ନୂଆଦିଲ୍ଲୀ: ବହୁ ସଂଘର୍ଷ  ରକ୍ତପାତ ପରେ ଖୋଲିଲା ବିବାଦୀୟ ହର୍ମୁଜ ପ୍ରଣାଳୀ । ଏବେ ଏହି ପ୍ରଣାଳୀ ଦେଇ ସବୁ ଜାହାଜ ଯାତାୟତ କରିପାରିବେ। ଏନେଇ ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ଘୋଷଣା କରିଛନ୍ତି । ତେବେ ଲେବାନନ ଏବଂ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଅବଧି ଶେଷ ହେବା ଯାଏଁ ଖୋଲା ରହିବ ହର୍ମୁଜ ପ୍ରଣାଳୀ । ଫେବୃଆରୀ ୨୮ରେ ଆମେରିକା ଆକ୍ରମଣ କରିବା ପରେ ମାର୍ଚ୍ଚ ୬ରେ ହର୍ମୁଜକୁ ବନ୍ଦ କରି ଦେଇଥିଲା ଇରାନ ।

​​​​​​​

ଏକ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଆରାଘଚି କହିଛନ୍ତି, ‘ଯେପର୍ଯ୍ୟନ୍ତ ଅସ୍ଥାୟୀ ଯୁଦ୍ଧବିରତି ଜାରି ରହିବ, ସେପର୍ଯ୍ୟନ୍ତ ସମସ୍ତ ବାଣିଜ୍ୟିକ ଜାହାଜ ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ ଭାବରେ ଯାତାୟତ କରିପାରିବେ। ସମସ୍ତ ଜାହାଜ ଇସଲାମିକ୍ ଗଣରାଜ୍ୟ ଇରାନର ବନ୍ଦର ଏବଂ ସାମୁଦ୍ରିକ ସଂଗଠନ ଦ୍ୱାରା ପୂର୍ବରୁ ଘୋଷଣା ହୋଇଥିବା ମାର୍ଗ ଦେଇ ଯାଇ ପାରିବେ।’

Also Read: Iran Frozen Assets Peace Talks: ଶାନ୍ତି ଚୁକ୍ତି ପାଇଁ କାହିଁକି ବ୍ୟାକୁଳ ହେଉଛି ତେହେରାନ, ଜାଣନ୍ତୁ କେଉଁ ଦେଶରେ ଫସିଛି କେତେ ଟଙ୍କା

ହର୍ମୁଜ ଖୋଲିବାକୁ କାହିଁକି ନିଷ୍ପତ୍ତି ନେଲା ଇରାନ୍ ?

୧. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନ ପୂର୍ବରୁ ହର୍ମୁଜ୍ ପ୍ରଣାଳୀରୁ ନାକାବନ୍ଦୀ ହଟାଇବେ ବୋଲି ଘୋଷଣା କରିଥିଲେ। ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ, ‘ମୁଁ ଚୀନ୍ ସହିତ କଥା ହୋଇଛି। ଆମେ ଅବରୋଧ ହଟାଇବୁ। ଇରାନ୍ ହର୍ମୁଜ୍ ସମ୍ପର୍କରେ ଆମର ପ୍ରସ୍ତାବରେ ରାଜି ହୋଇଛି। ଚୀନ୍ ମଧ୍ୟ ଆମର ପ୍ରସ୍ତାବରେ ରାଜି ହୋଇଛି।’

୨. ଯୁଦ୍ଧବିରତି ଅବଧି ବୃଦ୍ଧି କରିବା ପାଇଁ ଇରାନ ଉପରେ ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଚାପ ପଡ଼ିଥିଲା। ଆମେରିକା କହିଥିଲା ଯେ, ଯଦି ଇରାନ ହର୍ମୁଜ୍ ପ୍ରଣାଳୀ ନଖୋଲେ, ତେବେ ଯୁଦ୍ଧବିରତି ଆଲୋଚନା ଆଗକୁ ବଢ଼ିବ ନାହିଁ। ରଏଟର୍ସ ରିପୋର୍ଟ କରିଛି ଯେ, ଇରାନ ଏବଂ ଆମେରିକା ଯୁଦ୍ଧବିରତି ଅବଧି ବୃଦ୍ଧି କରିବା ପାଇଁ ଏକ ଚୁକ୍ତିରେ ପହଞ୍ଚିଛନ୍ତି। ଏହାକୁ ଦୃଷ୍ଟିରେ ରଖି, ହର୍ମୁଜ୍ ପ୍ରଣାଳୀକୁ ସଂପୂର୍ଣ୍ଣ ଖୋଲି ଦେଇଛି ଇରାନ ।

୩. ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଇରାନ ଉପରେ ଚାପ ବୃଦ୍ଧି ପାଇଛି । ହର୍ମୁଜ୍ ପ୍ରଣାଳୀ ଖୋଲିବା ସଂପର୍କରେ ଆଲୋଚନା କରିବା ପାଇଁ ପ୍ୟାରିସରେ ୪୦ଟି ଦେଶର ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସ ଏବଂ ବ୍ରିଟେନ ଭଳି ଦେଶର ନେତାମାନେ ଏହି ବୈଠକରେ ଯୋଗଦେବେ। ଇରାନ ଏକାଥରେ ଏତେ ଦେଶକୁ ନିଜ ଶତ୍ରୁ କରିପାରିବ ନାହିଁ ।