ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ଵକପକୁ ଆହୁରି ଗୋଟିଏ ବର୍ଷର ସମୟ ବାକି ରହିଛି। ଆଇସିସି ଦ୍ଵାରା ସିଡ୍ୟୁଲର ଘୋଷଣା ହେବା ସହ ଅନଲାଇନ ଟିକେଟର ଓ୍ଵିଣ୍ଡୋ ମଧ୍ୟ ଖୋଲି ଯାଇଛି।  ଖବର ଅନୁସାରେ ବିଶ୍ଵକପକୁ ନେଇ ଦର୍ଶକଙ୍କ ମଧ୍ୟରେ ଏତେ ଉତ୍ସାହ  ରହିଛି ତାହା ଟିକେଟ୍ ଆପ୍ଲିକେସନ ସଂଖ୍ୟାରୁ ଦେଖି ଜଣା ପଡ଼ିଛି। ସମଗ୍ର ଦୁନିଆରେ ଦିନିକିଆ ବିଶ୍ଵକପକୁ ନେଇ ଅହେତୁକ ଚାହିଦା ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ କେତେ ଟିକେଟ୍ ପାଇଁ କେତେ ଆବେଦନ ଆସିଛି ତାକୁ ନେଇ ସୂଚନା ଦେଇଛି ଆଇସିସି।

ଆଇସିସିର ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ମୋଟ୍ ୧ କୋଟି ୫୦ ଲକ୍ଷ ୮୩ ହଜାର ୭୫୨ ଟିକେଟର ଆପ୍ଲିକେସନ ମିଳିଛି। ୧୪୨ ଦେଶର ପ୍ରଶଂସକ ୪୪ ଲକ୍ଷ ୨୩ ହଜାର ୪୧୭ ବାଲାଟ୍ ରେଜିଷ୍ଟ୍ରେସନ କରିଛନ୍ତି। ବାଲାଟ୍ ଆରମ୍ଭ ହେବାର ୧୨ ଦିନ ଭିତରେ ଦେଢ କୋଟିରୁ ଅଧିକ ଆପ୍ଲିକେସନ ଆସିବା ଦର୍ଶାଉଛି ଯେ, ୨୦୨୭ ଦିନିକିଆ ବିଶ୍ଵକପକୁ ନେଇ କେତେ ଉତ୍ସାହିତ ସାରା ଦୁନିଆର କ୍ରିକେଟ୍ ପ୍ରେମୀ। ଟିକେଟ୍ ଆପ୍ଲିକେସନର ସଂଖ୍ୟା ଗତ ସପ୍ତାହରେ ୧୦ ଲକ୍ଷ ଥିଲା, ଯାହା ଅଳ୍ପ ଦିନରେ ଦେଢ କୋଟିକୁ ଅଧିକରେ ପହଞ୍ଚିଛି।

Also Read: ସନ ପୋଲକଙ୍କ ବଡ଼ ଭବିଷ୍ୟବାଣୀ, ଭାରତ ସମେତ ଏହି ୪ ଟିମ୍ ଖେଳିବେ ୨୦୨୭ ବିଶ୍ଵକପ୍ ସେମି ଫାଇନାଲ୍

ସୂଚନାଯୋଗ୍ୟ, ତିନି ଦେଶର ମିଳିତ ଆନୁକୂଲ୍ୟରେ ଆୟୋଜିତ ଥିବା ଏହି ବିଶ୍ଵକପ ପ୍ରତି ଦର୍ଶକଙ୍କ ରୁଚି ବେଶ ଉତ୍ସାହ ଜନକ ରହିଛି। ଆଫ୍ରିକା ଦେଶ ପାଇଁ ଏହା ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ବିଶ୍ଵକପ୍ ହେବାକୁ ଯାଉଛି। ୨୦୨୬ ଅକ୍ଟୋବର ୧ ପର୍ଯ୍ୟନ୍ତ ଆସିଥିବା ଏହି ଆପ୍ଲିକେସନ ଉପରେ ସମାନ ଭାବେ ବିଚାର କରାଯିବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଶଂସକ କେତୋଟି ମ୍ୟାଚ୍ ପାଇଁ ଆବେଦନ କରି ପାରିବେ ?

ଆଇସିସି ପକ୍ଷରୁ କୁହାଯାଇଛି ଯେ, ପ୍ରତିଟି ମ୍ୟାଚକୁ ଏକ ଭିନ୍ନ ଏଣ୍ଟ୍ରି ଭାବେ ବିବେଚନା କରାଯିବ। ଗୋଟିଏ ମ୍ୟାଚ୍ ପାଇଁ ସର୍ବାଧିକ ଚାରୋଟି ଟିକେଟ୍ ପାଇ ପାରିବେ ଦର୍ଶକ। ଏପରିକି ନିଜର ମନ ପସନ୍ଦ ମ୍ୟାଚର ଟିକେଟ୍ ଚୟନ କରି ପାରିବେ। ଏହି ପ୍ରକ୍ରିୟା ସଂପୂର୍ଣ୍ଣ ମାଗଣା ରହିଛି। ଯାହାଙ୍କ ଆପ୍ଲିକେସନ ଚୟନ କରାଯିବ, ତାଙ୍କୁ ଇମେଲ ଜରିଆରେ ଯୋଗାଯୋଗ କରାଯିବ। ଉପଲବ୍ଧ ଟିକେଟ୍ ସୁନିଶ୍ଚିତ କରିବା ପାଇଁ ଏକ ଡେଡଲାଇନ ଦିଆଯିବ।