ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ଟ୍ରଫି ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଶିବିରରେ ଉତ୍ସବର ମାହୋଲ ଥିବା ବେଳେ ଏବେ ଦଳକୁ ଏକ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର୍ ଫିନିସର ଟିମ୍ ଡେଭିଡଙ୍କ ଉପରେ ଆଇପିଏଲ୍ କମିଟି ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଇଦାନରେ ଅମ୍ପାୟରଙ୍କ ସହ ଅସଦାଚରଣ କରିବା ଯୋଗୁଁ ତାଙ୍କୁ ଆଗାମୀ ଆଇପିଏଲ୍ ୨୦୨୭ ସିଜିନର ପ୍ରଥମ ମ୍ୟାଚରୁ ବାଦ୍ ଦିଆଯାଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ସମୟରେ ଅମ୍ପାୟର ନୀତିନ ମେନନଙ୍କ ଉପରକୁ ଆଇସ୍ ବ୍ୟାଗ୍ ଫିଙ୍ଗିବା ଅଭିଯୋଗରେ ଟିମ୍ ଡେଭିଡଙ୍କ ଏହି ଦଣ୍ଡ ମିଳିଛି।

ମ୍ୟାଚ୍ ଫି'ରୁ ୫୦ ପ୍ରତିଶତ କଟାଗଲା

ଆଇପିଏଲ୍ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଟିମ୍ ଡେଭିଡ୍ ଆଇପିଏଲ୍ ଆଚରଣ ବିଧିର ଆର୍ଟିକିଲ୍ ୨.୯ (ଲେଭଲ୍-୧ ଅପରାଧ) ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଏହି ନିୟମ ଅନୁଯାୟୀ, ମ୍ୟାଚ୍ ଚାଲିଥିବା ସମୟରେ କୌଣସି ଖେଳାଳି, ଅମ୍ପାୟର କିମ୍ବା ଅଫିସିଆଲ୍ଙ୍କ ଆଡ଼କୁ ଆକ୍ରମଣାତ୍ମକ କିମ୍ବା ବିପଜ୍ଜନକ ଭାବେ ବଲ୍ କିମ୍ବା କ୍ରିକେଟ୍ ସାମଗ୍ରୀ ଫିଙ୍ଗିବା ବେଆଇନ। ଏହି କାରଣରୁ ଟିମ୍ ଡେଭିଡଙ୍କ ଉପରେ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜରିମାନା ଲଗାଯିବା ସହ ଦୁଇଟି ଡିମେରିଟ୍ ପଏଣ୍ଟ ମଧ୍ୟ ଦିଆଯାଇଛି। ମ୍ୟାଚ୍ ରେଫରି ଜାଭାଗଲ୍ ଶ୍ରୀନାଥଙ୍କ ସାମ୍ନାରେ ଡେଭିଡ୍ ନିଜର ଭୁଲ୍ ସ୍ୱୀକାର କରିବା ସହ ଦଣ୍ଡାଦେଶକୁ ଗ୍ରହଣ କରିଛନ୍ତି।

Also Read: ପ୍ରତି ରନର ମୂଲ୍ୟ ୮ ଲକ୍ଷ ୬୫ ହଜାର ୩୮୫ ଟଙ୍କା, LSGକୁ ଚୂନ ଲଗାଇଲେ ଋଷଭ ପନ୍ତ

କାହିଁକି ଲାଗିଲା ବ୍ୟାନ୍?

ଫାଇନାଲ୍ ମ୍ୟାଚର ପ୍ରଥମ ଇନିଂସର ୧୦ମ ଓଭରରେ ଏହି ଘଟଣା ଘଟିଥିଲା। ଗୁଜରାଟର ଗୋଟିଏ ଓ୍ଵିକେଟ୍ ପଡ଼ିବା ପରେ ଟିମ୍ ଡେଭିଡ୍ ଅତ୍ୟଧିକ ଉତ୍ସାହିତ ବା ଆକ୍ରମଣାତ୍ମକ ହୋଇ ଅମ୍ପାୟର ନୀତିନ ମେନନଙ୍କ ଆଡ଼କୁ ଏକ ଆଇସ୍ ବ୍ୟାଗ୍ ଫିଙ୍ଗିଥିଲେ।ତେବେ କେବଳ ଏହି ଗୋଟିଏ ମାମଲା ପାଇଁ ତାଙ୍କୁ ବ୍ୟାନ୍ କରାଯାଇ ନାହିଁ।

ଚଳିତ ସିଜିନ୍ରେ ଏହା ତାଙ୍କର ତୃତୀୟ ଲେଭଲ୍-୧ ଅପରାଧ ଥିଲା। ଏହା ପୂର୍ବରୁ ମ୍ୟାଚ୍ ନମ୍ବର ୨୦ରେ ତାଙ୍କୁ ୧ ଡିମେରିଟ୍ ପଏଣ୍ଟ ଏବଂ ମ୍ୟାଚ୍ ନମ୍ବର ୫୪ରେ ୨ ଡିମେରିଟ୍ ପଏଣ୍ଟ ମିଳିଥିଲା। ନୂତନ ଅପରାଧକୁ ମିଶାଇ ଚଳିତ ସିଜିନ୍ରେ ତାଙ୍କର ସମୁଦାୟ ଡିମେରିଟ୍ ପଏଣ୍ଟ ସଂଖ୍ୟା ୫ରେ ପହଞ୍ଚିଛି। ଆଇପିଏଲ୍ର ଶୃଙ୍ଖଳାଗତ ନିୟମ ଅନୁଯାୟୀ, ୫ ଡିମେରିଟ୍ ପଏଣ୍ଟ ହେଲେ ଖେଳାଳିଙ୍କ ଉପରେ ସ୍ୱତଃପ୍ରବୃତ୍ତ ଭାବେ ଗୋଟିଏ ମ୍ୟାଚ୍ର ବ୍ୟାନ୍ ଲାଗିଥାଏ।