ନୂଆଦିଲ୍ଲୀ: ଆଇପିଏଲ୍ (IPL) ହେଉଛି ଏମିତି ଏକ ମଞ୍ଚ ଯେଉଁଠି ଦେଶ-ବିଦେଶର ବଡ଼ ବଡ଼ ତାରକା ଖେଳାଳି କୋଟି କୋଟି ଟଙ୍କାରେ ବିକ୍ରି ହୁଅନ୍ତି। କିନ୍ତୁ ଅନେକ ସମୟରେ ଏହି ମହଙ୍ଗା ଖେଳାଳିମାନେ ମଇଦାନରେ ସମ୍ପୂର୍ଣ୍ଣ ଫ୍ଲପ୍ ସାବ୍ୟସ୍ତ ହୁଅନ୍ତି। ଚଳିତ ଆଇପିଏଲ୍ ୨୦୨୬ ସିଜିନରେ ଭାରତୀୟ ତାରକା ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କ ସହ କିଛି ଏଭଳି ଘଟିଛି। ରିପୋର୍ଟ ଅନୁଯାୟୀ, ଚଳିତ ସିଜିନରେ ପନ୍ତ ନିଜର ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG)କୁ ଆର୍ଥିକ ଦୃଷ୍ଟିରୁ ଏକ ବଡ଼ ଝଟକା ଦେଇଛନ୍ତି।

ଗତ ଦୁଇଟି ସିଜିନ୍ ହେବ ଲକ୍ଷ୍ନୌ ଦଳ ପନ୍ତଙ୍କୁ ବାର୍ଷିକ ୨୭ କୋଟି ଟଙ୍କାର ମୋଟା ଅଙ୍କର ଦରମା ଦେଇ ଆସୁଛି। କିନ୍ତୁ ଆଇପିଏଲ୍ ୨୦୨୬ରେ ଦଳର ନିରାଶାଜନକ ପ୍ରଦର୍ଶନ ଏବଂ ନିଜର ଖରାପ ଫର୍ମ ଯୋଗୁଁ ସେ ଅଧିନାୟକ ପଦରୁ ମଧ୍ୟ ଇସ୍ତଫା ଦେଇସାରିଛନ୍ତି। ତେବେ ଆପଣ ଜାଣିଛନ୍ତି କି, ଚଳିତ ସିଜିନରେ ପନ୍ତ ମଇଦାନରେ କରିଥିବା ପ୍ରତିଟି ରନ୍ ପାଇଁ ଦଳକୁ ଲକ୍ଷ ଲକ୍ଷ ଟଙ୍କା ଗଣିବାକୁ ପଡ଼ିଛି ?

Also Read: IPL 2026ର ମହାସମର ଶେଷ, ଏବେ ଟିମ୍ ଇଣ୍ଡିଆର ମିଶନ ଇଣ୍ଟରନ୍ୟାସନାଲ୍: ଜାଣନ୍ତୁ କେବେ, କାହା ସହ ହେବ କଡ଼ା ଟକ୍କର

ଲକ୍ଷ୍ନୌକୁ ବହୁତ ମହଙ୍ଗା ପଡ଼ିଲେ ପନ୍ତ

ଋଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳି ଭାବେ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ୨୭ କୋଟି ଟଙ୍କା ପାଉଛନ୍ତି। କିନ୍ତୁ ଏହି ବିପୁଳ ପରିମାଣର ଅର୍ଥ ଏବଂ ଚାପ ଆଗରେ ସେ ଚଳିତ ସିଜିନରେ ଆଦୌ ସଫଳ ହୋଇପାରି ନାହାନ୍ତି। ଆଇପିଏଲ୍ ୨୦୨୬ରେ ପନ୍ତ ସମୁଦାୟ ୧୪ଟି ମ୍ୟାଚ୍ ଖେଳି ମାତ୍ର ୩୧୨ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ପୂରା ସିଜିନରେ ତାଙ୍କ ବ୍ୟାଟରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ଦେଖିବାକୁ ମିଳିଛି।

ଯଦି ପନ୍ତଙ୍କୁ ମିଳୁଥିବା ୨୭ କୋଟି ଟଙ୍କାର ଦରମାକୁ ତାଙ୍କ ଦ୍ଵାରା ସଂଗ୍ରହ କରାଯାଇଥିବା ୩୧୨ ରନ୍ ସହ ଭାଗ କରାଯାଏ, ତେବେ ଏକ ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସୁଛି। ଚଳିତ ସିଜିନରେ ତାଙ୍କର ଗୋଟିଏ ରନର ମୂଲ୍ୟ ପ୍ରାୟ ୮,୬୫,୩୮୫ ଟଙ୍କା (ପ୍ରାୟ ୮ ଲକ୍ଷ ୬୫ ହଜାର ଟଙ୍କା) ରହିଛି। ଅର୍ଥାତ ମଇଦାନରେ ପନ୍ତ ଦୌଡ଼ିଥିବା ପ୍ରତିଟି ରନ୍ ପାଇଁ LSG କୁ ଏହି ମୋଟା ଅଙ୍କର ମୂଲ୍ୟ ଦେବାକୁ ପଡ଼ିଛି, ଯାହା ଆଇପିଏଲ୍ ୨୦୨୬ର ସବୁଠାରୁ ମହଙ୍ଗା ରନ୍।

Also Read: ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରେ ପୂର୍ବତନ କ୍ରିକେଟ ଷ୍ଟାର, IPLରେ କରିଥିଲେ କମାଲ

ଅଧିନାୟକ ପଦ ଛାଡ଼ିଲେ ପନ୍ତ

ଋଷଭ ପନ୍ତଙ୍କ ନେତୃତ୍ଵରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨୦୨୫ ଏବଂ ୨୦୨୬ ଉଭୟ ସିଜିନରେ ପ୍ଲେ-ଅଫ୍କୁ ଯିବାରେ ବିଫଳ ହୋଇଛି। ବିଶେଷ କରି ଚଳିତ ସିଜିନରେ LSG ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିଲା। ଦଳର ଏଭଳି ସ୍ଥିତି ଏବଂ ନିଜର ଖରାପ ପ୍ରଦର୍ଶନ ପାଇଁ ପନ୍ତ ନିକଟରେ ଦଳର ଅଧିନାୟକତ୍ଵ ପଦରୁ ଇସ୍ତଫା ଦେଇଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଦଳକୁ ଆଶାନୁରୂପ ସଫଳତା ନମିଳିବା ଏବଂ ମହଙ୍ଗା ଖେଳାଳିଙ୍କ ଏଭଳି ଫ୍ଲପ୍ ଶୋ’ ବର୍ତ୍ତମାନ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।