ଭୁବନେଶ୍ବର ୩୧।୧୦: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ANTF) ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ବିରୋଧରେ ଏକ ବଡ଼ଧରଣର ସଫଳତା ହାସଲ କରିଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପି.ଏନ୍. କଲେଜ ନିକଟରେ ଚଢ଼ଉ କରି ANTF ଟିମ୍ ଜଣେ ମହାରାଷ୍ଟ୍ରର ମାଷ୍ଟରମାଇଣ୍ଡ ସମେତ ୫ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପ୍ରାୟ ୯୭ କେଜି ଗଞ୍ଜେଇ, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୯ ଲକ୍ଷ ଟଙ୍କା ଏବଂ ଚାଲାଣ ପାଇଁ ବ୍ୟବହୃତ ଦୁଇଟି କାର୍ ଜବତ କରାଯାଇଛି ।

ନିର୍ଭରଯୋଗ୍ୟ ଗୁଇନ୍ଦା ସୂଚନା ଆଧାରରେ ANTF ର ଏକ ସ୍ୱତନ୍ତ୍ର ଟିମ୍ ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ପି.ଏନ୍. କଲେଜ ନିକଟରେ ଜଗି ରହିଥିଲା । ସେହି ସମୟରେ କନ୍ଧମାଳ ଜିଲ୍ଲାରୁ ମହାରାଷ୍ଟ୍ରର ସୋଲାପୁର ଆଡ଼କୁ ଯାଉଥିବା ଦୁଇଟି କାର୍କୁ ଅଟକାଯାଇଥିଲା । ଏହି ଗାଡ଼ି ଗୁଡ଼ିକରେ କନ୍ଧମାଳରୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ତନାଘନା ପରେ ଗାଡିରେ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫଦାରୀ କରାଯାଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମହାରାଷ୍ଟ୍ର ସୋଲାପୁରର ସାଗର ବସବରାଜ କପାଲେ । ଯିଏକି ଏହି ସିଣ୍ଡିକେଟର ମାଷ୍ଟରମାଇଣ୍ଡ । ଅନ୍ୟ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା କେ.ନୂଆଗାଁର ଉଦୟ ଦିଗାଳ , ନରେଶ ପ୍ରଧାନ, କାର୍ତ୍ତିକ ମଲ୍ଲିକ ଓ ଗୋବିଲ ରାଜ ବେହେରା । ସେମାନଙ୍କ ନିକଟରୁ ଏସଟିଏଫ ପ୍ରାୟ ୯୭ କେଜି ଗଞ୍ଜେଇ ଯାହାର ବଜାର ମୂଲ୍ୟ ପ୍ରାୟ ୪୯ ଲକ୍ଷ ଟଙ୍କା, ଦୁଇଟି କାର୍, ମୋବାଇଲ୍ ଫୋନ୍, ଡେବିଟ୍ କାର୍ଡ ଏବଂ ନଗଦ ୧୧,୬୦୦ ଟଙ୍କା ଜବତ କରିଛି ।

Also Read:- Another cyclone: ମାଡ଼ି ଆସୁଛି ଆଉ ଏକ ବାତ୍ୟା ! ନଭେମ୍ବର ୪ରୁ ବଦଳିବ ପାଗ, ୫ ଜିଲ୍ଲାରେ ପ୍ରବଳ ବର୍ଷିବ !

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଅଭିଯୁକ୍ତ ମାନେ ଓଡ଼ିଶା ଓ ମହାରାଷ୍ଟ୍ର ମଧ୍ୟରେ ଏକ ସଂଗଠିତ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ନେଟୱାର୍କ ଚଳାଉଥିଲେ । ଏହି ନେଟୱାର୍କ ସହ ଜଡ଼ିତ ଅନ୍ୟ ସଦସ୍ୟ, ଗଞ୍ଜେଇର ମୂଳ ଉତ୍ସ ଏବଂ ଆର୍ଥିକ କାରବାରର ଖିଅ ଖୋଜିବା ପାଇଁ ANTF ପକ୍ଷରୁ ବ୍ୟାପକ ତଦନ୍ତ ଜାରି ରହିଛି । 'ନିଶା ମୁକ୍ତ ଭାରତ ଅଭିଯାନ' ଏବଂ 'ନିଶା ମୁକ୍ତ ଓଡ଼ିଶା ଅଭିଯାନ'ର ଲକ୍ଷ୍ୟକୁ ସାକାର କରିବା ଦିଗରେ ଓଡ଼ିଶା ପୋଲିସ ଏବଂ ANTF ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ଟ ଚାଲାଣ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଅଧିକ ତଥ୍ୟ ସଂଗହ ପାଇଁ ପୋଲିସ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି ।