ରାଜକୋଟ: ଆକାଶ ମାର୍ଗରେ ବଡ଼ ବିପତ୍ତିରୁ ଅଳ୍ପକେ ବର୍ତ୍ତିଗଲେ ଶତାଧିକ ବିମାନ ଯାତ୍ରୀ। ଦୁବାଇରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଗୁଜରାଟର ରାଜକୋଟ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନର କାର୍ଗୋ ହୋଲ୍ଡରେ ହଠାତ ଧୂଆଁ ବାହାରିବା ପରେ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା। ତେବେ ସୌଭାଗ୍ୟବଶତଃ ବିମାନରେ ଥିବା ସମସ୍ତ ୧୯୪ ଜଣ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋର ବିମାନ ସଂଖ୍ୟା ୬E ୧୪୫୨ ସୋମବାର ଦୁବାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ହେଲେ ଯାତ୍ରା ସମୟରେ ବିମାନର କ୍ରୁ ମେମ୍ବର କାର୍ଗୋ ହୋଲ୍ଡରେ ଧୂଆଁ ବାହାରୁଥିବା ଦେଖିଥିଲେ। ଏହାପରେ ସେମାନେ ବିଳମ୍ବ ନକରି ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC)କୁ ଜଣାଇଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦେଖି ବିମାନକୁ ନିକଟସ୍ଥ ରାଜକୋଟ ବିମାନବନ୍ଦର ଆଡ଼କୁ ଡାଇଭର୍ଟ କରାଯାଇଥିଲା।

ସେପଟେ ଜରୁରୀକାଳୀନ ଅବତରଣ ସୂଚନା ପାଇବା ମାତ୍ରେ ରାଜକୋଟ ବିମାନବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା। ଏୟାରପୋର୍ଟ କର୍ତ୍ତୃପକ୍ଷ ତୁରନ୍ତ 'ଫୁଲ୍ ଇମରଜେନ୍ସି' ଲାଗୁ କରିବା ସହ ଫାୟାର ବ୍ରିଗେଡ୍ ଓ ଆମ୍ବୁଲାନ୍ସ ସମେତ ସମସ୍ତ ଜରୁରୀକାଳୀନ ସେବାକୁ ରନୱେ ନିକଟରେ ଆଲର୍ଟ ମୋଡରେ ରଖିଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଓ ସଠିକ୍ ସମୟରେ ନିଆଯାଇଥିବା ନିଷ୍ପତ୍ତି ଯୋଗୁ ବିମାନଟି ସୁରକ୍ଷିତ ଭାବେ ରନୱେରେ ଅବତରଣ କରିଥିଲା।

Also Read: ଫାଟି ଆଁ କଲାଣି ୪,୨୦୦ କୋଟି ଟଙ୍କାର ଏକ୍ସପ୍ରେସଓ୍ବେ, ୧୨ ଦିନ ପୂର୍ବରୁ ହୋଇଥିଲା ଡଦ୍‌ଘାଟନ​​​​​​​

ତେବେ ଏନେଇ ରାଜକୋଟ ବିମାନବନ୍ଦର ନିର୍ଦ୍ଦେଶକ ଦିଗନ୍ତ ବୋରା ଗଣମାଧ୍ୟମକୁ କହିଛନ୍ତି ଯେ, "ଇଣ୍ଡିଗୋ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ବୋର୍ଡରେ ଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।" ବିମାନ ଜରୁରୀକାଳୀନ ଅବତରଣ କରିବା ପରେ ସମସ୍ତ ୧୯୪ ଯାତ୍ରୀଙ୍କୁ ବିନା କୌଣସି ଅସୁବିଧାରେ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଛି।

କାର୍ଗୋ ହୋଲ୍ଡରେ ଧୂଆଁ କେଉଁ କାରଣରୁ ଏବଂ କେମିତି ସୃଷ୍ଟି ହେଲା, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଏହାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରାଯାଇନାହିଁ।