ନୂଆଦିଲ୍ଲୀ : ନୂଆଦିଲ୍ଲୀ : ଚେସ୍ ଦୁନିଆରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଖେଳାଳି ବୋଧନା ଶିବାନନ୍ଦନ। ବୟସ ମାତ୍ର ୧୧ ବର୍ଷ ୭ ମାସ । ହେଲେ ଅନ୍ତର୍ଜାତୀୟ ମାଷ୍ଟର ବା ଆଇଏମ୍ ଟାଇଟଲ୍ ପାଇଁ ସେ ସମସ୍ତ ଯୋଗ୍ୟତା ପୂରଣ କରିଛନ୍ତି । ଚେସ୍ ବୋର୍ଡରେ ନିଜର ଖେଳରେ ମାତ୍ ଦେଇଛନ୍ତି ବିଶ୍ୱର ଅନେକ ଅଭିଜ୍ଞ ଖେଳାଳିଙ୍କୁ। ଏହା ସହ ହୋଇଛନ୍ତି ଇତିହାସର ସର୍ବକନିଷ୍ଠ ମହିଳା ଆଇଏମ୍ ଯୋଗ୍ୟତା ହାସଲକାରୀ ଖେଳାଳି। ଯାହାଙ୍କୁ ନେଇ ଏବେ ବିଶ୍ୱଦରବାରରେ ଚର୍ଚ୍ଚା । 

ସୂଚାନୁଯାୟୀ, ଲଣ୍ଡନର ହାରୋ ଉପକଣ୍ଠରେ ରହୁଥିବା ଶିବାନନ୍ଦନ ଶୁକ୍ରବାର ମୋଣ୍ଟେନେଗ୍ରୋର ବୁଡଭାରେ ଅନୁଷ୍ଠିତ ୟୁରୋପୀୟ ମହିଳା କ୍ଲବ୍ କପରେ ଶେଷ ରାଉଣ୍ଡ ଖେଳ ଜିତିଛନ୍ତି । ଏହା ପରେ ହଙ୍ଗେରୀୟ ଚେସ୍ କିମ୍ବଦନ୍ତୀ ଜୁଡିଟ୍ ପୋଲଗାରଙ୍କ 38 ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଜୁଡିଟଙ୍କୁ ଚେସ୍ ଇତିହାସର ସର୍ବଶ୍ରେଷ୍ଠ ମହିଳା ଖେଳାଳି ଭାବରେ ବିବେଚନା କରାଯାଏ। ଶିବାନନ୍ଦନ ଟୁର୍ଣ୍ଣାମେଣ୍ଟରେ ତାଙ୍କର ତୃତୀୟ ଏବଂ ଅନ୍ତିମ ଆଇଏମ୍ ନର୍ମ ସୁରକ୍ଷିତ କରିଥିଲେ ଏବଂ ଆବଶ୍ୟକୀୟ ଲାଇଭ୍ ରେଟିଂ ଥ୍ରେସହୋଲ୍ଡ ୨୪୦୦ ଅତିକ୍ରମ କରି, ଆଇଏମ୍ ଟାଇଟଲ ପାଇଁ ସର୍ତ୍ତ ପୂରଣ କରିଥିଲେ, ଯାହା ଚେସରେ ଦ୍ୱିତୀୟ ସର୍ବୋଚ୍ଚ ଓପନ୍ ଟାଇଟଲ।ଏହି ରେକର୍ଡ ପୂର୍ବରୁ ହଙ୍ଗେରୀର ଚେସ୍ କିମ୍ବଦନ୍ତୀ ଜୁଡିଟ୍ ପୋଲଗାରଙ୍କ ନାଁରେ ଥିଲା। ୧୯୮୮ରେ ମାତ୍ର ୧୨ ବର୍ଷ ବୟସରେ ସେ ଆଇଏମ୍ ଯୋଗ୍ୟତା ହାସଲ କରିଥିଲେ। ଏବେ ବୋଧନା ୧୧ ବର୍ଷ ବୟସରେ ଏହି ସଫଳତା ପାଇ ପୋଲଗାରଙ୍କ ରେକର୍ଡକୁ ପଛରେ ପକାଇଛନ୍ତି। ଏଥିସହ ସେ ପୂର୍ବତନ ମହିଳା ବିଶ୍ୱ ଚାମ୍ପିଅନସିପ୍ ଚ୍ୟାଲେଞ୍ଜର ଜିଏମ୍ ଆଲେକଜାଣ୍ଡ୍ରା ଗୋରିଆଚକିନାଙ୍କ ବିପକ୍ଷରେ ପ୍ରଥମ ରାଉଣ୍ଡ ପରାଜୟ ସତ୍ତ୍ୱେ ସାତଟି ଖେଳରୁ ୫.