• ସରକାର ନିକଟରେ ଲାଗୁ କରିଥିବା ‘ଫ୍ଲୋଟ ସିଷ୍ଟମ’ରେ ପରିବର୍ତ୍ତନର କଥା ବିଚାର କରୁଛନ୍ତି
  • କାଉନସେଲିଂର ଦ୍ୱିତୀୟ ରାଉଣ୍ଡ ପରେ ୧୦,୧୦୫ ସିଟ୍ ‘ବ୍ଲକିଂ କ୍ୟାଟଗରୀ’ରେ ରହିଛି
  • ଏମଡି ଜେନେରାଲ ମେଡିସିନରେ ସର୍ବାଧିକ ୧,୦୨୬ଟି ସିଟ୍ ବ୍ଲକ୍ ହୋଇଛି

ନୂଆଦିଲ୍ଲୀ: ନିଟ ପିଜି-୨୦୨୬ ସିଟ୍ ର ସୁଷମ ବଣ୍ଟନ ପାଇଁ ସରକାର ଫ୍ଲୋଟ ସିଷ୍ଟମରେ ପରିବର୍ତ୍ତନ ଆଣି ପାରନ୍ତି। ୧୦ହଜାରରୁ ଅଧିକ ପୋଷ୍ଟ ଗ୍ରାଜୁଏଟ ଡାକ୍ତରୀ ସିଟ୍ ‘ବ୍ଲକ’ ବର୍ଗରେ ପଡିବା ପରେ ଏହି ପରିବର୍ତ୍ତନକୁ ନେଇ ବିଚାର କରାଯାଉଛି। ନିଟ୍ ପିଜି କାଉନସେଲିଂର ଦ୍ୱିତୀୟ ପର୍ଯ୍ୟାୟ ପରେ ୧୦ ହଜାରରୁ ଅଧିକ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ସିଟ୍ ବ୍ଲକ୍ କ୍ୟାଟଗରୀରେ ରହିଛି। ଏ ସମ୍ପର୍କିତ ତଥ୍ୟରୁ ଜଣା ପଡେ ଯେ, ଡାକ୍ତରୀ ଛାତ୍ରମାନେ ଏକକାଳୀନ ଭାରତୀୟ ଏବଂ ରାଜ୍ୟ ସ୍ତରୀୟ କାଉସେଲିଂ ମାଧ୍ୟମରେ ସିଟ୍ ସଂରକ୍ଷଣ କରିଥିଲେ। ଏହାକୁ ଦେଖି ସରକାର ନିକଟରେ ଲାଗୁ କରିଥିବା ‘ଫ୍ଲୋଟ ସିଷ୍ଟମ’ରେ ପରିବର୍ତ୍ତନର କଥା ବିଚାର କରୁଛନ୍ତି।

ନିଟ ପିଜି ଓ ନିଟ୍ ୟୁଜି ପ୍ରାର୍ଥୀଙ୍କ ଲାଗି ମେଡିକାଲ ଆଡମିସନ ଓ କାଉନସେଲିଂ ପ୍ଲାଟଫର୍ମ ‘SARTHA’ଏପ ଅନୁସାରେ ନିଟ୍ ପିଜି-୨୦୨୬ କାଉନସେଲିଂର ଦ୍ୱିତୀୟ ରାଉଣ୍ଡ ପରେ ୧୦,୧୦୫ ସିଟ୍ ‘ବ୍ଲକିଂ କ୍ୟାଟଗରୀ’ରେ ରହିଛି। ଏମସିସି ଅଲ ଇଣ୍ଡିଆ କାଉନସେଲିଂ ଡାଟା ଫିଲ୍ଟର କରାଯିବା ପରେ ଏ କଥା ଜଣାପଡିଛି ଯେ ଏହା ସେହି ସବୁ ସିଟ୍ ଯାହାକୁ ଛାତ୍ରମାନେ ଅଟକାଇ ରଖିଛନ୍ତି ଓ ସେମାନଙ୍କୁ ଅନ୍ୟ କାଉନସେଲିଂ ପ୍ରକ୍ରିୟାରେ ମଧ୍ୟ ସିଟ୍ ଆଲଟ ହୋଇଛି।

