ନୂଆଦିଲ୍ଲୀ:ରାତି ପାହିଲେ ଆମେରିକାରେ ମିଡଟର୍ମ ଇଲେକ୍ସନ। ଏହି ନିର୍ବାଚନରେ ଆମେରିକୀୟ ନାଗରିକ ନିର୍ଦ୍ଧାରିତ କରିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ପରବର୍ତ୍ତି ୨ ବର୍ଷ ପର୍ଯ୍ୟନ୍ତ ନିରଂକୁଶ ଶାସନ କରିବ ନା ବିପକ୍ଷ ଡେମୋକ୍ରାଟିକ ପାର୍ଟି ଶାସନ ସନ୍ତୁଳନ ପରିବର୍ତ୍ତନରେ ସଫଳ ହେବ। ଏହି ନିର୍ବାଚନରେ ରାଷ୍ଟ୍ରପତି ବଛା ଯିବେନି, ହେଲେ ଏହାର ଫଳାଫଳ ରାଷ୍ଟ୍ରପତିଙ୍କ ଏଜେଣ୍ଡା ଓ ତାଙ୍କ ନିଷ୍ପତ୍ତିକୁ ସିଧା ପ୍ରଭାବିତ କରିବ। ଏଥର ନିର୍ବାଚନରେ ଆଉ ଏକ ଖାସ କଥା ମଧ୍ୟ ରହିଛି, ତାହା ହେଉଛି ଆମେରିକା ରାଜନୀତିରେ ଭାରତୀୟ ବଂଶୋଦଭବଙ୍କ ବଢୁଥିବା ପ୍ରଭାବ। ୨୨ ରାଜ୍ୟରେ ୫୭ ଜଣ ଭାରତୀୟ ମୂଳ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।

ଆମେରିକାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୪ ବର୍ଷର ହୋଇଥାଏ। ତେବେ ରାଷ୍ଟ୍ରପତି ନିର୍ବାଚନ ଠିକ୍ ଦୁଇ ବର୍ଷ ପରେ ହେଉଥିବା ନିର୍ବାଚନକୁ ମିଡ ଟର୍ମ କୁହାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମଝିରେ ଜନତା ପୁଣି ଥରେ ତାଙ୍କ ରିପ୍ରେଜେଣ୍ଟେଟିଭ ନିର୍ବାଚିତ କରନ୍ତି। ଏହି ନିର୍ବାଚନର ଫଳାଫଳ ରାଷ୍ଟ୍ରପତିଙ୍କ ଆସନକୁ ପ୍ରଭାବିତ କରିନଥାଏ, ବରଂ ସଂସଦ ଓ ରାଜ୍ୟ ସରକାରଙ୍କ ଲାଗି ଭୋଟିଂ ହୋଇଥାଏ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୁରା ହେବା ପରେ ଏହା ପ୍ରଥମ ରାଷ୍ଟ୍ରବ୍ୟାପୀ ନିର୍ବାଚନ। ଏଣୁ ଏହାକୁ ଟ୍ରମ୍ପଙ୍କ କାର୍ଯ୍ୟକୁ ନେଇ ଜନତାଙ୍କ ରାୟ ଭାବେ ମଧ୍ୟ ଦେଖା ଯାଉଛି। ନିର୍ବାଚନରେ ଯଦି ରିପବ୍ଲିକାନ ପାର୍ଟି ଉଭୟ ସଦନରେ ସଂଖ୍ୟାଗରିଷ୍ଠତା କାୟମ କରିବାରେ ସଫଳ ହୁଏ ତେବେ ଟ୍ରମ୍ପଙ୍କୁ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ସହଜ ହେବ। ସରକାରଙ୍କୁ ବଜେଟ୍, ଟ୍ୟାକ୍ସ, ପ୍ରତିରକ୍ଷା ଖର୍ଚ୍ଚ ଓ ସଂସଦରେ ଅନ୍ୟ ବଡ଼ ନିଷ୍ପତ୍ତି ନେବାରେ ସହଜ ହେବ।

ଏହାର ବିପରୀତ ଯଦି ବିରୋଧୀ ଦଳ ଡେମୋକ୍ରାଟ ପ୍ରତିନିଧି ସଭା ଅଥବା ସିନେଟରେ ବହୁମତ ହାସଲ କଲେ ଟ୍ରମ୍ପଙ୍କ ଲାଗି ଆଇନ ଗୃହୀତ କରିବା କଷ୍ଟକର ହୋଇପଡିବ। ବିରୋଧୀ ଦଳ ସରକାରୀ ନୀତିଗୁଡିକର ଯାଞ୍ଚ ଲାଗି ସଂସଦୀୟ କମିଟିର ଉପଯୋଗ କରିପାରିବେ। ସରକାରୀ ଖର୍ଚ୍ଚ ଓ ପ୍ରଶାସନିକ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ପାରିବେ। ହେଲେବି ରାଷ୍ଟ୍ରପତିଙ୍କର କିଛି କାର୍ଯ୍ୟକାରୀ ଅଧିକାର ରହିବ। ଅର୍ଥାତ ବିରୋଧୀ ଦଳଙ୍କୁ ବହୁମତ ମିଳିବାର ଅର୍ଥ ଏହା ନୁହେଁ ଯେ ରାଷ୍ଟ୍ରପତିଙ୍କ ସବୁ ଶକ୍ତି ସମାପ୍ତ ହୋଇଯିବ।