ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କ ପରଲୋକ ହୋଇଛି । ଗୁରୁବାର ରାତି ପ୍ରାୟ ୮ଟା ସମୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, କାହ୍ନୁଚରଣ ନାଏକ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ଗତ ଜୁନ୍ ୨୭ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ପ୍ରଥମେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ଦେହାନ୍ତ ହୋଇଛି ।

କାହ୍ନୁଚରଣ ନାଏକ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଜନତା ଦଳ ପକ୍ଷରୁ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ଜନପ୍ରତିନିଧିତ୍ୱ କରିଥିଲେ । ଜଣେ ସରଳ ଓ ଲୋକପ୍ରିୟ ନେତା ଭାବେ ସେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ ଶୁଭେଚ୍ଛୁ ଓ ସମର୍ଥକଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି । ଶେଷ ଦର୍ଶନ ପାଇଁ ଡାକ୍ତରଖାନାରେ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି ।

Also Read: ନାତିକୁ ବଞ୍ଚାଇବାକୁ ଜୀବନକୁ ବାଜି ଲଗାଇଲେ ଜେଜେ, ଉଭୟଙ୍କ ମୃତ୍ୟୁ

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ସକାଳେ ତାଙ୍କ ପୈତୃକ ଗ୍ରାମ କଣ୍ଟିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ଭୋଗପଶିରେ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ବଡ଼ ପୁଅ ସତ୍ୟବ୍ରତ ନାଏକ ଏହି ସୂଚନା ଦେଇଛନ୍ତି । ପୂର୍ବତନ ବିଧାୟକଙ୍କ ବିୟୋଗରେ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।