ନୂଆଦିଲ୍ଲୀ: ମହାକାଶକୁ ସାଧାରଣ ମଣିଷ କେବେ ଯିବେ ତାର ଆକଳନ କରିବା ମୁସକିଲ । ଯଦିଓ ମଙ୍ଗଳରେ ଜନବସତି ସ୍ଥାପନ କରିବାକୁ ବହୁ ଦିନରୁ କଳ୍ପନା ଜଳ୍ପନା ଲାଗିରହିଛି, ଏହା କେବେ ବସ୍ତବ ରୂପ ନେବ ତାହା କହିହେବ ନାହିଁ । କିନ୍ତୁ ଶନିଗ୍ରହର ବଡ଼ ଉପଗ୍ରହକୁ ମଣିଷ ନିଜର ନାଁ ପଠାଇପାରିବ । ଏଭଳି ଏକ ସୁଯୋଗ ନେଇଆସିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA । ତେବେ ଲୋକମାନଙ୍କ ନାଁକୁ ‘ଟାଇଟନ୍‌’କୁ କେମିତି ପଠାଇବ ନାସା, ଆସନ୍ତୁ ଜାଣିବା ।

ନାସାର ‘ଡ୍ରାଗନ୍‌ଫ୍ଲାଏ’ ରୋଟରକ୍ରାଫ୍ଟ ମିଶନ୍‌ରେ ସାମିଲ ହୋଇ ଲୋକମାନେ ନିଜ ନାମ ପଞ୍ଜୀକୃତ କରିପାରିବେ। ନାସାର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନକାରୀଙ୍କ ନାମଗୁଡ଼ିକୁ ସଂଗ୍ରହ କରାଯିବ । ସେଗୁଡ଼ିକୁ ଏକ ମାଇକ୍ରୋଚିପରେ ଡାଉନଲୋଡ୍ କରାଯିବ । ଏହି ମାଇକ୍ରୋଚିପ୍‌ଟିକୁ ମହାକାଶଯାନରେ ସ୍ଥାପନ କରାଯିବ। ନାମ ପଞ୍ଜୀକରଣ କରିବା ପରେ ସାମିଲ ବ୍ୟକ୍ତିଙ୍କୁ ଏକ ସ୍ମାରକୀ ଭାବରେ ନାସା ପକ୍ଷରୁ ଡିଜିଟାଲ୍ ବୋର୍ଡିଂ ପାସ୍ ମଧ୍ୟ ପ୍ରଦାନ କରାଯିବ।

ଏହି ଅଭିଯାନରେ ସାମିଲ ହେବାକୁ ନାସା ନିଜର ଓ୍ବେବସାଇଟ୍‌ ଜାନୁଆରୀ ୧୫, ୨୦୨୭ ପର୍ଯ୍ୟନ୍ତ ଖୋଲାରଖିବ ।
ନାସା ମୁଖ୍ୟାଳୟର ଆସୋସିଏଟ୍ ଆଡମିନିଷ୍ଟ୍ରେଟର୍ ନିକି ଫକ୍ସ କହିଛନ୍ତି ଯେ, ନାସାର ‘ଡ୍ରାଗନ୍‌ଫ୍ଲାଏ’ ମିଶନ୍ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ। ସେ ସୂଚନା ଦେଇଛନ୍ତି ଯେ, ମହାକାଶ ବିଜ୍ଞାନ ଇତିହାସରେ ଏହା ହେଉଛି ପ୍ରଥମ ରୋଟରକ୍ରାଫ୍ଟ (ଡ୍ରୋନ୍ ସଦୃଶ) ସାଇନ୍ସ ମିଶନ୍।

ନାସା ଏହି ମିଶନ୍ ମାଧ୍ୟମରେ ଶନିର ବୃହତ୍ତମ ଉପଗ୍ରହ ଟାଇଟନ୍‌ର ପରିବେଶ ଏବଂ ସେଠାରେ ଜୀବନଧାରଣର ସମ୍ଭାବନା ସମ୍ପର୍କରେ ଗବେଷଣା କରିବ। ଟାଇଟନ୍ ହେଉଛି ଆମ ପୃଥିବୀ ସହ ଅନେକ ସମାନତା ଥିବା ଏକ ଜଗତ । ତେଣୁ ଏହି ରୋମାଞ୍ଚକର ଯାତ୍ରାରେ ସମଗ୍ର ମାନବଜାତିକୁ ସାମିଲ କରିବା ପାଇଁ ନାସା ଏହି ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।