ନୂଆଦିଲ୍ଲୀ,୧୪ /୧୧ -; ବିଶ୍ୱର ଅଗ୍ରଣୀ ଚିପ୍ ନିର୍ମାତା କମ୍ପାନୀ ଏନଭିଡିଆର ପୂର୍ବତନ ସିଓ ଜେନସେନ୍ ହୁଆଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କ ବିରୋଧରେ ବିବାହ ବାହାରେ ସମ୍ପର୍କ ଏବଂ ଚୀନ୍ର ଗୁପ୍ତଚର ସଂସ୍ଥା ସହ ସମ୍ପର୍କ ଥିବା ସନ୍ଦେହକୁ ନେଇ ବିବାଦ ଦେଖାଦେବା ପରେ ସେ ସିଓ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଘଟଣା ପରେ ହୁଆଙ୍ଗଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀକୁ ନେଇ ତାଙ୍କ ଜୀବନୀ ଲେଖକ ଷ୍ଟିଫେନ୍ ୱିଟ୍ ଏକ ବଡ଼ ଖୁଲାସା କରିଛନ୍ତି।

୨୦୨୫ ମସିହାରେ ପ୍ରକାଶିତ ‘ଦି ଥିଙ୍କିଂ ମେସିନ୍’ ପୁସ୍ତକର ଲେଖକ ଷ୍ଟିଫେନ୍ ୱିଟ୍ ଦି ନ୍ୟୁୟର୍କ ଟାଇମ୍ସରେ ଲେଖିଥିବା ଏକ ମତାମତ ଭିତ୍ତିକ ଲେଖାରେ ହୁଆଙ୍ଗଙ୍କୁ ଜଣେ ଅତ୍ୟନ୍ତ ଅହଂକାରୀ ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ, ହୁଆଙ୍ଗଙ୍କ ସାର୍ବଜନୀନ ନମ୍ରତା ପଛରେ ଅନ୍ୟ ଏକ ଚେହେରା ଲୁଚି ରହିଥିଲା। ୱିଟ୍ ନିଜ ଲେଖାରେ ଅଭିଯୋଗ କରିଛନ୍ତି ଯେ, ଏନଭିଡିଆର ହେଲ୍ଥକେୟାର ବିଭାଗର ଜଣେ ବରିଷ୍ଠ ଅଧିକାରୀ କିମ୍ବର୍ଲି ପାୱେଲଙ୍କ ସହ ହୁଆଙ୍ଗଙ୍କ ସମ୍ପର୍କ କମ୍ପାନୀ ଭିତରେ ଅନେକଙ୍କୁ ଜଣାଥିଲା। ପାୱେଲ ହୁଆଙ୍ଗଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ।

ଜଣେ ପୂର୍ବତନ କର୍ମଚାରୀଙ୍କ କଥାକୁ ଉଦ୍ଧୃତ କରି ୱିଟ୍ କହିଛନ୍ତି ଯେ, ହୁଆଙ୍ଗଙ୍କ ଦୁଇ ସନ୍ତାନ ଏନଭିଡିଆରେ ବରିଷ୍ଠ ପଦବୀରେ କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ଏହି ସମ୍ପର୍କ ଜାରି ରହିଥିଲା। ଏହା ହୁଆଙ୍ଗଙ୍କୁ ଏକ ପ୍ରକାର ଆତ୍ମତୃପ୍ତି ଦେଉଥିଲା ବୋଲି ସମ୍ପୃକ୍ତ ପୂର୍ବତନ କର୍ମଚାରୀ କହିଥିବା ୱିଟ୍ ଦାବି କରିଛନ୍ତି।

ୱିଟ୍ଙ୍କ ମତରେ, ଏନଭିଡିଆ ଭିତରେ ହୁଆଙ୍ଗଙ୍କୁ ନେଇ ଏକ ନୀରବତାର ପରିବେଶ ରହିଥିଲା। ଯାହା ତାଙ୍କୁ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବାର ସୁଯୋଗ ଦେଉଥିଲା। ସେ ଆହୁରି କହିଛନ୍ତି ଯେ, ନିଜ ଅହଂକାରକୁ ଲୁଚାଇବା ପାଇଁ ହୁଆଙ୍ଗ ଅନେକ ଉଦ୍ୟମ କରୁଥିଲେ। କମ୍ପାନୀର ସଫଳତାର ଶ୍ରେୟ ନିଜେ ନ ନେଇ କର୍ମଚାରୀଙ୍କୁ ଦେଉଥିଲେ। ନିଜର ପୁରୁଣା ଦିନକୁ ମନେ ପକାଇ ସେ କିପରି ଏକଦା ବାସନ ମାଜିବା କାମ କରୁଥିଲେ, ସେ କଥା ମଧ୍ୟ କହୁଥିଲେ। ଛୋଟ ରେଷ୍ଟୁରାଣ୍ଟକୁ ଯାଇ ଖାଇବା ପରେ ମୋଟା ଅଙ୍କର ଟିପ୍ସ ଦେବା ତାଙ୍କ ଅଭ୍ୟାସ ଥିଲା।