୫ ପଏଣ୍ଟ ପାଇଛନ୍ତି । ସ୍ୱିଡେନର ଡବ୍ଲୁଆଇଏମ୍ ଭିକ୍ଟୋରିଆ ଜୋହାନସନଙ୍କ ବିପକ୍ଷରେ ଶେଷ ରାଉଣ୍ଡ ବିଜୟ ପରେ ତାଙ୍କ ଟିମ୍ "ସି ପ୍ଲେଜ୍ ଟୁ ୱିନ୍ ଲାୟୋନେସେସ୍ ଏ" ଆଇଏମ୍ ଟାଇଟଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୧୦ ଜଣ ଯୁବ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଥିଲା।

କେବଳ ମହିଳା ବର୍ଗରେ ନୁହେଁ, ସବୁ ଖେଳାଳିଙ୍କୁ ମିଶାଇଲେ ମଧ୍ୟ ସେ ଆଇଏମ୍ ଯୋଗ୍ୟତା ହାସଲ କରିଥିବା ସପ୍ତମ ସର୍ବକନିଷ୍ଠ ଖେଳାଳି।ତେବେ କିଏ ଏହି ବୋଧନା? ତାମିଲନାଡୁର ତ୍ରିଚି ସହ ରହିଛି ବୋଧନାଙ୍କ ପରିବାରର ସମ୍ପର୍କ। ୨୦୦୭ରେ ତାଙ୍କ ବାପା-ମାଆ ବ୍ରିଟେନ୍ ଚାଲିଯାଇଥିଲେ। ଲଣ୍ଡନର ହାରୋ ଅଞ୍ଚଳରେ ରହୁଥିବା ବୋଧନାଙ୍କ ଚେସ୍ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା ମାତ୍ର ୫ ବର୍ଷ ବୟସରେ। ବାପା ଫିଙ୍ଗିଦେବାକୁ ଯାଉଥିବା ଏକ ପୁରୁଣା ଚେସ୍ ସେଟ୍ ତାଙ୍କ ହାତରେ ପଡ଼ିଥିଲା। ସେହିଠାରୁ ଆରମ୍ଭ ହୋଇଥିଲା ଚେସ୍ ସହ ତାଙ୍କର ସମ୍ପର୍କ। ଆଉ ଆଜି ସେହି ଖେଳ ତାଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇଛି । ବୋଧନାଙ୍କ ସଫଳତାର ଆଉ ଏକ ବିଶେଷ କଥା ହେଉଛି, ସେ ପାଠପଢ଼ା ସହ ଚେସ୍ ଖେଳକୁ ମଧ୍ୟ ସମାନ ଗୁରୁତ୍ୱ ଦେଉଛନ୍ତି। ପ୍ରତିଦିନ ପ୍ରାୟ ଦୁଇ ଘଣ୍ଟା ଚେସ୍ ଅଭ୍ୟାସ କରନ୍ତି। ଜୁଲାଇରେ ଫ୍ରାନ୍ସର ଡୋଲ୍ ଓପନ୍ରେ ପ୍ରଥମ ଆଇଏମ୍ ନର୍ମ, ସେପ୍ଟେମ୍ବରରେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ଚେସ୍ ଅଲିମ୍ପିଆଡ୍ରେ ଦ୍ୱିତୀୟ ନର୍ମ ଏବଂ ଅକ୍ଟୋବରରେ ମୋଣ୍ଟେନେଗ୍ରୋରେ ତୃତୀୟ ନର୍ମ ହାସଲ କରିଥିଲେ। ଏହି ସଫଳତା ତାଙ୍କୁ ଆଇଏମ୍ ଟାଇଟଲ୍ର ଯୋଗ୍ୟ କରିଛି।