ନୂଆଦିଲ୍ଲୀ: ବିଜେପି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ରାମରାଓ ୱାଡକୁଟେଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ହୃଦଘାତରେ ସାଂସଦଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଲଗାତାର କାଶ ହେବ ପରେ ସାଂସଦଙ୍କୁ ନଭେମ୍ୱର ୨୦ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଥିଲା । ଶନିବାର ସଂଧ୍ୟା ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ରାତି ପ୍ରାୟ ୧୧ଟା ୪୫ ମିନିଟରେ ତାଙ୍କର ନିଧନ ହୋଇଥିଲା । ମହାରାଷ୍ଟ୍ରର ମରାଠୱାଡା ଅଞ୍ଚଳର ପରଭାନୀରୁ ଆସିଥିବା ୱାଡକୁଟେ ଚଳିତ ବର୍ଷ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ୨୦୧୪ ଜୁନରୁ ୨୦୧୯ ଅକ୍ଟୋବର ପର୍ଯ୍ୟନ୍ତ ବିଧାନ ପରିଷଦ (ଏମ୍ଏଲସି) ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।

ବିଜେପି ସାଂସଦଙ୍କ ନିଧନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଲେଖିଛନ୍ତି, "ରାଜ୍ୟସଭା ସାଂସଦ ରାମରାଓ ସଖାରାମ ୱାଡକୁଟେଙ୍କ ବିୟୋଗରେ ଗଭୀର ମର୍ମାହତ । ସେ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଥିଲେ ଏବଂ ମହାରାଷ୍ଟ୍ର ତଥା ଦେଶର ବିକାଶରେ ଅମୂଲ୍ୟ ଅବଦାନ ରଖିଥିଲେ । ତାଙ୍କ ପରିବାର ସଦସ୍ୟ, ପ୍ରିୟଜନ ଏବଂ ଶୁଭେଚ୍ଛୁଙ୍କ ପ୍ରତି ମୋର ଗଭୀର ସମବେଦନା ।"

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଲେଖିଛନ୍ତି, "ରାଜ୍ୟସଭା ସାଂସଦ ରାମରାଓ ଭାଡକୁଟେଙ୍କ ଦେହାନ୍ତରେ ଗଭୀର ମର୍ମାହତ । ସମାଜ ପ୍ରତି ତାଙ୍କର ଅବଦାନ ଏବଂ ଗରିବ ଏବଂ ଅବହେଳିତ ଲୋକଙ୍କ ସେବା ଉପରେ ଗୁରୁତ୍ୱ ପାଇଁ ତାଙ୍କୁ ମନେ ରଖାଯିବ । ମହାରାଷ୍ଟ୍ରରେ ବିଜେପିକୁ ମଜଭୁତ କରିବା ପାଇଁ ତାଙ୍କର ପ୍ରୟାସ ସମାନ ଭାବରେ ଉଲ୍ଲେଖନୀୟ ଥିଲା । ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।"

 

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀ ଲେଖିଛନ୍ତି, "ବିଜେପି ନେତା ଏବଂ ରାଜ୍ୟସଭା ସାଂସଦ ରାମରାଓଜୀ ୱାଡକୁଟେଙ୍କ ଦେହାନ୍ତ ଖବର ଦୁଃଖଦ । ମୁଁ ମୋର ହୃଦୟରୁ ଶୋକ ପ୍ରକାଶ କରୁଛି । ଜନନେତା ଭାବରେ ସାର୍ବଜନୀନ ଜୀବନରେ ରାମରାଓଜୀଙ୍କ ଅବଦାନ ସର୍ବଦା ମନେ ରହିବ । ଧନଗର ସମ୍ପ୍ରଦାୟ ସହିତ ଜଡିତ ପ୍ରସଙ୍ଗରେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ । ଈଶ୍ୱର ସ୍ୱର୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଏହି ଦୁଃଖ ଦୂର କରିବାକୁ ଶକ୍ତି ଦିଅନ୍ତୁ । ଓମ୍ ଶାନ୍ତି ।"

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାଭିସ୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, "ବିଜେପି ରାଜ୍ୟସଭା ସଦସ୍ୟ ଏବଂ ବରିଷ୍ଠ ନେତା ରାମରାଓ ୱାଡକୁଟେଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦ । ତାଙ୍କ ମୃତ୍ୟୁ ଜଣେ ସରଳ ବ୍ୟକ୍ତିଙ୍କୁ ରାଜନୀତିରୁ ଛଡ଼ାଇ ନେଇଛି । ସେ ହିଙ୍ଗୋଲି ଜିଲ୍ଲାରେ ବିଜେପି ପାଇଁ ଅନେକ ସାଂଗଠନିକ ଦାୟିତ୍ୱ ତୁଲାଇଥିଲେ । ସେ ଧନଗର ସମ୍ପ୍ରଦାୟ ପାଇଁ ଅନେକ କାମ କରିଥିଲେ ।"