ତେହେରାନ ୬।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ବେଳକୁ ବେଳ ବଢୁଥିବା ବେଳେ ଇରାନ ରାଷ୍ଟ୍ରପତି ମସୂଦ ପେଜେଶ୍‌କିୟାନ ଶୁକ୍ରବାର ସମାଧାନ ନିମନ୍ତେ ସମ୍ଭାବିତ ‘ମଧ୍ୟସ୍ଥତା ପ୍ରୟାସ’ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପେଜେଶ୍‌କିୟାନ ଲେଖିଛନ୍ତି ଯେ କିଛି ଦେଶ ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ମଧସ୍ଥତା ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପ୍ରସଙ୍ଗରେ ସେ ତେହେରାନର ପ୍ରତିକ୍ରିୟାକୁ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି ଯେ ‘ଆମେ ପଶ୍ଚିମ ଏସିୟାରେ ସ୍ଥାୟୀ ଶାନ୍ତି ନିମନ୍ତେ ସଂକଳ୍ପବଦ୍ଧ’।

ପେଜେଶ୍‌କିୟାନ କହିଛନ୍ତି ଯେ କେତେକ ଦେଶ ମଧ୍ୟସ୍ଥତା ପ୍ରୟାସ ଆରମ୍ଭ କରିଛନ୍ତି । ଏଥିରେ ଆମର ଜବାବ ସ୍ପଷ୍ଟ ଆମ ଦେଶର ଗାରିମା ଓ ଅଧିକାର ରକ୍ଷାରେ ଆମର ସାମାନ୍ୟତମ ସଂକୋଚ ନାହିଁ। ସେ କହିଛନ୍ତି ମଧ୍ୟସ୍ଥତା ନିମନ୍ତେ ଲକ୍ଷିତ ସମୂହ ସେହିମାନେ ହେବା ଆବଶ୍ୟକ ଯେଉଁମାନେ ଇରାନ ଜନତାଙ୍କୁ ଦୁର୍ବଳ ଦର୍ଶାଇ ଯୁଦ୍ଧ ଉସକାଇଥିଲେ। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ଇସ୍ରାଏଲ ଯୁଦ୍ଧବିମାନ ଶୁକ୍ରବାର ଇରାନ ରାଜଧାନୀ ତେହେରାନ ଉପରେ ବୋମା ବର୍ଷା କରିଛନ୍ତି। ଏହାର ଜାବାବରେ ଇରାନ ମଧ୍ୟ ଇସ୍ରାଏଲ ଉପସାଗରୀୟ ଦେଶଙ୍କ ଉପରେ ଆକ୍ରମଣ କରିଛି।

ଗତ ସପ୍ତାହରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଦେଶବ୍ୟାପୀ ଆକ୍ରମଣ କରୁଛନ୍ତି। ଏଥିରେ ସେମାନେ ଇରାନର ବରିଷ୍ଠ ନେତୃତ୍ୱ, ପରମାଣୁ କାର୍ଯ୍ୟକ୍ରମ ଓ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ସକାଳେ ଇସ୍ରାଏଲ ସେନା ତେହେରାନ ଉପରେ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିବାକୁ ଘୋଷଣା କରିଛି। ପ୍ରତ୍ୟକ୍ଷଦର୍ଶୀ ଏହି ଆକ୍ରମଣକୁ ବହୁତ ତୀବ୍ର ବୋଲି କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ପିଟ୍ ହେଗସେଥ ଇରାନ ବିରୋଧରେ ଆମେରିକା ଏୟାରଫୋର୍ସ ଆକ୍ରମଣ ଭୀଷଣ କରାଯିବ ବୋଲି ଘୋଷଣା କରିଛନ୍ତି।

ଏହାର ଜବାବରେ ଇରାନ ଇସ୍ରାଏଲ ସମେତ କ୍ୱେତ, କତାର, ସାଉଦୀ ଆରବ ଓ ବାହାରୀନ ସମେତ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଙ୍କ ଉପରେ ମିଜାଇଲ ଓ ଡ୍ରୋନ ଆକ୍ରମଣ କରିଛି। ଇରାନ ସେହିସବୁ ଦେଶଙ୍କୁ ଟାର୍ଗେଟ କରିଛି ଯେଉଁଠି ସବୁ ଆମେରିକୀୟ ସାମରିକ ଘାଟି ଓ ସୈନ୍ୟ ପ୍ରତିଷ୍ଠାନ ରହିଛି। ଏଥିରେ କତାର କହିଛି ଯେ ସେ ଅଲ ଉଦୈଦ ବିମାନଘାଟିକୁ ଟାର୍ଗେଟ କରି ହୋଇଥିବା ଡ୍ରୋନ ଆକ୍ରମଣକୁ ବିଫଳ କରାଯାଇଛି। ଅଲ ଉଦୈଦ ବିମାନଘାଟିରେ ଆମେରିକା ସେଣ୍ଟ୍ରାଲ କମାଣ୍ଡର ଅଗ୍ରୀମ ମୁଖ୍ୟାଳୟ ରହିଛି। ପ୍ରତିରକ୍ଷାମନ୍ତ୍ରାଳୟ କହିଛି ସାଉଦୀ ଆରବ ମଧ୍ୟ ରିୟାଦର ଦକ୍ଷିଣରେ ଥିବା ସୁଲତାନ ଏୟାରବେସ୍ ଆଡକୁ ଆସୁଥିବା ୩ ବାଲିଷ୍ଟିକ୍ ମିଜାଇଲକୁ ଅଟକାଇ ନଷ୍ଟ କରିଦେଇଛି।