ନୂଆଦିଲ୍ଲୀ:  ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ଆନୁଷ୍ଠାନିକ ଭାବରେ ନିଜର କୋଚିଂ କ୍ୟାରିୟର ଆରମ୍ଭ କରିଛନ୍ତି । ଆଇପିଏଲ୍‌ ୨୦୨୭ ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ରେ ଯୋଗ ଦେଇଛନ୍ତି । ସେ ଦଳର ଆସିଷ୍ଟାଣ୍ଟ ଏବଂ ବ୍ୟାଟିଂ କୋଚ୍‌ ଭାବରେ ନିଯୁକ୍ତ ହୋଇଛନ୍ତି ।  ଏହି ନିଯୁକ୍ତି ସହ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଯୁବରାଜ ସିଂହ ପୁଣି ଥରେ ଏକାଠି ହୋଇଛନ୍ତି। ଦିଲ୍ଲୀ ଫ୍ରାଞ୍ଚାଇଜି ଏପର୍ଯ୍ୟନ୍ତ ଗୋଟିଏ ହେଲେ ଆଇପିଏଲ୍ ଟାଇଟଲ୍ ଜିତିପାରି ନାହିଁ ।

ଏଭଳି ସ୍ଥିତିରେ ସୌରଭ ଗାଙ୍ଗୁଲି ଏବଂ ଯୁବରାଜ ସିଂହଙ୍କ ଯୋଡ଼ିଙ୍କ ସାହାଯ୍ୟରେ  ଦଳ ନିଜର ପ୍ରଥମ ଟ୍ରଫି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ୪୪ ବର୍ଷୀୟ ଯୁବରାଜ,  ଏହି ଦଳ ସହିତ ଆଇପିଏଲ୍‌ରେ କୋଚିଂ ଡେବ୍ୟୁ କରିଛନ୍ତି । ଯୁବରାଜ ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ଓଡ଼ିଆଇ ବିଶ୍ୱକପ୍ ବିଜୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତ କିଛି ବର୍ଷ ହେବ ସେ ଅନେକ ପ୍ରତିଷ୍ଠିତ ଏବଂ ଉଦୀୟମାନ ଭାରତୀୟ କ୍ରିକେଟରମାନଙ୍କୁ ମାର୍ଗଦର୍ଶନ ଦେଇଆସୁଛନ୍ତି । ତାଙ୍କର ଅଭିଜ୍ଞତା ଏବଂ ବ୍ୟାଟିଂ ଶୈଳୀର କୋଚିଂ ଦିଲ୍ଲୀ ଟିମକୁ ଆହୁରି ମଜଭୁତ କରିବ।

ଦିଲ୍ଲୀ ସହିତ ଯୁବରାଜଙ୍କର ପୁରୁଣା ସମ୍ପର୍କ ରହିଛି। ୨୦୧୫ ମସିହାରେ, ଦଳର ନାମ 'ଦିଲ୍ଲୀ ଡେୟାରଡେଭିଲ୍ସ' ଥିଲା, ସେତେବେଳେ ସେ ରେକର୍ଡ ୧୬ କୋଟି ଟଙ୍କାରେ ଦଳରେ ସାମିଲ ହୋଇଥିଲେ । ସେହି ସମୟରେ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଥିଲେ ଯୁବରାଜ । ସେହି ସଂସ୍କରଣରେ ସେ ଦଳ ପାଇଁ ସମସ୍ତ ୧୪ଟି ମ୍ୟାଚ୍ ଖେଳିଥିଲେ। ନିଜର ଏହି ନୂତନ ନିଯୁକ୍ତି ବିଷୟରେ  ଯୁବରାଜ ପ୍ରକାଶ କହିଛନ୍ତି ଯେ, ଦିଲ୍ଲୀ କ୍ୟାପିଟାଲ୍ସ ସହିତ କ୍ୟାରିୟରର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ସେ ବହୁତ ଉତ୍ସାହିତ। 

ସୌରଭ ଗାଙ୍ଗୁଲିଙ୍କ ସହ ପୁଣି ଥରେ କୋଚ୍ ଭାବରେ କାମ କରିବାକୁ ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି। କୋଚିଂ ଦେବା ତାଙ୍କର ଏକ ବ୍ୟକ୍ତିଗତ ପସନ୍ଦ ହୋଇଥିବାରୁ ଏହି ପ୍ରତିଭାବାନ୍ ଖେଳାଳିମାନଙ୍କ ସହ କାମ କରିବାକୁ ସେ ଆଉ ଅପେକ୍ଷା କରିପାରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଯୁବରାଜ ନିଜ ଆଇପିଏଲ୍ କ୍ୟାରିୟରରେ ୧୩୨ଟି ମ୍ୟାଚ୍ ଖେଳି ୨,୭୫୦ ରନ୍ ସଂଗ୍ରହ କରିବା ସହ ୩୬ଟି ୱିକେଟ୍ ମଧ୍ୟ ହାସଲ କରିଛନ୍ତି।

ଯୁବରାଜ ଯୁବ ଭାରତୀୟ ବ୍ୟାଟରମାନଙ୍କୁ ତାଲିମ୍ ଦେବାରେ ଯଥେଷ୍ଟ ସମୟ ବିତାଇଛନ୍ତି। ତାଙ୍କ ମାର୍ଗଦର୍ଶନରେ ଗଢ଼ିଉଠିଥିବା ଖେଳାଳିମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ୍ ପ୍ରମୁଖ । ଯେଉଁମାନେ ଆଜି ଭାରତୀୟ ଜାତୀୟ ଦଳର ନିୟମିତ ସଦସ୍ୟ ହୋଇପାରିଛନ୍ତି। ବିଶେଷ କରି ବାମହାତୀ ବ୍ୟାଟର ଅଭିଷେକ ଶର୍ମାଙ୍କୁ ଭାରତର ଅନ୍ୟତମ ବିସ୍ଫୋରକ ଟି-୨୦ ବ୍ୟାଟର ଭାବେ ଗଢ଼ିତୋଳିବାରେ ଯୁବରାଜଙ୍କ ଭୂମିକା ଅନନ୍ୟ । ନିଜର ଗୌରବମୟ କ୍ରିକେଟ୍ କ୍ୟାରିୟରରେ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ ଯୁବରାଜ । ୨୦୧୧ ବିଶ୍ୱକପ୍‌ରେ ‘ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ହୋଇଥିଲେ ଯୁବରାଜ । ଆଉ ଏବେ ତାଙ୍କ ଏହି ସବୁ ଅଭିଜ୍ଞତା ଦିଲ୍ଲୀ ପ୍ଲେୟାରଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।