ଭୁବନେଶ୍ୱର, ୧୪/୧୦ : ଲଘୁଚାପ ହେଲାନି। ଆଣ୍ଡମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ହିଁ ମିଳେଇଗଲା। ଆଉ ଲଘୁଚାପର କୌଣସି ସମ୍ଭାବନା ନାହିଁ। ପାର୍ବଣ ଭିତରେ ଏହି ଖବର ପୂଜା ବଜାରକୁ ବଡ଼ ଆଶ୍ୱସ୍ତି ଦେଇଛି। କାରଣ ଏବେ ପୂଜା ଭିତରେ ଆଉ ବଡ଼ ବର୍ଷା ସମ୍ଭାବନା କମ୍। ହେଲେ ପୂର୍ବ ଦିଗରୁ ପ୍ରବାହିତ ପବନ ଯୋଗୁ ଆକାଶ ମେଘୁଆ ରହିବା ସହ କିଛି କିଛି ଜାଗାରେ ହାଲୁକା ବର୍ଷା ହୋଇପାରେ। ବିଶେଷ କରି ଦକ୍ଷିଣ ଉପକୂଳ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି। କିନ୍ତୁ, ଉତ୍ତର ଓଡ଼ିଶା ଶୁଖିଲା ରହିପାରେ।

Also Read :- Horoscope Today : ଅକ୍ଟୋବର ୧୪ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ରହିଛି। ସେଠାରୁ ଏକ ଟ୍ରଫଲାଇନ୍ ( ନିମ୍ନଚାପ ରେଖା) ଲମ୍ବିଛି। ଏହା ପ୍ରଭାବରେ ହିଁ ପୂର୍ବ ପଟୁ ସମୁଦ୍ରରୁ ଯେଉଁ ପବନ ପ୍ରବାହିତ ହେଉଛି, ସେଥିରେ ଜଳୀୟବାଷ୍ପ ରହିଛି। ଏହା ହିଁ ବର୍ଷା କରାଇବ।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆସନ୍ତା ୫-୬ଦିନ ଯାଏଁ ରାଜ୍ୟର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ମଙ୍ଗଳବାର ଭୁବନେଶ୍ଵର, ପୁରୀ ସମେତ କିଛି ଜାଗାରେ ହାଲୁକା ବର୍ଷା ହୋଇଛି। ପାଗ ମଧ୍ୟ ଆଂଶିକ ମେଘୁଆ ରହିଥିଲା।

ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ର ଅଳ୍ପ କେତେକ ସ୍ଥାନ ସହ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା କିଛି କିଛି ଜାଗାରେ ରହିପାରେ। ମାତ୍ର ବଡ଼ ଧରଣର ବର୍ଷା ସମ୍ଭାବନା କମ୍।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟର ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଲଗାଣ କିମ୍ବା ବଡ଼ଧରଣର ବର୍ଷା ସମ୍ଭାବନା ନାହିଁ । ବୁଧବାର ଯାଏ ବର୍ଷା ରହିପାରେ। ତା' ପରେ କାଁ ଭାଁ ବର୍ଷା ସମ୍ଭାବନା ଅଛି। ଦକ୍ଷିଣ ଉପକୂଳର କିଛି କିଛି ଜାଗାରେ ହାଲୁକା ବର୍ଷା ହୋଇପାରେ ବୋଲି ଡ. ସାହୁ କହିଛନ୍ତି ।