ଭୁବନେଶ୍ବର ୧୮।୯: ବାଲେଶ୍ବର ଜିଲ୍ଲା ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାକୁ ଇତି ମଧ୍ୟରେ ବିତିଲାଣି ୧୦ ଦିନ । କିନ୍ତୁ ଚାଲାଣକାରୀ କିମ୍ବା ଚାଲାଣ ପଛର ରହସ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । କ୍ରାଇମବ୍ରାଞ୍ଚ STF କିମ୍ବା ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଏନେଇ କିଛି ଠୋସ୍ ତଥ୍ୟ ହାତେଇ ପାରିନାହାନ୍ତି ।

ଏସବୁ ମଧ୍ୟରେ ବଡ଼ ବୟାନ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଏସବୁରେ ଇଣ୍ଟରନ୍ୟାସନାଲ ଲିଙ୍କ୍ ଥିବାରୁ ତଦନ୍ତ ଡେରି ହେଉଛି । ଏ ଘଟଣାର ମୂଳକୁ ପହଞ୍ଚିବା ପାଇଁ ଲମ୍ବା ସମୟ ଲାଗିପାରେ । ମନ୍ତ୍ରୀଙ୍କ ଏଭଳି ବୟାନରୁ ଅନୁମାନ ଯେ ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଛି ।

ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ଓରାଙ୍ଗଉଟାନ ଓଡ଼ିଶା ଆସିବାରେ ଇଣ୍ଟରନ୍ୟାସନାଲ ଲିଙ୍କ୍ ଯେହେତୁ ରହିଛି ତେଣୁ ବିଭିନ୍ନ ରାଜ୍ୟରେ ଏହାର ତଦନ୍ତ ଚାଲିଛି । ଏସଟିଏଫ ଏହାର ତଦନ୍ତ କରୁଛି । ଆଉ କିଛି ସମୟ ଲାଗିବ । ଖୁବ୍ଶୀଘ୍ର ଦୋଷୀ ଧରାପଡିବେ । ପ୍ରାଥମିକ ସ୍ତରରେ ରାଜ୍ୟରେ ଯେଉଁମାନେ ଏଥିରେ ଜଡିତ ଥିଲେ ସେମାନେ ଧରାପଡିଛନ୍ତି । ତାଙ୍କର ଲିଙ୍କ୍ କେତେ ଦୂର ଯାଏଁ ଥିଲା ତାର ଖୋଳତାଡ଼ ଚାଲିଛି । ଏସଟିଏଫ ଓ ଡବ୍ଲୁସିସିବି ତଦନ୍ତ କରୁଛି । ବିଭିନ୍ନ ରାଜ୍ୟ ଯାଇ ସେଠାରେ ତଦନ୍ତ କରାଯାଉଛି । ଏ ତଦନ୍ତ ପାଇଁ ମାସେରୁ ଅଧିକ ସମୟ ମଧ୍ୟ ଲାଗିପାରେ । ଭବିଷ୍ୟତରେ ଯେପରି ଏମିତି ନ ହେଉ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଏ ରାକେଟ୍କୁ ମୂଳରୁ ଓପାଡ଼ିବା ପାଇଁ ଲମ୍ବା ସମୟ ଲାଗିପାରେ । ଏସ୍ଟିଏଫ୍ ଉପରେ ଆମର ବିଶ୍ୱାସ ରହିଛି । ଏବେ ସବୁ ଓରାଙ୍ଗଉଟାନ ସୁସ୍ଥ ଅଛନ୍ତି । ଆମେ ତାଙ୍କର ପୁରା ଯତ୍ନ ନେଉଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ, ତଦନ୍ତକାରୀ ଟିମ୍ ଅନୁମାନ କରୁଛି ଯେ ବିଚିତ୍ରପୁର ହେନ୍ତାଳ ବଣ ଭଳି ସନ୍ତସନ୍ତିଆ ଅଞ୍ଚଳରେ ଓରାଙ୍ଗଉଟାନ ଶାବକଗୁଡ଼ିକ ଲୁଚାଇ ରଖିବା ଯୋଜନା ଥିଲା । କିନ୍ତୁ ଧରାପଡ଼ିବା ଭୟରେ ତସ୍କର ୫ ଶାବକଙ୍କୁ ଚନ୍ଦନେଶ୍ୱର-ଭୂଷଣ୍ଡେଶ୍ଵର ରାସ୍ତାକଡ଼ ଝାଉଁ ଜଙ୍ଗଲରେ ଜଙ୍ଗଲରେ ଛାଡ଼ି ପଶ୍ଚିମବଙ୍ଗ ଅଭିମୁଖେ ପଳାଇ ଯାଇଥିଲେ । ଜଣେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା ମୁତାବକ, ଝାଉଁ ଜଙ୍ଗଲରୁ ଉଦ୍ଧାର କରାଯିବା ଦିନ ୪ଟି ଶାବକ ଅସୁସ୍ଥ ହୋଇପଡ଼ିଥିଲେ । ଗୋଟିଏ ମାଈ ଶାବକଙ୍କ ଜ୍ଵର ହୋଇଥିଲା । ଅନ୍ୟ ୩ଟିକୁ ଥଣ୍ଡା ଲାଗି ରହିଥିଲା । ଏହା ପଛର ଏକମାତ୍ର କାରଣ ହେଉଛି ଏମାନଙ୍କୁ ଦୀର୍ଘ ସମୟ ଧରି ପ୍ରାକୃତିକ ପରିବେଶ ଠାରୁ ଦୂରେଇ ରଖିବା ।

