କଟକ: କାଠଯୋଡ଼ି ନଦୀ କୂଳରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ବୁଧବାର କଟକ ବାଦାମବାଡ଼ି ଥାନା ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀ କୂଳରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଛି ପୋଲିସ। ଘଟଣାସ୍ଥଳରେ ଡିସିପି, ଏସିପି ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ସାଢ଼େ ୬ ଟାରେ କାଠଯୋଡ଼ି ନଦୀ କୂଳରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ପୋଲିସ ପାଖକୁ ଖବର ଆସିଥିଲା। ଯାହାପରେ ଘଟଣାସ୍ଥଳରେ ଏସିପି, ଥାନା ଅଧିକାରୀ ପହଞ୍ଚିଥିଲେ। ପରେ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ତେବେ ମହିଳାଙ୍କ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି। କାରଣ ମୃତ ଦେହ ପଡ଼ିଥିବା ସ୍ଥାନର ଉପରକୁ ପ୍ରାୟ ୫୦ ମିଟର ଦୂରରେ ଏକ ମସିଣା ପଡ଼ିଛି। ମସିଣା ଉପରେ ଥାଳି ଓ କଡ଼େଇ ପଡିଛି। ପାଖରେ କିଛି ଚୁଟି ପଡ଼ିଛି। ମସିଣାରେ କିଛି ରକ୍ତ ଭିଜା ବ୍ୟାଣ୍ଡେଜ ପଡ଼ିଛି। ସେହିଭଳି ମହିଳାଙ୍କ ମୁହଁକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ମଧ୍ୟ ଅନୁମାନ କରାଯାଉଛି।

Also Read: ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଯାଇଥିଲେ , ଭୟ ଦେଖାଇ ତିନି ଦିନ ଧରି ଦୁଷ୍କର୍ମ କଲା ଭଣ୍ଡ ଗୁଣିଆ

ସେପଟେ ଘଟଣାକୁ ନେଇ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ କହିଛନ୍ତି, ପାଖରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ତଦନ୍ତ କରାଯିବ। ମହିଳାଙ୍କ ମୁହଁରେ କ୍ଷତ ଚିହ୍ନ ରହିଛି। ଦେହରେ କିଛି କ୍ଷତ ଚିହ୍ନ ନାହିଁ। ମହିଳାଙ୍କୁ ପରିଚୟ ମିଳିନଥିବା ବେଳେ ପୋଲିସ ହାତରେ କିଛି ସୁରାକ୍ ଲାଗିଛି, ତାକୁ ନେଇ ତଦନ୍ତ ଜାରି ରହିଛି।