ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ୬୦ ଦିନର ପ୍ରତିବନ୍ଧକ କୋହଳ କରାଯିବା ପରେ ଇରାନ ଏବେ ଏସିଆର ବଡ଼ ବଡ଼ ତୈଳ ଗ୍ରାହକଙ୍କ ସହ ପୁଣିଥରେ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା ଚଳାଇଛି। ଏହି ଦୌଡ଼ରେ ଭାରତ ମଧ୍ୟ ସାମିଲ ଅଛି। ଚୀନ୍ ବ୍ୟତୀତ ଅନ୍ୟ ଦେଶଗୁଡ଼ିକୁ ନିଜର ଅଶୋଧିତ ତୈଳ ରପ୍ତାନୀ କରିବା ପାଇଁ ତେହେରାନ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଏହି ଘୋଷଣା ପୂର୍ବରୁ ହିଁ ଇରାନର ବିକ୍ରେତା, ମଧ୍ୟସ୍ଥି ଏବଂ 'ନ୍ୟାସନାଲ ଇରାନିଆନ ଅଏଲ କମ୍ପାନୀ'ର ପ୍ରତିନିଧିମାନେ ଭାରତ, ଜାପାନ, ଦକ୍ଷିଣ କୋରିଆ ଭଳି ଏସୀୟ ଦେଶର ରିଫାଇନରୀଗୁଡ଼ିକ ସହ ଯୋଗାଯୋଗ ଆରମ୍ଭ କରିଦେଇଥିଲେ।

ସମୁଦ୍ରରେ ଭାସୁଛି ଲକ୍ଷ ଲକ୍ଷ ବ୍ୟାରେଲ୍ ତେଲ

ଇରାନର ଏହି ବ୍ୟାକୁଳତା ପଛର ମୁଖ୍ୟ କାରଣ ହେଉଛି, ସମୁଦ୍ରରେ ଭାସୁଥିବା ତା’ର ବିପୁଳ ପରିମାଣର ଅଶୋଧିତ ତୈଳ। ଆନାଲିଟିକ୍ସ ସଂସ୍ଥା 'ଭୋର୍ଟେକ୍ସା' (Vortexa)ର ସୂଚନା ଅନୁଯାୟୀ, ଜୁନ୍ ୨୨ ସୁଦ୍ଧା ସମୁଦ୍ରରେ ଥିବା ଟ୍ୟାଙ୍କରଗୁଡ଼ିକରେ ପ୍ରାୟ ୬୮ ମିଲିୟନ (୬.୮ କୋଟି) ବ୍ୟାରେଲ୍ ଇରାନୀ ତେଲ ମହଜୁଦ ରହିଛି। ଏହି ମୋଟ ତେଲର ପ୍ରାୟ ୮୦% ରୁ ଅଧିକ ଅଂଶର କୌଣସି ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳ ସ୍ଥିର ହୋଇନାହିଁ। ଏହି ତୈଳ ଗ୍ରାହକମାନଙ୍କ ପାଇଁ ତୁରନ୍ତ ଉପଲବ୍ଧ ହୋଇପାରିବ । ଅନେକ ତୈଳବାହୀ ଜାହାଜ ଏସିଆ ଆଞ୍ଚଳିକ ଜଳସୀମାରେ ଥିବାରୁ, ଭାରତ ଚାହିଁଲେ ଖୁବ୍ କମ୍ ସମୟ ମଧ୍ୟରେ ଏହି ତେଲ ଆମଦାନୀ କରିପାରିବ।

ଭାରତ କ'ଣ ଇରାନ ଠାରୁ ତେଲ କିଣିବାକୁ ପ୍ରସ୍ତୁତ ?

ବର୍ଷ ବର୍ଷ ଧରି ଭାରତ, ଇରାନର ସବୁଠାରୁ ବଡ଼ ତୈଳ କ୍ରେତାମାନଙ୍କ ମଧ୍ୟରୁ ଏକ ପ୍ରମୁଖ ଦେଶ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଆମେରିକାର କଠୋର ପ୍ରତିବନ୍ଧକ ଯୋଗୁଁ ଭାରତୀୟ ରିଫାଇନରୀଗୁଡ଼ିକ ଇରାନ ଠାରୁ ତେଲ କିଣିବା ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଯଦିଓ ବର୍ତ୍ତମାନ ଆମେରିକା ତରଫରୁ ସାମୟିକ କୋହଳ ମିଳିଛି, ତଥାପି ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଏଥିପାଇଁ ବିଶେଷ ଆଗ୍ରହ ଦେଖାଉ ନାହାନ୍ତି।

ହର୍ମୁଜ ପ୍ରଣାଳୀ (Strait of Hormuz) ରେ ଗତ କିଛି ମାସ ଧରି ଲାଗି ରହିଥିବା ଅନିଶ୍ଚିତତା ଯୋଗୁଁ ଅଧିକାଂଶ ଏସୀୟ ଦେଶ ବିକଳ୍ପ ବ୍ୟବସ୍ଥା କରିସାରିଛନ୍ତି। ଭାରତୀୟ ରିଫାଇନରୀଗୁଡ଼ିକ ମଧ୍ୟ ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ନିଜର ଆବଶ୍ୟକୀୟ ତୈଳ ଚାହିଦା ଅନ୍ୟ ବିକଳ୍ପ ମାଧ୍ୟମରେ ପୂରଣ କରିସାରିଛନ୍ତି। ତେଣୁ ବର୍ତ୍ତମାନ ସେମାନଙ୍କର ତୁରନ୍ତ ଇରାନ ତେଲର କୌଣସି ଆବଶ୍ୟକତା ନାହିଁ।

ସେପଟେ ଏସିଆର ଦେଶଗୁଡ଼ିକ ଇରାନ ଠାରୁ ତେଲ କିଣିବା ପୂର୍ବରୁ ଅନେକ ଦିଗ ପ୍ରତି ସତର୍କତା ଅବଲମ୍ବନ କରୁଛନ୍ତି । ଆମେରିକାର ଇରାନ ପ୍ରତି ଥିବା ବୈଦେଶିକ ନୀତି ବାରମ୍ବାର ବଦଳୁଛି। ଏହି ୬୦ ଦିନର ରିହାତି ପରେ ପୁଣି କଠୋର ପ୍ରତିବନ୍ଧକ ଲାଗିବାର ଭୟ ରହିଛି। ତେଣୁ କୌଣସି ଦେଶ ଦୀର୍ଘକାଳୀନ ଚୁକ୍ତି କରିବାକୁ ଚାହୁଁନାହାନ୍ତି। ଆମେରିକା ପ୍ରତିବନ୍ଧକ କୋହଳ କରିଥିଲେ ମଧ୍ୟ ବ୍ରିଟେନ ଏବଂ ୟୁରୋପୀୟ ୟୁନିଅନର ପ୍ରତିବନ୍ଧକ ଏବେ ବି ବଳବତ୍ତର ରହିଛି।

ଏହାଦ୍ୱାରା ତୈଳ ପରିବହନ ପାଇଁ ଆବଶ୍ୟକ ହେଉଥିବା ବୀମା ଏବଂ ବ୍ୟାଙ୍କିଙ୍ଗ୍ କାରବାର କ୍ଷେତ୍ରରେ ବଡ଼ ସମସ୍ୟା ସୃଷ୍ଟି ହେଉଛି। ପ୍ରତିବନ୍ଧକ ସମୟରେ ଇରାନୀ ତେଲ ପରିବହନ କରୁଥିବା ଗୁପ୍ତ ଜାହାଜଗୁଡ଼ିକୁ ନିଜ ବନ୍ଦରରେ ପ୍ରବେଶ ଅନୁମତି ଦେବା ପାଇଁ ଅନେକ ଅନ୍ତର୍ଜାତୀୟ ବନ୍ଦର ଅନିଚ୍ଛା ପ୍ରକାଶ କରୁଛନ୍ତି। ଇରାନକୁ ନେଇ ଆମେରିକା ବାରମ୍ବାର ନିଜ ନୀତିରେ ପରିବର୍ତ୍ତନ କରୁଥିବାରୁ ଭାରତ ଭଳି ଦେଶ ଏବେ ଇରାନ ତେଲ କିଣିବାକୁ ଇଚ୍ଛା ପ୍ରକାଶ କରୁନଥିବା ରିପୋର୍ଟରୁ ଜଣାପଡ଼ିଛି ।