ନୂଆଦିଲ୍ଲୀ,୧୩|୦୭: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ହର୍ମୋଜ୍ ବନ୍ଦ ହେଲା ପରେ ଅଧିକ ଅସ୍ଥିରତା ସୃଷ୍ଟି ହୋଇଛି । ଇରାନର ପଦକ୍ଷେପକୁ ବିରୋଧ କରୁଛି ଆମେରିକା । ମିସାଇଲ୍ ଆକ୍ରମଣ କରୁଛି । ଇରାନ ମଧ୍ୟ ପାଲଟା ଜବାବ ଦେଉଛି । ଆମେରିକାର ମିତ୍ରଦେଶରେ ଥିବା ସୈନ୍ୟ ବେସକୁ ଟାର୍ଗେଟ୍ କରୁଛି । ୟୁଏସ ମଧ୍ୟ ତେହେରାନରେ ବୋମାବର୍ଷଣ କରୁଛି ।

ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ୍ ସୋସିଆଲ ମିଡିଆରେ କହିଛି ଯେ, ରବିବାରଠୁ ଇରାନ ବିପକ୍ଷରେ ନୂଆ ଏୟାର ଷ୍ଟ୍ରାଇକ୍ ସିରିଜ୍ ଆରମ୍ଭ କରାଯାଇଛି । ଏଥିରେ ଇରାନର ମିସାଇଲ ସିଷ୍ଟମ, ଏୟାର ଡିଫେନ୍ସ ସିଷ୍ଟମ ଏବଂ ଆଇଆରଜିସିର ସ୍ପିଡବୋଟସକୁ ଟାର୍ଗେଟ୍ କରାଯାଇଛି ।

Also Read :- ଜାପାନରେ ଫ୍ଲପ୍ 'ଧୁରନ୍ଧର'.. ପ୍ରଥମ ଦିନରେ ମିଳିଲେନି ହଜାରେ ଦର୍ଶକ

ଆମେରିକୀୟ ଅଧିକାରୀ ଟିମ୍ ହକିନ୍ସ କହିଛନ୍ତି ଯେ, ଆମେରିକାର ଲଢୁଆ ବିମାନ ଏକ କ୍ରୁଜ୍ ମିସାଇଲ୍ ଏବଂ ଆତ୍ମଘାତୀ ଡ୍ରୋନକୁ ଆକାଶରେ ହିଁ ଇଣ୍ଟରସେପ୍ଟ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଇରାନକୁ ଭୟଙ୍କର ଭାବେ ଆକ୍ରମଣ କରାଯାଉଥିବା କହିସାରିଛନ୍ତି ।ଆହୁରି ମଧ୍ୟ ଆମେରିକୀୟ ସଂସ୍ଥା କହିଛି ଯେ, ହର୍ମୋଜ ଇରାନ ନିୟନ୍ତ୍ରଣରେ ନାହିଁ । ଜାହାଜମାନେ ଚଳପ୍ରଚଳ କରୁଛନ୍ତି । ଆମେରିକାର ସେନା ଏହା ଉପରେ କଡା଼ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିଛି ।

କୁଏତର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଇରାନ ଆକ୍ରମଣରେ ଏକ ତୈଳ ବିଶୋଧାନାଗାର କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଜଣେ କର୍ମଚାରୀ ଆହତ ହୋଇଛନ୍ତି । ସେହିପରି କତାରରେ ମିସାଇଲର ଭଗ୍ନାବଶେଷ ପଡି ତିନି ଜଣ ଆହତ ହୋଇଛନ୍ତି । ଏଥିପାଇଁ ଇରାନ ଦାୟୀ ବୋଲି କତାର କହିଛି ।

ଇରାନର ଅନେକ ସ୍ଥାନରେ ଆକ୍ରମଣ

ଆମେରିକାର ଆକ୍ରମଣ ପରେ ବନ୍ଦର ଆବାସ ସହରର ପଶ୍ଚିମରେ ଥିବା କେଶମ୍ ଦ୍ୱୀପ, ଜାସ୍କ, ସିରିକ ଏବଂ ବୁଶହରର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ପ୍ରାୟ ୧୧ଟି ମିସାଇଲ ବିଭିନ୍ନ ଦ୍ୱୀପରେ ମାଡ଼ ହୋଇଛି । କିଛି ମିସାଇଲ ସୈନ୍ୟ ବେସକୁ ଟାର୍ଗେଟ୍ କରିଚି । ଏଥିରେ କୌଣସି ନାଗରିକ ମୃତାହତ ନେଇ ଖବର ନାହିଁ । ୧୪ଟି ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିବା ନେଇ ଲେବାନନ୍ ମିଡିଆ ପ୍ରକାଶ କରିଛି ।