Nepal PM Balen Shah visit India: ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହ। ରବିବାର ସେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ହେବା ପରେ ଭାରତକୁ ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ।

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଶକ୍ତି, ହାଇଡ୍ରୋପାୱାର, ରେଳ ଲିଙ୍କ ସହ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ ନେଇ ଆଲୋଚନା କରିପାରନ୍ତି। ଏହି ବୈଠକ ଆସନ୍ତା କିଛି ବର୍ଷ ପାଇଁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ଦିଗ ନିର୍ଣ୍ଣୟ କରିବ। ଆଲୋଚନା ପରେ, ଉଭୟ ନେତା ନେପାଳରେ ଅନେକ ପ୍ରକଳ୍ପର ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିବେ । ଏହାସହିତ, ଉଭୟ ପକ୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରକୁ ନେଇ ବୁଝାମଣାପତ୍ର କିମ୍ବା ଚୁକ୍ତିନାମା ହେବାର ସମ୍ଭାବନା ରହିଛି।

ଶକ୍ତି, ରେଳ ସଂଯୋଗ, ଓ ବାଣିଜ୍ୟ ଆଲୋଚନାର ମୁଖ୍ୟ ବିଷୟ

ଶକ୍ତି କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଦୀର୍ଘଦିନର ସମ୍ପର୍କ ରହିଛି। ନେପାଳ ଭାରତକୁ ବିଦ୍ୟୁତ ବିକ୍ରି କରି ଆୟ କରୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ ନେପାଳ ଭାରତକୁ ବିଦ୍ୟୁତ୍ ରପ୍ତାନି କରି ପ୍ରାୟ ୧,୮୦୦ କୋଟି ନେପାଳୀ ଟଙ୍କା ଆୟ କରିଛି। ନେଇ ଦୁଇ ଦେଶ ମଧ୍ୟରେ କିଛି ଅଧିକ ଆଲୋଚନା ହୋଇପାରେ। ଏହାବାଦ୍ ରାକ୍ସୌଲ ଏବଂ କାଠମାଣ୍ଡୁକୁ ରେଳ ସଂଯୋଗ ନେଇ ମଧ୍ୟ ନେପାଳ ଭାରତର ସହଯୋଗ ଲୋଡିପାରେ।

Also Read- ‘ପାଗଳ କୁକୁର କାମୁଡ଼ି ଦେଇଛି’, ବିଧାୟକଙ୍କ ବିରୋଧ ପରେ ସିଏମ୍ ରେଭନ୍ତଙ୍କ ବୟାନ, ତେଲଙ୍ଗାନା କଂଗ୍ରେସରେ ତେଜୁଛି ବିଦ୍ରୋହର ନିଆଁ

ତା’ ସହିତ ନେପାଳର ଜନକପୁର ଓ ଉତ୍ତରପ୍ରଦେଶର ଅଯୋଧ୍ୟା ମଧ୍ୟରେ ରେଳ ଲାଇନ ଆରମ୍ଭ କରିବାକୁ ମଧ୍ୟ ଆଲୋଚନା ହୋଇପାରେ। କାରଣ ଏହି ଦୁଇଟି ସହରର ସହିତ ରାମାୟଣର ସମ୍ପର୍କ ରହିଛି। ନେପାଳର ଜନକପୁର ମାତା ସୀତାଙ୍କ ଜନ୍ମସ୍ଥାନ ଓ ଅଯୋଧ୍ୟା ଶ୍ରୀ ରାମଙ୍କର ଜନ୍ମସ୍ଥାନ। ତେଣୁ ଏହି ଦୁଇ ଐତିହାସିକ ସ୍ଥାନକୁ ରେଳ ସଂଯୋଗ କରିବା ପାଇଁ ଆଲୋଚନା ହୋଇପାରେ।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ବି ଆଗକୁ ବଢ଼ାଇବାକୁ ଆଲୋଚନା ହୋଇପାରେ। ଏମିତିରେ ଭାରତ ନେପାଳର ତୃତୀୟ ବଡ଼ ବିଦେଶୀ ବାଣିଜ୍ୟିକ ପାର୍ଟନର। କାରଣ ନେପାଳର ୮୦ ପ୍ରତିଶତ ସାମଗ୍ରୀ ଭାରତକୁ ବିନା ଶୁଳ୍କରେ ଆମଦାନୀ କରାଯାଉଛି। ନେପାଳର ତୃତୀୟ ବିଦେଶୀ ନିବେଶକ ଭାବେ ଭାରତ ବିପୁଳ ନିବେଶ କରିଛି। ଏ ଦିଗରେ ଆଉ ଟିକେ ବିବିଧତା ଆଣିବାକୁ ଆଲୋଚନା କରିପାରନ୍ତି ଉଭୟ ନେତା।

ଭାରତ ସହିତ ସୀମା ବିବାଦ ନେଇ ଧମକ ଦେଇଥିଲା ନେପାଳ

୬ ମାସ ପୂର୍ବରୁ ଭାରତ ସହିତ ନେପାଳର ସିମା ବିବାଦ ନେଇ ବିଦେଶରେ କଥା ପକାଇବାକୁ ଧମକ ଦେଇଥିଲେ ବଲେନ୍ଦ୍ର ଶାହ। ସେ ନେପାଳ ସଂସଦରେ କହିଥିଲେ ଯେ ଭାରତ ସହିତ ଥିବା ସୀମା ବିବାଦ ପ୍ରସଙ୍ଗରେ ଚୀନ ଓ ବ୍ରିଟେନ ସହିତ ଆଲୋଚନା କରିବେ। ଯେହେତୁ ଏହା ଉପନିବେଶବାଦ ସମୟର ଘଟଣ। ତେଣୁ ବ୍ରିଟେନ ଏଥିରେ ହସ୍ତକ୍ଷେପ କରିବା ଦରକାର ବୋଲି ଶାହ କହିଥିଲେ।

ହେଲେ ଜୁନ ୨ ତାରିଖରେ ଭାରତ ଏହାକୁ ଅସ୍ୱୀକାର କରିଥିଲା। ଏହି ମାମଲା ଦୁଇ ଦେଶ ମଧ୍ୟରେ ହୋଇଛି। ତେଣୁ ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଭାରତ କହିଥିଲା। ଭାରତ ଓ ନେପାଳ ମଧ୍ୟରେ ସୀମାର ପଶ୍ଚିମ ଭାଗରେ ଥିବା ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାନିକୁ ନେଇ ହୋଇଛି। ନେପାଳ ଏହି ତିନୋଟିଯାକ ଅଞ୍ଚଳ ଉପରେ ନିଜର ଦାବି ଜାହିର କରୁଥିବା ବେଳେ, ଭାରତ କହିଛି ଯେ ଏଗୁଡ଼ିକ ଉତ୍ତରାଖଣ୍ଡର ଅଂଶ ଅଟେ। ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ଟଣାଓଟରା ଚାଲିଛି।