ଆପ୍ ଅନୁସାରେ ଶାଖାବାରୀ ତଥ୍ୟ ଦର୍ଶାଉଛି ଯେ ଏମଡି ଜେନେରାଲ ମେଡିସିନରେ ସର୍ବାଧିକ ୧,୦୨୬ଟି ସିଟ୍ ବ୍ଲକ୍ ହୋଇଛି। ଏହା ବାଦେ ଏମଏସ୍ ଅବଷ୍ଟେଟ୍ରିକସ୍ ଆଣ୍ଡ ଗାଏନେକୋଲଜିରେ ୮୬୧, ଏମଏସ୍ ଜେନେରାଲ ସର୍ଜରୀରେ ୭୮୬ଟି ସିଟ୍ ବ୍ଲକ୍ ରହିଛି। ମେଡିକାଲ ସୋସିଆଲ ଆକ୍ଟିଭିଷ୍ଟ ନଚିକେତ ଭାଟିଆ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। କାଉନସେଲିଂ ପ୍ରକ୍ରିୟା ସହିତ ସମ୍ପର୍କିତ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ‘ଫ୍ଲୋଟ’ ସୁବିଧା ପ୍ରାର୍ଥୀଙ୍କୁ ଅପଗ୍ରେଡ ସନ୍ଧାନ କରିବା ବେଳେ ସେମାନଙ୍କୁ ଆବଣ୍ଟିତ ସିଟ୍ ବଜାୟ ରଖିବାରେ ସହାୟତା କରେ, ଯାହା ସିଟ୍ ଦୋହରା ବ୍ଲକ୍ ହେବାର କାରଣ ହୋଇପାରେ।

ଏହା ଏଥି ପାଇଁ ହୁଏ କାରଣ ଅଲ ଇଣ୍ଡିଆ ଓ ରାଜ୍ୟ ସ୍ତରୀୟ କାଉନସେଲିଂ ଅଲଗା ଅଲଗା ପ୍ଲାଟଫର୍ମରେ ଏକସଙ୍ଗରେ ହୁଏ। ଅଧିକାରୀ କହିଛନ୍ତି ଯେ କୌଣସି ପ୍ରାର୍ଥୀ ଉଭୟ ପ୍ରକ୍ରିୟାରେ ‘ଫ୍ଲୋଟ’କୁ ବିକଳ୍ପ ବାଛି ପାରନ୍ତି ଓ ଏହି ଭଳି ଦୁଇଟି ସିଟ୍ ବ୍ଲକ୍ ହୋଇଯାଏ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପ୍ରଚଳିତ ଏହି ବ୍ୟବସ୍ଥା ଅନୁସାରେ ପ୍ରାର୍ଥୀମାନେ ଅପଗ୍ରେଡ ଚାହୁଁଥିବା ସମୟରେ ସେମାନଙ୍କ ସିଟ୍ ସଂରକ୍ଷଣ କରିପାରିବେ। ତେବେ ତୃତୀୟ ପର୍ଯ୍ୟାୟରେ ସେମାନଙ୍କ ବ୍ୟକ୍ତିଗତ ଯୋଗଦେବା ବାଧ୍ୟତାମୂଳକ। ଅଧିକାରୀ କହିଛନ୍ତି ଯେ ଭବିଷ୍ୟତର କାଉନସେଲିଂ ପ୍ରକ୍ରିୟାରେ ସରକାର ଫ୍ଲୋଟ (ସିଟ୍ ଅପଗ୍ରେଡ କରିବାର ବିକଳ୍ପ)କୁ କେବଳ ପ୍ରଥମ ରାଉଣ୍ଡ ପର୍ଯ୍ୟନ୍ତ ସୀମିତ କରିବାକୁ ଓ ଦ୍ୱିତୀୟ ରାଉଣ୍ଡରେ ବ୍ୟକ୍ତିଗତ ଯୋଗଦାନ ବାଧ୍ୟତାମୂଳକ କରିପାରନ୍ତି।