Also Read:- ଭାଇ ଆଖି ଆଗରେ ଭାସିଗଲା ଭଉଣୀ, କାହ୍ନା କୁଣ୍ଡରେ ଭାସିଗଲେ ଆଉ ଜଣେ ମହିଳା

ହୋଟେଲରେ ଶାବକଗୁଡ଼ିକୁ କିଛି ଦିନ ଧରି ରଖାଯାଇଥିବା ତଥ୍ୟ ଯୋଗାଇଛି STF । ହୋଟେଲର ଚାରିକାନ୍ଥରେ ରହି ରହି ଶାବକଗୁଡ଼ିକ ଏକରକମ ଅଣନିଶ୍ବାସୀ ହୋଇଯାଇଥିଲେ । ତସ୍କରମାନେ ସୁବର୍ଣ୍ଣରେଖା ନଦୀ କଡ଼ରେ ଥିବା ବିଚିତ୍ରପୁର ହେନ୍ତାଳ ବଣରେ କିଛି ଦିନ ପାଇଁ ଲୁଚାଇ ରଖିବାକୁ ଯୋଜନା ପାଞ୍ଚିଥିଲେ । ଇଣ୍ଡୋନେସିଆ, ମାଲେସିଆ ଭଳି ଏହା ଆର୍ଦ୍ର ଜଙ୍ଗଲ ହୋଇନଥିଲେ ମଧ୍ୟ ଏହି ଦ୍ବୀପରେ ଶାବକମାନେ କିଛି ଦିନ ଆରାମରେ ରହି ସୁସ୍ଥ ହୋଇପାରିବେ ବୋଲି ତସ୍କରମାନେ ଭାବିଥିବେ । କାରଣ ଉଦୟପୁର ବନ ଅଧିକାରୀମାନେ ଭୋଗରାଇ ଆଖପାଖ ଜଙ୍ଗଲରୁ ଉଦ୍ଧାର ହେଉଥିବା ସାପ, ମାଙ୍କଡ଼ ଓ ଅନ୍ୟ ବନ୍ୟଜନ୍ତୁ ଗୁଡ଼ିକୁ ଏହି ଜଙ୍ଗଲରେ ଛାଡ଼ିଥାନ୍ତି । ଦୀଘାରୁ ସେଠାକୁ ମାତ୍ର ଗୋଟିଏ ସ୍ଥଳପଥ ରୁଟ୍ ହେଉଛି ଚନ୍ଦନେଶ୍ଵର-ଭୂଷଣ୍ଡେଶ୍ଵର ରାସ୍ତା । ତେବେ କୌଣସି କାରଣ ଯୋଗୁ ତସ୍କର ଥାର୍ ଗାଡ଼ିରେ ଓରାଙ୍ଗଉଟାନ ଶାବକଗୁଡ଼ିକୁ ହେନ୍ତାଳ ବଣକୁ ନେବାରେ ବିଫଳ ହୋଇଥିଲେ । ବନ ବିଭାଗର ବିଟ୍ ହାଉସ୍ ଅଥବା ପ୍ରକୃତି ନିବାସରେ ଚୋକିଂ ହେଉଥିବା ଦେଖି ସେମାନେ ଡରିଯାଇଥିବେ ବୋଲି ଅନୁମାନ କରାଯାଉଛି ।

Watch Video: