ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିପାରେ ବୋଲି ଚର୍ଚ୍ଚା ମଧ୍ୟରେ ତେହେରାନ ପୁଣି ଥରେ ଧମକ ଦେଇଛି । ଦୁଇ ଦେଶ ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବିବାଦ ଘନିଭୂତ ହେଉଛି । ଇରାନର ସୁପ୍ରିମ ଲିଡର ମୋଜତାବା ଖାମେନିଙ୍କ ଜଣେ ସାମରିକ ପରାମର୍ଶଦାତା ଆମେରିକାକୁ ଚେତାବନୀ ଦେଇଛନ୍ତି । ଯଦି ଆମେରିକା ଆକ୍ରମଣ କରେ, ତେବେ ତାର ସୈନିକଙ୍କୁ ବନ୍ଦୀ କରାଯିବ । ହର୍ମୁଜରେ ନାକାବନ୍ଦୀ ଲାଗି ମୁତୟନ ଆମେରିକୀୟ ଜାହାଜକୁ ବି ଧ୍ବଂସ କରାଯିବ ବୋଲି ବୋଲି ସେ ଧମକ ଦେଇଛନ୍ତି ।

ମୌଳବାଦୀ ମୋହସେନ ରେଜାଇ ଆହୁରି କହିଛନ୍ତି ଯେ, ‘ଯଦି ୱାଶିଂଟନ ସ୍ଥଳଭାଗରେ ଆକ୍ରମଣ କରେ, ତେବେ ଏହା ବହୁତ ବଢ଼ିଆ ହେବ । କାରଣ ଆମେ ହଜାର ହଜାର ସୈନିକଙ୍କୁ ବନ୍ଧକ କରିବୁ ଏବଂ ତା'ପରେ ପ୍ରତ୍ୟେକ ବନ୍ଧକ ପାଇଁ ଆମେ ଏକ ବିଲିୟନ ଡଲାର ପାଇବୁ।’

ପରମାଣୁ ପ୍ରସଙ୍ଗରେ ମତଭେଦ ଜାରି

ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଆଲୋଚନାରେ କିଛି ଅଗ୍ରଗତି ହୋଇଛି । ହେଲେ ପରମାଣୁ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ମତଭେଦ ଦୂର ହୋଇପାରୁନି । ରଏଟର୍ସ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ଇରାନ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ପରମାଣୁ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ପ୍ରସଙ୍ଗରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଏହାରି ମଧ୍ୟରେ ପାକିସ୍ତାନ ଦାବି କରିଛି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଖୁବଶୀଘ୍ର ଆଲୋଚନା ହୋଇପାରେ । କିନ୍ତୁ ଏଥିପାଇଁ ଲେବାନନରେ ଶାନ୍ତି ଜରୁରୀ । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଉଭୟ ଦେଶ ଆଲୋଚନା ପାଇଁ ପ୍ରସ୍ତୁତ। ତଥାପି, ଆଲୋଚନାର ତାରିଖ ଏବଂ ସ୍ଥାନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।

ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି ମଧ୍ୟପ୍ରାଚ୍ୟ ସଂଘର୍ଷ

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ଦୁର୍ଭିକ୍ଷ ମଧ୍ୟକୁ ଠେଲି ଦେଇପାରେ । ଏହାର ଆର୍ଥିକ ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେବ ବୋଲି ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଏଏଫପିକୁ କହିଛନ୍ତି । ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟ ବଢ଼ୁଥିବା ଉତ୍ତେଜନାକୁ ଉଲ୍ଲେଖ କରି ସେ ଏହି ଚେତାବନୀ ଦେଇଛନ୍ତି ।