ଢାକା: ବାଂଲାଦେଶରେ ଗାରମେଣ୍ଟ ଉଦ୍ୟୋଗ ଶ୍ରମିକଙ୍କ ବିକ୍ଷୋଭ ଲଗାତାର ବଢିବାରେ ଲାଗିଛି। ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ସଡ଼କ ଅବରୋଧ କରୁଥିବା ବେଳେ ପୋଲିସ ଗାଡ଼ି ଜଳାପୋଡା କରୁଛନ୍ତି। ଏଥିରେ ଦେଶର ସରକାରୀ ସମ୍ପତ୍ତି ମଧ୍ୟ କ୍ଷୟକ୍ଷତି ହେଉଛି। ସୋସିଆଲ ମିଡିଆରେ ପୋଲିସ ଗୁଳିରେ ଜଣେ ୧୦ ବର୍ଷର ବାଳକ ପ୍ରାଣ ହରାଇଥିବା ଦାବି କରାଯାଉଛି। ତେବେ ଏହି ଘଟଣାର ପୁଷ୍ଟି ହୋଇ ନାହିଁ। ଶ୍ରମିକମାନେ ବେତନ ବୃଦ୍ଧି ଦାବି କରୁଛନ୍ତି, ସେମାନଙ୍କ ଆନ୍ଦୋଳନର ପ୍ରଭାବ ଏବେ ଗାର୍ମେଣ୍ଟ ଉଦ୍ୟୋଗ ଉପରେ ପଡୁଛି।

ବାଂଲାଦେଶର ଗାର୍ମେଣ୍ଟ ଉଦ୍ୟୋଗରେ ପାଖାପାଖି ୪୦ ଲକ୍ଷ ଲୋକେ କାମ କରୁଛନ୍ତି ଓ ଦେଶର ଜିଡିପିରେ ଉଦ୍ୟୋଗର ଯୋଗଦାନ ପାଖାପାଖି ୧୦%। ଶ୍ରମମନ୍ତ୍ରୀ ଆରିଫୁଲ ହକ୍ ନଭେମ୍ବର ୧ ତାରିଖରେ ୬ ସଦସୀୟ ସର୍ବନିମ୍ନ ବେତନ ବୋର୍ଡ ଗଠନର ଘୋଷଣା କରିଥିଲେ। ଏହି ଅବସରରେ ସେ ଶ୍ରମିକମାନଙ୍କୁ କାମକୁ ଫେରିଯିବାକୁ ନିବେଦନ ମଧ୍ୟ କରିଥିଲେ, ହେଲେ ପ୍ରଦର୍ଶନ ଥମୁ ନାହିଁ। ଗୃହମନ୍ତ୍ରୀ ସଲାହୁଦ୍ଦିନ ଅହମଦ ଅଭିଯୋଗ କରିଛନ୍ତି ଯେ ଶେଖ ହସିନା ଏବଂ ସୀମା ସେପାରେ ଥିବା କିଛି ଲୋକେ ଶ୍ରମିକଙ୍କୁ ଉସକାଇ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି।

ଶ୍ରମମନ୍ତ୍ରୀ ମଧ୍ୟ ହିଂସା ପଛରେ ଆବାମୀ ଲିଗ୍ ସମର୍ଥକଙ୍କ ହାତ ଥିବା ଅଭିଯୋଗ କରୁଛନ୍ତି। ତେବେ ଏହି ସବୁ ଅଭିଯୋଗର ସ୍ୱତନ୍ତ୍ର ପୁଷ୍ଟି ହୋଇ ନାହିଁ। ଅଗଷ୍ଟ ୨୦୨୪ରେ ଶେଖ ହସିନା ସରକାରର ପତନ ପରେ ବାଂଲାଦେଶ ଅର୍ଥନୀତି ସମସ୍ୟାରେ ଘେରି ଯାଇଛି। ଦେଶରେ ମୁଦ୍ରାସ୍ଫୀତି ବଢୁଥିବା ବେଳେ ବିକାଶର ବେଗ ମଧ୍ୟ ଧିମେଇ ଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଓ ବିଶ୍ୱ ବ୍ୟାଙ୍କ ଭଳି ସଂସ୍ଥାମାନେ ଦେଶର ବିକାଶ ହାରକୁ ନେଇ ଦୁର୍ବଳ ଅନୁମାନ କରିଛନ୍ତି। ଏଣୁ ଗାର୍ମେଣ୍ଟ ଉଦ୍ୟୋଗରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଲେ ବାଂଲାଦେଶର ରପ୍ତାନୀ, ରୋଜଗାର ଓ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇବ।