରାନକୁ ନେଇ ଏପରି ଭୁଲ ଆକଳନ ଯୋଗୁ ଆମେରିକା ଗୁରୁତର ସଂକଟରେ ପଡିପାରେ ବୋଲି ଖାତମ ଅଲ-ଅନିବିୟା କେନ୍ଦ୍ରୀୟ ମୁଖ୍ୟାଳୟ ମୁଖପାତ୍ର କହିଛନ୍ତି। ଏହା ସହିତ ଯୁଦ୍ଧ ଆରମ୍ଭ ପାଇଁ ଆମେରିକାକୁ ଇରାନ ଦାୟି କରିଥିବା ବେଳେ ଜବାବୀ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ଦୋହରାଇଛି।

ଉତ୍ତେଜନା ହ୍ରାସ ବଦଳେ ବଢିବଢି ଚାଲିଛି
ମୁଖପାତ୍ର କହିଛନ୍ତି ଯେ ତାଙ୍କ ଦେଶ ବିରୋଧରେ ଆକ୍ରମଣର ଜବାବ ଦିଆଯିବ ଓ ଏହି ଯୁଦ୍ଧ ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଏହାର ମୂଲ୍ୟ ନ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ ଇରାନକୁ ନିର୍ଣ୍ଣାୟକ ଝଟକା ଦିଆଯାଇଥିବା ଓ ଅଧିକାଂଶ ସୈନ୍ୟ ଲକ୍ଷ୍ୟ ହାସଲ ହୋଇଥିବାର ଟ୍ରମ୍ପ ଦାବି କରୁଛନ୍ତି। ଏଥିରେ ଇରାନର ତାଜା ବୟାନରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଦୁଇ ପକ୍ଷଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ ବଦଳେ ଆହୁରି ବଢିବଢି ଚାଲିଛି।