ନୂଆଦିଲ୍ଲୀ, ୦୮/୦୫: ଚଳିତ ଆଇପିଏଲ ୫୧ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ ଏବଂ କୋଲକାତା । ଘରୋଇ ଗ୍ରାଉଣ୍ଡରେ କୋଲକାତା ସହ ମୁକାବିଲା କରିବ ଦିଲ୍ଲୀ । ଉଭୟ ଦଳ ପାଇଁ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଶୁକ୍ରବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଦିଲ୍ଲୀ ୧୦ଟି ମ୍ୟାଚ ଖେଳି ୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । କୋଲକାତା ୯ଟି ମ୍ୟାଚ ଖେଳିଛି ଓ ୭ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ଅତି କମ୍ରେ ୧୪ ପଏଣ୍ଟର ଆବଶ୍ୟକତା ରହିଛି । ତେଣୁ ଉଭୟ ଦଳ ବେଶୀ ପରିକ୍ଷା ନକରି ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

କୋଲକାତା ପ୍ରଥମ ୬ଟି ମ୍ୟାଚରୁ ୫ଟିରେ ପରାଜିତ ହୋଇଥିଲା । ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ୧ ପଏଣ୍ଟ ଅର୍ଜନ କରିଥିଲା । ମାତ୍ର ଏହାପରେ କୋଲକାତା ଲଢୁଆ ଖେଳ ପ୍ରଦର୍ଶନ କ୍ରମାନ୍ୱୟରେ ୩ଟି ମ୍ୟାଚ ଜିତିଛି । ବର୍ତ୍ତମାନ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଥିଲେ ହେଁ ଓପନିଂ ବିଭାଗର ବିଫଳତାକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି । ଅଜିଙ୍କ୍ୟ ରାହାଣେଙ୍କ ସହ ଫିନ ଆଲେନ ଓ ଟିମ ସାଇଫର୍ଟ ଓପନ କରିଥିଲେ ହେଁ ଏପର୍ଯ୍ୟନ୍ତ ଅସଲ ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି ।

ଦିଲ୍ଲୀର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଦିଲ୍ଲୀ ସବୁ ତ୍ରୁଟି ସୁଧାରି ପୁଣି ଥରେ ବିଜୟଧାରାକୁ ଫେରିବା ପାଇଁ ପ୍ରୟାସ କରିବ । ମାତ୍ର ଏଥିପାଇଁ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ବିଶେଷ କରି ସ୍ପିନ ବିଭାଗ ୱିକେଟ୍ ହାତେଇବା ଆବଶ୍ୟକ । ପୂର୍ବ ରେକର୍ଡ କୋଲକାତା ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୩୫ଥର ଭେଟିଛନ୍ତି । ଏଥିରୁ ଦିଲ୍ଲୀ ୧୫ଟି ମ୍ୟାଚ ଜିତିଥିବାବେଳେ ୧୯ଟି ମ୍ୟାଚରେ ପରାଜିତ ହୋଇଛି ।

Also Read :- ଆକ୍ସନ ମୋଡରେ BCCI : IPLରେ ହନୀ ଟ୍ରାପ୍ ଭୟ ! ଖେଳାଳିଙ୍କ ପାଇଁ କଡା ଆଇନ୍, ମାନିବାକୁ ହେବ ଏସବୁ ନିୟମ

ଚଳିତ ବର୍ଷ ଉଭୟ ଦଳ ପ୍ରଥମ କରି ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ରିଙ୍କୁ ସିଂହଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ । ରିଙ୍କୁଙ୍କ ପ୍ରଦର୍ଶନ ବଳରେ କୋଲକାତା ୩ଟି ଯାକ ମ୍ୟାଚ ଜିତିଥିଲା । ତଥାପି ଓପନିଂ ବିଭାଗ ସଫଳ ହେଲେ କୋଲକାତା ପାଇଁ ବିଜୟ ସହଜ ହେବ । କୋଟଲା ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଫଳରେ ବିଶାଳ ସ୍କୋର ସଂଗୃହୀତ ହେବା ଆଶା କରାଯାଉଛି । ରାତ୍ରିରେ କାକର ବଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।