ହୁଆଙ୍ଗଙ୍କ କାର୍ଯ୍ୟଶୈଳୀକୁ ବର୍ଣ୍ଣନା କରିବାକୁ ଯାଇ ୱିଟ୍ ୨୦୧୪ର ହଲିଉଡ୍ ଫିଲ୍ମ ‘ହ୍ୱିପ୍ଲାଶ୍’ର ଜେ.କେ. ସିମନ୍ସଙ୍କ ଚରିତ୍ର ସହ ତୁଳନା କରିଛନ୍ତି। ଏହି ଫିଲ୍ମରେ ସେ ଜଣେ କଠୋର ଓ ଅତ୍ୟାଚାରୀ ସଙ୍ଗୀତ ଶିକ୍ଷକ ଭୂମିକାରେ ଥିଲେ।ୱିଟ୍ଙ୍କ ଅନୁସାରେ, ହୁଆଙ୍ଗ ନିଜ ସହ ଅସହମତିକୁ ସହଜରେ ଗ୍ରହଣ କରିପାରୁନଥିଲେ। ଖୋଲାଖୋଲି ଆଲୋଚନାକୁ ମଧ୍ୟ ସେ ବିଶେଷ ପସନ୍ଦ କରୁନଥିଲେ। କେହି ତାଙ୍କ ମତର ବିରୋଧ କଲେ ଯୁକ୍ତିତର୍କ ଏପରିକି ଉଚ୍ଚ ସ୍ୱରରେ ପାଟିତୁଣ୍ଡ ହେବାର ସମ୍ଭାବନା ରହୁଥିଲା ବୋଲି ୱିଟ୍ ଦାବି କରିଛନ୍ତି।

also read- ଜେସନ ହୁଆଙ୍ଗଙ୍କୁ ପୁଣି CEO ନିଯୁକ୍ତ କରିବାକୁ ଜୋର ଧରିଲା ଦାବି, ଓପନ ଲେଟର ସ୍ୱାକ୍ଷର କଲେ ମସ୍କଙ୍କ ସମେତ ୪୩ ହଜାର ସମର୍ଥକ

ଏହାସହ ଜଣେ ଆଦର୍ଶ ପରିବାର ମୁଖ୍ୟ ଭାବେ ନିଜକୁ ଉପସ୍ଥାପନ କରିବାକୁ ମଧ୍ୟ ହୁଆଙ୍ଗ ଉଦ୍ୟମ କରୁଥିଲେ ବୋଲି ୱିଟ୍ ଲେଖିଛନ୍ତି। ସେ ଅନେକ ସମୟରେ ନିଜ ପତ୍ନୀ ଲୋରିଙ୍କ ତ୍ୟାଗ ଓ ସହଯୋଗ ବିଷୟରେ କହୁଥିଲେ। ଏନଭିଡିଆକୁ ଏତେ ବଡ଼ କମ୍ପାନୀରେ ପରିଣତ କରିବା ପାଇଁ ତାଙ୍କ ପତ୍ନୀ କିପରି ସହଯୋଗ କରିଥିଲେ, ସେ କଥା ମଧ୍ୟ ସେ ଉଲ୍ଲେଖ କରୁଥିଲେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୁଆଙ୍ଗଙ୍କ ଘନିଷ୍ଠତାକୁ ନେଇ ମଧ୍ୟ ୱିଟ୍ ପ୍ରଶ୍ନ ଉଠାଇଛନ୍ତି। ୨୦୨୫ରେ ହୁଆଙ୍ଗ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ ହୋଇଥିବା ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି ସେ କହିଛନ୍ତି। ୱିଟ୍ଙ୍କ ଅଭିଯୋଗ ଅନୁସାରେ, ଚୀନ୍କୁ ଏନଭିଡିଆର ଚିପ୍ ବିକ୍ରି ଉପରେ ଥିବା ରପ୍ତାନି କଟକଣା ହଟାଇବା ପାଇଁ ହୁଆଙ୍ଗ ଟ୍ରମ୍ପଙ୍କୁ ପ୍ରଭାବିତ କରିଥିଲେ। ଏହାକୁ ନେଇ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସମେତ ଚୀନ୍ ପ୍ରତି କଠୋର ମନୋଭାବ ରଖୁଥିବା ଅଧିକାରୀଙ୍କ ସହ ତାଙ୍କର ମତଭେଦ ସୃଷ୍ଟି ହୋଇଥିଲା। ହୁଆଙ୍ଗଙ୍କ ବିରୋଧରେ ଗୁପ୍ତଚର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ସୂଚନା ସାମ୍ନାକୁ ଆସିବା ପଛରେ ରୁବିଓଙ୍କ ଭୂମିକା ଥିବା ୱିଟ୍ ନିଜ ଲେଖାରେ ଦାବି କରିଛନ୍ତି।